ଫିରିଙ୍ଗିଆ, ୨୭/୫: କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଦୀର୍ଘ ୪୦ ବର୍ଷ ହେବ ୨ଟି ବିରାଟ ଗଛ ରହିଛି। ତା’ମଧ୍ୟରୁ ଗୋଟିଏ ଆମ୍ବ ଗଛ ହୋଇଥିବା ବେଳେ ଓ ଅନ୍ୟଟି ଶିମିଳି ଗଛ ବୋଲି ଜଣାପଡିଛି। ତେବେ ଏହି ଗଛ ଦ୍ୱୟରେ ଶତାଧିକ ବାଘୁଆ ମହୁମାଛି ଫେଣା କରି ରହିଛନ୍ତି l ବିଭିନ୍ନ ସମୟରେ ଏହି ବିଦ୍ୟାଳୟରେ ମହୁ ମାଛି ଆକ୍ରମଣର ଶିକାର ଛାତ୍ରଛାତ୍ରୀଙ୍କ ସହ ଅନ୍ତେବାସୀ ଏବଂ ଶିକ୍ଷକ ମାନେ ହୋଇଥିବା ଜଣାପଡିଛି।
ଏନେଇ ବାରମ୍ବାର ବିଦ୍ୟାଳୟ କର୍ତୃପକ୍ଷ ଗଛ କାଟିବା ପାଇଁ ବିଭାଗୀୟ ଅଧିକାରୀ ଏବଂ ବନ ବିଭାଗକୁ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ ଗୁରୁତ୍ୱ ଦେଉନାହାନ୍ତି ବନ ବିଭାଗ ଅଧିକାରୀ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳ ଏବଂ ଅଭିଭାବକ ମହଲରେ ତୀବ୍ର ଜନ ଅସନ୍ତୋଷ ଦେଖା ଦେଇଛି l ବିଦ୍ୟାଳୟରେ ୨ ମହଲା ବିଶିଷ୍ଠ କୋଠା ରହିଛି ଏଥି ସହିତ ଛାତ୍ର ଏବଂ ଛାତ୍ରୀ ମାନଙ୍କ ପାଇଁ ହଷ୍ଟେଲ ବ୍ୟବସ୍ଥା ମଧ୍ୟ ରହିଛି l ୬ ଶହରୁ ଅଧିକ ଛାତ୍ରଛାତ୍ରୀଙ୍କ ସହ ବିଦ୍ୟାଳୟରେ ଅନ୍ତେବାସୀ ରହୁଥିବା ବେଳେ ମହୁ ମାଛି ବିଦ୍ୟାଳୟର ମୁଖ୍ୟ ସମସ୍ୟା ପାଲଟିଛି l ବର୍ତ୍ତମାନ ବିଦ୍ୟାଳୟ ଛୁଟି ରହିଥିବା ବେଳେ ବିଦ୍ୟାଳୟ ପରିସରରେ ଥିବା ବିରାଟ ଆମ୍ବ ଗଛ ଓ ବିରାଟ ସିମୁଳି ଗଛକୁ ବନ ବିଭାଗ ତରଫରୁ କାଟିବା ବ୍ୟବସ୍ଥା କଲେ ଏହି ସମସ୍ୟା ଦୁର ହେବା ସହ ଆଗାମୀ ଦିନରେ ଥିବା ମହୁ ମାଛି ଆତଙ୍କ ଦୁର ହେବ ବୋଲି ଅଭିଭାବକ ମାନେ କହିଛନ୍ତି।
ଅନ୍ୟପଟେ ଆଗାମୀ ଦିନରେ ମହୁ ମାଛି ପାଇଁ ନିରୀହ ଛାତ୍ରଛାତ୍ରୀମାନଙ୍କ ଜୀବନ ଅକାଳରେ ଚାଲି ନଯିବ ବୋଲି କହି ହେବ ନାହିଁ। ସ୍କୁଲ ଶିକ୍ଷକ ହେଡ୍ ମାଷ୍ଟର ରମେଶ ଚନ୍ଦ୍ର ସାହୁ ବାରମ୍ୱାର ଏନେଇ ବନବିଭାଗକୁ ପତ୍ର ଲେଖିଛନ୍ତି। ତେଣୁ ଏହାକୁ ଗୁରୁତ୍ୱ ଦେଇ ପ୍ରଶାସନ ଏବଂ ବନବିଭାଗ ଏଥି ପ୍ରତି ଦୃଷ୍ଟି ଦେଇ ବିଦ୍ୟାଳୟ ପରିସରରୁ ୨ଟି ଗଛ କାଟିବାକୁ ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ ଓ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଛନ୍ତି l