ଭୁବନେଶ୍ବର,୧୭/୧୧: କେହି କେବେ ଦେଖିଛ କି କଳାକାର କାନ୍ଦିବାର। ହଁ...ମଞ୍ଚ ଉପରେ ରହି ଦର୍ଶକଙ୍କୁ ମନୋରଞ୍ଜନ ଭେଟି ଦେଉଥିବା କଳାକାରଟିର ମରମକୁ ହୁଏତ କେହି ବୁଝିପାରନ୍ତିନି। କାହାର ଅବସରକୁ ରୋମାଞ୍ଚିତ କରୁଥିବା କଣ୍ଠଶିଳ୍ପୀଟିଏ ଯେ, ନିଜ ଅବସରରେ ଗୁମୁରି ଗୁମୁରି କାନ୍ଦେ, ହୁଏତ ତା ଲୁହର ପ୍ରମାଣ ହିଁ ଏକ ନିଃଶବ୍ଦ ମୁହୂର୍ତ୍ତ ଦେଇପାରେ। ଆଜି ଠିକ୍ ସେମିତି ଜୀବନର ଅକୁହା କଥାକୁ ମନ ଭିତରେ ଆବୋରି ଧରି ବ୍ୟକ୍ତିଗତ ଜଞ୍ଜାଳର ଯନ୍ତ୍ରଣା ଆଗରେ ନୀରବି ଯାଇଛନ୍ତି ଅନେକ ଲୋକଙ୍କ ସ୍ବର ପାଲଟିଥିବା ହ୍ୟୁମାନ ସାଗର। ଅନାବନା ସଂଗୀତର ଯାଦୁଗର ପାଲଟିଥିଲେ ହ୍ୟୁମାନ। ଗୀତରେ ଗୀତରେ ଅନେକଙ୍କ ହୃଦୟକୁ ଯୋଡ଼ିଥିବା ହ୍ୟୁମାନ ଯେ, ନିଜ ହୃଦୟ ଭିତରର ଯନ୍ତ୍ରଣା ଆଗରେ ହାର୍ ମାନିଗଲେ, ତାହା ବିଶ୍ବାସର ବାହାରେ।
ଅନେକ ସଂଳାପକୁ ସ୍ବରରେ ପରିଣତ କରିବା ପରେ, ଅନେକ ଶ୍ରୋତାଙ୍କ ହୃଦୟରେ ଘର କରିବା ପରେ, ଅନେକଙ୍କ ମନକୁ ଯୋଡ଼ିବା ଆଉ ଅନେକ ଭଙ୍ଗା ହୃଦୟକୁ ସାନ୍ତ୍ବନା ଦେଇସାରିବା ପରେ ନିଜେ ହାରିଗଲେ ହ୍ୟୁମାନ। ଜାବତୀୟ ଲେଖାକୁ କଣ୍ଠରେ ସ୍ଥାନ ଦେଇସାରିବା ପରେ, ଗୋଟିଏ ଦଶନ୍ଧୀରେ କୋଟିଏ ଦର୍ଶକଙ୍କୁ ବାନ୍ଧି ସାରିବା ପରେ, ଅନେକଙ୍କ ହୃଦୟର ଅକୁହା ସ୍ବର ପାଲଟିବା ପରେ ଜୀବନର ଦୋ ଛକିରେ ଏମିତି ଅଚାନକ ଯବନିକା ପକାଇ ଶାନ୍ତିରେ ଶୋଇଯାଇଛି ଆଧୁନିକ ସଂଗୀତର ସାଗର।
