କୋଲକାତା, ୨୧।୫: ପଶ୍ଚିମବଙ୍ଗରେ ଖୋଲା ସ୍ଥାନରେ ନମାଜ ପାଠ ଏବଂ ବଳି ପ୍ରଥାକୁ ନେଇ ରାଜନୀତି ଏବେ ସରଗରମ ହୋଇଛି । ଆମ ଜନତା ଉନ୍ନୟନ ପାର୍ଟିର ଅଧ୍ୟକ୍ଷ ହୁମାୟୁନ କବୀର ଏହି ପ୍ରସଙ୍ଗରେ ବିଜେପି ଏବଂ ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି । ମୁସଲିମ୍ ସମ୍ପ୍ରଦାୟ ବଳି ପ୍ରସଙ୍ଗରେ କୌଣସି ପରିସ୍ଥିତିରେ ବି ବୁଝାମଣା କରିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

'ନିଆଁ ସହ ଖେଳନାହିଁ' – ହୁମାୟୁନ କବୀର

ନ୍ୟୁଜ୍ ଏଜେନ୍ସି 'IANS' ସହ ଆଲୋଚନା ବେଳେ ହୁମାୟୁନ କବୀର କହିଛନ୍ତି, "ସମ୍ବିଧାନକୁ ସମ୍ମାନ ଦେବା ଉଚିତ୍, କିନ୍ତୁ ବଳି ତ ନିଶ୍ଚୟ ହେବ । ଗାଈ ହେଉ, ବୋଦା ହେଉ କିମ୍ବା ଓଟ - ବଳି ପାଇଁ ଧର୍ମଶାସ୍ତ୍ର ଅନୁଯାୟୀ ଯେଉଁ ସବୁ ପଶୁ ବୈଧ, ସେମାନଙ୍କର ବଳି ପକାଯିବ । ମୁଁ ବିଜେପି ନେତାଙ୍କୁ ସତର୍କ କରାଇ ଦେଉଛି । ଶୁଭେନ୍ଦୁ ଅଧିକାରୀଙ୍କୁ ମୁଁ ସିଧାସଳଖ କହୁଛି ଯେ ସେ ନିଆଁ ସହ ଖେଳନ୍ତୁ ନାହିଁ ।" ସେ ଆହୁରି ମଧ୍ୟ ଚେତାବନୀ ଦେଇ କହିଛନ୍ତି ଯେ ଯଦି ସେମାନେ ବଳି ଉପରେ ରୋକ୍ ଲଗାଇବାକୁ ଚେଷ୍ଟା କରନ୍ତି, ତେବେ ଏହା ସେମାନଙ୍କ ପାଇଁ ହିଁ ଅସୁବିଧା ସୃଷ୍ଟି କରିବ । ମୁସଲିମ୍ ସମ୍ପ୍ରଦାୟ ନିଜର ଏହି ପରମ୍ପରାକୁ ନେଇ କଦାପି ପଛଘୁଞ୍ଚା ଦେବେ ନାହିଁ ।

ବିଫ୍ ରପ୍ତାନି ଓ ସ୍ଲଟର ହାଉସକୁ ନେଇ ଉଠିଲା ପ୍ରଶ୍ନ:

ଆଲୋଚନା ବେଳେ ହୁମାୟୁନ କବୀର ଦାବି କରିଛନ୍ତି ଯେ “ପ୍ରାୟ ୩୭ ପ୍ରତିଶତରୁ ଅଧିକ ମୁସଲମାନ ଗୋମାଂସ ଖାଇଥାନ୍ତି । ଯଦି ସରକାର ଏହାକୁ ବନ୍ଦ କରିବାକୁ ଚାହୁଁଛନ୍ତି, ତେବେ ସର୍ବପ୍ରଥମେ କଂସେଇଖାନାଗୁଡ଼ିକୁ ବନ୍ଦ କରାଯାଉ, ଯାହାକୁ ସରକାର ନିଜେ ଲାଇସେନ୍ସ ଦେଇଛନ୍ତି । ଭାରତ ସରକାର ବିଦେଶକୁ ଗୋମାଂସ ରପ୍ତାନି କରି ବେଶ୍ ପଇସା ରୋଜଗାର କରୁଛନ୍ତି; କ’ଣ ସରକାର ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିପାରିବେ ?” ବୋଲି ସେ ପ୍ରଶ୍ନ କରିଛନ୍ତି ।

