ନୂଆଦିଲ୍ଲୀ,୨୬।୫:  ଭଗବାନ ଶିବଙ୍କ ପରି, ପ୍ରତ୍ୟେକ ମଣିଷର ମଧ୍ୟ ରହିଛି ତୃତୀୟ ନୟନ ବା ‘ଥାର୍ଡ ଆଇ’। ବିଜ୍ଞାନ ବି ଏହାର ଉପସ୍ଥିତିକୁ ଗ୍ରହଣ କରେ। ବୈଜ୍ଞାନିକଙ୍କ ମତରେ ମସ୍ତିଷ୍କର ମଧ୍ୟ ଭାଗରେ ଥିବା ‘ପିନିଆଲ ଗ୍ଲାଣ୍ଡ’ କୁ ଅନେକ ସମୟରେ ତୃତୀୟ ନେତ୍ର ସହିତ ତୁଳନା କରାଯାଏ। ଏହି ଗ୍ଲାଣ୍ଡ ମେଲାଟୋନିନ୍ ନାମକ ହରମୋନ୍ କ୍ଷରଣ କରେ। ଆଧ୍ୟାତ୍ମିକ ଦୃଷ୍ଟିରୁ କୁହାଯାଏ ଯେ, ଏହି ତୃତୀୟ ନୟନ ଜଣେ ବ୍ୟକ୍ତିକୁ ତାଙ୍କ ଆତ୍ମା ସହିତ ଯୋଡିଥାଏ। ଏହା ସାଧାରଣତଃ କପାଳର ମଧ୍ୟଭାଗରେ ଥିବା ଏକ ଅଦୃଶ୍ୟ ଓ ଆଧ୍ୟାତ୍ମିକ ଚକ୍ଷୁକୁ ବୁଝାଏ। ଏହା କୌଣସି ଆଖି ନୁହେଁ, ବରଂ ଜ୍ଞାନ, ଅନ୍ତର୍ଜ୍ଞାନ ଏବଂ ଚେତନାର ପ୍ରତୀକ। ଯୋଗ ଶାସ୍ତ୍ର ଅନୁଯାୟୀ, ଯେତେବେଳେ ଜଣେ ବ୍ୟକ୍ତି ଧ୍ୟାନ ମାଧ୍ୟମରେ ଏହି ଚକ୍ରକୁ ଜାଗ୍ରତ କରେ, ସେତେବେଳେ ତାଙ୍କର ଅନ୍ତର୍ଜ୍ଞାନ ବୃଦ୍ଧି ପାଏ । ସେ ସତ ଏବଂ ମିଛ ମଧ୍ୟରେ ଥିବା ପ୍ରଭେଦ ସହଜରେ ବୁଝିପାରନ୍ତି।

‘କରେଣ୍ଟ ବାଓଲୋଜି’ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିଚର୍ଚ୍ଚ ପେପରରେ ମଧ୍ୟ ଏନେଇ ଦାବି କରାଯାଇଛି। ଏଥିରେ କୁହାଯାଇଛି ୟୁନିଭର୍ସିଟି ଅଫ୍ ସକ୍ସେସନ୍ ଓ ଲୁଣ୍ଡ ୟୁନିଭର୍ସିଟିର ରିପୋର୍ଟ ଅନୁସାରେ ଆମର ପୂର୍ବଜଙ୍କର ମଧ୍ୟ ଥିଲା ‘ତୃତୀୟ ନେତ୍ର’ । ଏହା ସମୟ ସହିତ ବଦଳି ‘ପିନିଆଲ ଗ୍ଲାଣ୍ଡ’ ପାଲଟିଗଲା। ପ୍ରାୟ ୫୦ କୋଟି ବର୍ଷ ପୂର୍ବେ, ଆମର ପୂର୍ବଜ ଥିଲେ ସମୁଦ୍ରର କାଦୁଅ ଏବଂ ଅନ୍ଧାରରେ ବାସ କରୁଥିବା ସାମୁଦ୍ରିକ ପ୍ରାଣୀ। ଅନ୍ଧାର ଯୋଗୁଁ କିଛି ବି ଦେଖିପାରୁନଥିଲେ ଦୁଇ ପାର୍ଶ୍ୱ ଆଖିରେ। ତେବେ ତାଙ୍କ ମୁଣ୍ଡର ମଧ୍ୟଭାଗରେ ଥିଲା ‘ତୃତୀୟ ଆଖି’। ଗବେଷକମାନେ ଏହାର ନାଁ ଦେଇଥିଲେ ‘ କମ୍ପୋଜିଟ୍ ଆସେଣ୍ଟ୍ରାଲ ମିଡିୟନ୍ ଆଇ’ । ଏହି ତୃତୀୟ ଆଖି ଦିନ ରାତି ଏବଂ ଦିଗ ଜାଣିବାରେ ସାହାଯ୍ୟ କରୁଥିଲା। ପ୍ରଫେସର ଟମ୍ ବାଡେନଙ୍କ ଅନୁସାରେ, ସମୟ ସହିତ, ଏହି ମଧ୍ୟମା ଆଖିର କିଛି ଅଂଶ ଦୁଇ ପାର୍ଶ୍ୱକୁ ଚାଲିଗଲା, ଯାହା ବର୍ତ୍ତମାନ ରେଟିନାରେ ପରିଣତ ହେଲା। ସେଭଳି ମଝିରେ ଥିବା ଆଖି ହୋଇଯାଇଥିଲା ‘ପିନିଆଲ ଗ୍ଲାଣ୍ଡ’।