୨୦୧୨ରେ ଓଡ଼ିଶାର ଏକ ସିଙ୍ଗିଙ୍ଗ୍ ରିୟଲିଟି ଶୋ'ରେ ଶୀର୍ଷରେ ରହିବା ପରଠୁ ଆରମ୍ଭ ହୋଇଥିଲା ହ୍ୟୁମାନଙ୍କ ସଂଗୀତର ଯାତ୍ରା। ସମଥିଙ୍ଗ ସମଥିଙ୍ଗ -୨ର ପ୍ରେମ ହେଇଯାଏରେ ଗୀତରୁ ଆରମ୍ଭ ହୋଇଥିବା ହ୍ୟୁମାନଙ୍କ ସଂଗୀତର ଯାତ୍ରା ଚାରିଧାମର କେରକେରା ଗତରେ ଶେଷ ହୋଇଛି। ପୂର୍ବରୁ ତାଙ୍କର ଅନେକ ରେକର୍ଡିଂରୁ ମଧ୍ୟ ସେ ସାଉଁଟିଥିଲେ ଆଶାତୀତ ସଫଳତା। ଯୁବପିଢ଼ୀଙ୍କ ଭାବନାକୁ ବୁଝିପାରି ସଂଳାପର ଭାବକୁ ଭାବି ଭାବି ନିଜ ମେଲୋଡିୟସ୍ ଭଏସ୍ରେ ସେ ମନୋରଞ୍ଜନ କରିଆସୁଥିଲେ। ଜୀବନର ଅନେକ ଉତ୍ଥାନ ପତନକୁ ସାମ୍ନା କରି ଶେଷରେ ସେ ଶୋଇଯାଇଛନ୍ତି ଶେଷ ନିଦ୍ରାରେ।
ଗତ କିଛି ମାସ ହେବ ଶ୍ୱାସକ୍ରିୟା ଜନିତ ଅସୁବିଧା, ନିମୋନିଆ, ହେପାଟୋପାଥି, ଥ୍ରୋମ୍ବୋସାଇଟୋପେନିଆ ଓ କୋଆଗୁଲୋପାଥିରେ ପୀଡ଼ିତ ଥିଲେ ହ୍ୟୁମାନ । କଟକର ଏକ ଘରୋଇ ହସ୍ପିଟାଲରେ କିଛି ଦିନ ଚିକିତ୍ସିତ ହେବା ପରେ ଗତ ଶୁକ୍ରବାର ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା । ଏପରିକି ଭେଣ୍ଟିଲେଟର୍ ସହାୟତାରେ ମଧ୍ୟ ରଖାଯାଇଥିଲା । ଡାକ୍ତରଙ୍କ ସତଚେଷ୍ଟା ପରେ ବି ହ୍ୟୁମାନ୍ ଏକ ଅଫେରା ରାଇଜକୁ ଚାଲିଯାଇଛନ୍ତି, ଆଉ ସମସ୍ତଙ୍କ ଆଖିକୁ ଭିଜେଇ ଦେଇ ଗଲେ ଓଡ଼ିଶାର ଏହି ଭର୍ସାଟାଇଲ ସିଙ୍ଗର।
ଏବେ ସଂଖ୍ୟାଧିକ ସମବେଦନା, ଅଗଣିତ ଆବେଗ ଆଉ ଜୀବନର ଯାବତୀୟ ଅସମୟରେ ଜବନିକା ପକାଇ ହ୍ୟୁମାନ ପାଲଟିଥିଲେ ସଂଗୀତ ଦୁନିଆର ସ୍ମୃତି ସାଗର। ମନେରହିବ ତୁମ କଣ୍ଠ, ମନେରହିବ ତୁମ ସ୍ବର, ମନେ ରହିବ ତୁମେ....ଆଉ ଚୀରକାଳ ପର୍ଯ୍ୟନ୍ତ ଓଡ଼ିଶା କହୁଥିବ, ଥିଲା ଜଣେ ହ୍ୟୁମାନ ସାଗର....ଗୀତରେ ଗୀତରେ କନ୍ଦାଉଥିଲା, ହୃଦୟର ଗଭୀରତାକୁ ଛୁଇଁଯାଉଥିଲା ଆଉ ଜୀବନର ଅକୁହା କଥାକୁ ଛାତି ଭିତରେ ଚାପିଧରି ନୀରବି ଗଲା... ବିଦାୟ ଆଧୁନିକ ସଂଗୀତର ସାଗର...