ନାସିକ, ୧୬।୪: ଦେଶର ପ୍ରତିଷ୍ଠିତ ଆଇଟି କମ୍ପାନୀ TCS (ଟାଟା କନସଲଟାନ୍ସି ସର୍ଭିସେସ୍) ର ନାସିକସ୍ଥିତ ବିପିଓ ସେଣ୍ଟରରେ ଘଟିଥିବା ଏକ ଲଜ୍ଜାଜନକ ଘଟଣା ଏବେ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି । ଅଫିସ ଭିତରେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା, ଜବରଦସ୍ତ ଧର୍ମ ପରିବର୍ତ୍ତନ ଏବଂ ବ୍ରେନ୍ୱା କରିବା ଭଳି ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ଏହି ସମ୍ପୂର୍ଣ୍ଣ ଘଟଣାର ମୁଖ୍ୟ ନାୟିକା ସାଜିଛନ୍ତି କମ୍ପାନୀର HR ମ୍ୟାନେଜର ନିଦା ଖାନ୍, ଯାହାଙ୍କୁ ଅଫିସରେ ସମସ୍ତେ ‘ଦବଙ୍ଗ ମ୍ୟାମ୍’ ବୋଲି କହୁଥିଲେ ।
‘ଦବଙ୍ଗ ମ୍ୟାମ୍’ଙ୍କ ଦାଦାଗିରି ଏବଂ ବ୍ରେନ୍ୱାଶ୍:
ପୁଲିସରେ ଦାୟର ହୋଇଥିବା FIR ଅନୁସାରେ, ନିଦା ଖାନ୍ କେବଳ ଜଣେ HR ଅଧିକାରୀ ନଥିଲେ, ବରଂ ସେ ଏକ ସଂଗଠିତ ଗୋଷ୍ଠୀର ମୁଖ୍ୟ ଥିଲେ । ଅଭିଯୋଗ ହୋଇଛି ଯେ, ନିଦା ମହିଳା କର୍ମଚାରୀମାନଙ୍କୁ ଇସଲାମିକ ପରମ୍ପରା ଅନୁସାରେ ପୋଷାକ ପିନ୍ଧିବାକୁ ବାଧ୍ୟ କରୁଥିଲେ ଏବଂ ନିଜେ ସେମାନଙ୍କୁ ବୁର୍ଖା ପିନ୍ଧିବାର ଶୈଳୀ ଶିଖାଉଥିଲେ । ଯେତେବେଳେ କୌଣସି ମହିଳା କର୍ମଚାରୀ ଯୌନ ନିର୍ଯ୍ୟାତନା ବିରୋଧରେ ଅଭିଯୋଗ କରୁଥିଲେ, ନିଦା ସେମାନଙ୍କୁ ଚୁପ୍ ରହିବାକୁ କହିବା ସହ "ଏମିତି ସବୁ ଚାଲେ" କହି ଘଟଣାକୁ ଚାପି ଦେଉଥିଲେ । କର୍ମଚାରୀମାନଙ୍କୁ ଜବରଦସ୍ତ ନମାଜ ପଢ଼ିବା, ଆମିଷ ଭୋଜନ କରିବା ଏବଂ ଧାର୍ମିକ ପ୍ରତୀକ ବ୍ୟବହାର କରିବାକୁ ବାଧ୍ୟ କରାଯାଉଥିଲା ।
ଅପରେସନ ‘ହାଉସ୍କିପିଂ’:
ଏହି ଘଟଣାର ପର୍ଦ୍ଦାଫାଶ କରିବା ପାଇଁ ପୁଲିସ କମିଶନର ସନ୍ଦୀପ କର୍ଣ୍ଣିକ ଏକ ସ୍ୱତନ୍ତ୍ର ରଣନୀତି ଆପଣାଇଥିଲେ । ୪ ଜଣ ମହିଳା କନଷ୍ଟେବଳଙ୍କୁ ‘ହାଉସ୍କିପିଂ ଷ୍ଟାଫ୍’ ଅର୍ଥାତ୍ ସଫେଇ କର୍ମଚାରୀ ଭାବେ ଅଫିସ ଭିତରକୁ ଗୁପ୍ତରେ ପଠାଯାଇଥିଲା । ସେମାନେ ସେଠାରେ ହେଉଥିବା ସମସ୍ତ ଗତିବିଧି ଉପରେ ନଜର ରଖିଥିଲେ, ଯାହା ପରେ ସତ୍ୟାସତ୍ୟ ସାମ୍ନାକୁ ଆସିଥିଲା । ତଦନ୍ତ ବେଳେ ଏକ ହ୍ୱାଟ୍ସଆପ୍ ଗ୍ରୁପ୍ରୁ ସୂଚନା ମିଳିଛି, ଯେଉଁଥିରେ ଇମ୍ରାନ ନାମକ ଜଣେ ବ୍ୟକ୍ତି ଜଡ଼ିତ ଅଛନ୍ତି । ସୂଚନା ଅନୁସାରେ, ଇମ୍ରାନ ମାଲେସିଆରୁ ଭିଡିଓ ଏବଂ ଭାଷଣ ଜରିଆରେ କର୍ମଚାରୀମାନଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ଉସକାଉଥିଲେ । ଏହି ଘଟଣାରେ ବିଦେଶୀ ପଣ୍ଡିଂ ଏବଂ ଏକ ବଡ଼ ନେଟୱାର୍କ କାମ କରୁଥିବା ସନ୍ଦେହ କରି ପୁଲିସ SIT ଗଠନ କରିବା ସହ ATS ଏବଂ NIA ସହ ମଧ୍ୟ ଯୋଗାଯୋଗ କରିଛି ।
ଏହା ବି ପଢ଼ନ୍ତୁ... Women Reservation Bill; ମହିଳା ସଂରକ୍ଷଣକୁ ନେଇ ମହାଭାରତ ! ସୀମା ନିର୍ଦ୍ଧାରଣକୁ ନେଇ କାହିଁକି ଝଡ଼ ? ସଂସଦରେ ବିରୋଧୀଙ୍କୁ ମନେଇ ପାରିବେ ତ ସରକାର
୮ ଗିରଫ, ନିଦା ଫେରାର:
ବର୍ତ୍ତମାନ ସୁଦ୍ଧା ପୁଲିସ ୭ ଜଣ ପୁରୁଷ ଅଭିଯୁକ୍ତ ଏବଂ ଜଣେ ମହିଳା ମ୍ୟାନେଜରଙ୍କୁ ଗିରଫ କରିସାରିଛି । ତେବେ ମୁଖ୍ୟ ଅଭିଯୁକ୍ତ ନିଦା ଖାନ୍ ଏବେ ମଧ୍ୟ ଫେରାର ଅଛନ୍ତି । ପୁଲିସ ତାଙ୍କୁ ଖୋଜିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଟାଟା ସନ୍ସ ଚେୟାରମ୍ୟାନ ଏନ୍ ଚନ୍ଦ୍ରଶେଖରନ ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀର ଏବଂ ଚିନ୍ତାଜନକ ବୋଲି କହିଛନ୍ତି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ କୌଣସି ଅନୈତିକ କାର୍ଯ୍ୟକୁ ପ୍ରଶ୍ରୟ ଦିଆଯିବ ନାହିଁ । ଏହି ଘଟଣାକୁ ନେଇ ନାସିକରେ ରାଜନୈତିକ ଉଷ୍ମତା ମଧ୍ୟ ବୃଦ୍ଧି ପାଇଛି । ବିଜେପି ଏବଂ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ତୀବ୍ର ବିରୋଧ ପ୍ରଦର୍ଶନ କରାଯାଉଛି । ନିଦା ଖାନ୍ ଗିରଫ ହେବା ପରେ ଏହି ‘ବ୍ରେନ୍ୱାଶ୍’ ନେଟୱାର୍କର ଅନେକ ବଡ଼ ରହସ୍ୟ ଖୋଲିପାରେ ବୋଲି ଆଶା କରାଯାଉଛି ।