​​​​​​​ରାସ୍ତାରେ ନମାଜ ପାଠକୁ ନେଇ ବିବାଦ:

ରାସ୍ତା କଡ଼ରେ କିମ୍ବା ଖୋଲା ସ୍ଥାନରେ ନମାଜ ପାଠ କରିବା ନେଇ କବୀର କହିଛନ୍ତି, "ଇଦ୍ ନମାଜ ପାଇଁ ସରକାର ଆମକୁ ବଡ଼ ପଡ଼ିଆ କିମ୍ବା ପର୍ଯ୍ୟାପ୍ତ ସ୍ଥାନ ଯୋଗାଇ ଦେବା ଉଚିତ୍ । ଯଦି ସରକାର ପଡ଼ିଆର ବ୍ୟବସ୍ଥା ନକରିବେ, ତେବେ ଲୋକେ ବାଧ୍ୟ ହୋଇ ରାସ୍ତାରେ ନମାଜ ପଢ଼ିବେ ।" ଅନ୍ୟପଟେ ରାସ୍ତାରେ ନମାଜ ପାଠକୁ ବିରୋଧ କରି ବିଜେପି ନେତାମାନେ କହିଛନ୍ତି ଯେ ଏହି ଲଢ଼େଇ କୌଣସି ନିର୍ଦ୍ଦିଷ୍ଟ ଧର୍ମ ବିରୋଧରେ ନୁହେଁ । ବିଜେପି ଯୁକ୍ତି ବାଢ଼ିଛି ଯେ ୟୁଏଇ (UAE), ସାଉଦି ଆରବ କିମ୍ବା ଇରାନ ଭଳି ପ୍ରମୁଖ ଇସଲାମିକ ଦେଶଗୁଡ଼ିକରେ ମଧ୍ୟ ରାସ୍ତାରେ ନମାଜ ପାଠ କରିବା ଉପରେ କଟକଣା ରହିଛି । ତେଣୁ ଏହାକୁ ଧାର୍ମିକ ଦୃଷ୍ଟିକୋଣରୁ ନ ଦେଖି ସାଧାରଣ ଶୃଙ୍ଖଳା ହିସାବରେ ଦେଖାଯିବା ଦରକାର ।

ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ କଡ଼ା ନୋଟିସ୍:

ଏହି ସବୁ ବିବାଦ ମଧ୍ୟରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଏକ ସାର୍ବଜନୀନ ବିଜ୍ଞପ୍ତି ଜାରି କରାଯାଇଛି । ଆଗାମୀ ବକ୍ରିଇଦ୍ ପର୍ବ ପୂର୍ବରୁ ଜାରି ହୋଇଥିବା ଏହି ନୋଟିସରେ କୁହାଯାଇଛି ଯେ, କୌଣସି ବି ବଳଦ, ବାଛୁରୀ, ଗାଈ କିମ୍ବା ମଇଁଷିକୁ ବିନା 'ଫିଟନେସ୍ ସାର୍ଟିଫିକେଟ୍'ରେ ବଳି ଦିଆଯାଇପାରିବ ନାହିଁ । ଏହି ସାର୍ଟିଫିକେଟରେ ଦୁଇଜଣ ସରକାରୀ ପ୍ରାଧିକୃତ ଅଧିକାରୀଙ୍କ ସ୍ଵାକ୍ଷର ରହିବା ଜରୁରୀ । ଯଦି କେହି ଏହି ନିୟମର ଉଲ୍ଲଂଘନ କରନ୍ତି, ତେବେ ଏହାକୁ ଅପରାଧ ଭାବେ ଗ୍ରହଣ କରାଯିବ । ଏଥିପାଇଁ ୬ ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଏବଂ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯିବାର ପ୍ରାବଧାନ ରହିଛି । ପର୍ବପର୍ବାଣୀ ପୂର୍ବରୁ ପଶ୍ଚିମବଙ୍ଗର ଏହି ଆଇନଗତ କଟକଣା ଏବଂ ରାଜନୈତିକ ବୟାନବାଜି ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଆହୁରି ପଢ଼ନ୍ତୁ... Suvendu Adhikari: ଶୁଭେନ୍ଦୁ ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ ସବୁ ମଦ୍ରାସାରେ ‘ବନ୍ଦେ ମାତରମ୍’ ବାଧ୍ୟତାମୂଳକ !