ଆଜିର ସମୟରେ ‘ପିନିଆଲ ଗ୍ଲାଣ୍ଡ’ ଆମ ମସ୍ତିଷ୍କର ମଧ୍ୟଭାଗରେ ଅବସ୍ଥିତ ଏକ ଛୋଟ ଅଙ୍ଗ। ଏହା ସିଧାସଳଖ ଆଲୋକକୁ ଅନୁଭବ କରେ ନାହିଁ, କିନ୍ତୁ ଆମ ଉଭୟ ଆଖିରୁ ଆଲୋକ ଏବଂ ଅନ୍ଧାର ବିଷୟରେ ଜାଣିପାରିଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ହେଉଛି ଏହା ମେଲାଟୋନିନ୍ ନାମକ ଏକ ହରମୋନ୍ ତିଆରି କରିଥାଏ। ଯେତେବେଳ ରାତି ହୁଏ ‘ପିନିଆଲ ଗ୍ଲାଣ୍ଡ’ ମେଲାଟୋନିନ୍ ଛାଡିଥାଏ, ଯାହା ଶରୀରକୁ ଶୋଇବାର ସମୟ ଜଣାଏ। ଏହା ଆମର ‘ସର୍କାଡିଆନ୍ ରିଦମ୍’କୁ ନିୟନ୍ତ୍ରଣ କରେ। ଏହା କେବଳ ନିଦକୁ ନୁହେଁ ବରଂ ପ୍ରଜନନ ପ୍ରଣାଳୀ, ରୋଗ ପ୍ରତିରୋଧକ ଶକ୍ତି, ମନୋଭାବ ଏବଂ ଶରୀରର ତାପମାତ୍ରାକୁ ମଧ୍ୟ ପ୍ରଭାବିତ କରେ। ଦିନରେ, କମ୍ ମାତ୍ରରେ ଏହି ହରମୋନ୍ କ୍ଷରଣ ହେବାଦ୍ବାରା ଆମକୁ ଜାଗ୍ରତ ରହିବାରେ ସାହାଯ୍ୟ କରିଥାଏ। ଯଦି କୌଣସି ବ୍ୟକ୍ତିର ମସ୍ତିଷ୍କରେ ଏହି ଗ୍ଲାଣ୍ଡ ଆକ୍ଟିଭ ହୁଏ, ତେବେ ତାଙ୍କର ଉତ୍ସୁକତା ମେଡିଟେସନ୍ ବା ପ୍ରାଣାୟମରେ ବଢିଯାଏ।

ପୌରାଣିକ କଥା ଅନୁସାରେ, ମାନବ ଭ୍ରୁଣରେ ଏହି ଗ୍ଲାଣ୍ଡ ୪୯ ଦିନ ପରେ ଗଠନ ହେବା ଆରମ୍ଭ କରେ। ତିବ୍ବତୀୟ ବୌଦ୍ଧ ଧର୍ମାବଲମ୍ବୀମାନେ ବିଶ୍ୱାସ କରନ୍ତି ଯେ ୪୯ ଦିନ ମଧ୍ୟରେ ମାନବ ଆତ୍ମା ଗୋଟିଏ ଶରୀରରୁ ଅନ୍ୟ ଶରୀରକୁ ଯାଏ। ବୈଜ୍ଞାନିକଙ୍କ ମତରେ ପୁରୁଣା ଅଙ୍ଗ ପ୍ରାୟତଃ କ୍ଷୟ ହୋଇ ପିନିଆଲ ଗ୍ଲାଣ୍ଡ’ ରେ ପରିଣତ ହୁଏ। ଏହାର ଅର୍ଥ କିଛି ପୁରୁଣା ସଂରଞ୍ଚନା ସମ୍ପୂର୍ଣ୍ଣ ଭାବରେ ଲୋପ ପାଏନି। ନୂତନ ରୂପରେ ଆମ ଶରୀରରେ ତିଆରି ହୁଏ। ଏହାର ଉଦାହରଣ ହେଉଛି ‘ପିନିଆଲ ଗ୍ଲାଣ୍ଡ’। ଯାହାକି କେବଳ ଏକ ଗ୍ଲାଣ୍ଡ ନୁହେଁ , ଆମ ସହ ଜଡିତ ୫୦ କୋଟି ବର୍ଷ ପୁରୁଣା କାହାଣୀର ଜୀବିତ ପ୍ରମାଣ।

ଆହୁରି ପଢନ୍ତୁ : କରୋନା ସମୟରେ ଖାଇଥିଲେ କି ଏହି ଔଷଧ ? ଏବେ ଖରାପ ହୋଇପାରେ ହିପ୍ ବୋନ୍, ଡାକ୍ତରମାନେ କଲେ ସତର୍କ