ନୂଆଦିଲ୍ଲୀ: ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅର୍ଥାତ CA ର ଫଳାଫଳ ଗୁରବାର (ଡିସେମ୍ବର ୨୬) ରେ ପ୍ରକାଶ ପାଇଛି, ଯେଉଁଥିରେ ମୋଟ ୧୧୫୦୦ ପ୍ରାର୍ଥୀ ସଫଳତା ହାସଲ କରିଛନ୍ତି। ଏଥର ଦୁଇଜଣ ପ୍ରାର୍ଥୀ ସମାନ ସ୍ଥାନରେ ପରୀକ୍ଷାରେ ଶୀର୍ଷରେ ରହିଛନ୍ତି। ହାଇଦ୍ରାବାଦର ହେରମ୍ବ ମାହେଶ୍ୱରୀ ଏବଂ ତିରୁପତିର ଋଷଭ ଓଷ୍ଟୱାଲ ଆର ମିଳିତ ଭାବେ ମୋଟ ୫୦୮ ମାର୍କ ଅର୍ଥାତ୍ ୮୪.୬୭ପ୍ରତିଶତ ରଖି ସଂଯୁକ୍ତ ଭାବରେ ଅଲ୍ ଇଣ୍ଡିଆ ପ୍ରଥମ ମାନ୍ୟତା ହାସଲ କରିଛନ୍ତି। ଏତିକି ନୁହେଁ ଦୁଇ ଜଣ ଛାତ୍ରୀ ଦ୍ୱିତୀୟ ଏବଂ ତୃତୀୟ ମାନ୍ୟତା ପାଇଛନ୍ତି। ଏବେ ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା…

ରିୟା କୁଞ୍ଜାନ କୁମାର ଶାହା CA ଫାଇନାଲ୍ ନଭେମ୍ବର ପରୀକ୍ଷା ୨୦୨୪ ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ସେ ଗୁଜରାଟର ଅହମ୍ମଦାବାଦର ବାସିନ୍ଦା । ଏହି ପରୀକ୍ଷାରେ ସେ ସମୁଦାୟ ୫୦୧ ଅର୍ଥାତ୍ ୮୩.୫୦ ପ୍ରତିଶତ ମାର୍କ ପାଇଛନ୍ତି । ପଶ୍ଚିମବଙ୍ଗ କୋଲକାତାର କିଞ୍ଜଲ ଅଜମେରା CA ପରୀକ୍ଷାରେ ତୃତୀୟ ସ୍ଥାନ ହାସଲ କରିଛନ୍ତି। ସେ ପରୀକ୍ଷାରେ ସମୁଦାୟ ୪୯୩ ଅର୍ଥାତ୍ ୮୨.୧୭ ପ୍ରତିଶତ ମାର୍କ ପାଇଛନ୍ତି। 

CA ଫାଇନାଲ୍ ନଭେମ୍ବର ପରୀକ୍ଷା ଗ୍ରୁପ୍ ୧ ରେ ମୋଟ ୬୬୯୮୭ ପ୍ରାର୍ଥୀ ଉପସ୍ଥିତ ହୋଇଥିଲେ, ସେଥିମଧ୍ୟରୁ ୧୧୨୫୩ ଜଣ ପ୍ରାର୍ଥୀ ପାସ୍ କରିଛନ୍ତି, ଅର୍ଥାତ୍ ଏହି ଗ୍ରୁପରେ ପାସ୍ ହାର ୧୬.୮ ପ୍ରତିଶତ ଥିଲା । ଗ୍ରୁପ୍ ୨ ରେ ମୋଟ ୪୯୪୫୯ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ ଏବଂ ୧୦୫୬୬ ପ୍ରାର୍ଥୀ ପାସ୍ କରିଛନ୍ତି, ଅର୍ଥାତ୍ ଏହି ଗ୍ରୁପରେ ପାସ୍ ହାର ୨୧.୩୬ ପ୍ରତିଶତ ରହିଛି । ସେହିଭଳି ଏହି ଉଭୟ ଗ୍ରୁପର ପରୀକ୍ଷା ପାଇଁ ମୋଟ ୩୦୭୬୩ ପ୍ରାର୍ଥୀ ହାଜର ହୋଇଥିଲେ, ସେଥିମଧ୍ୟରୁ ୪୧୩୪ ଜଣ ପ୍ରାର୍ଥୀ ପାସ୍ କରିଛନ୍ତି ଅର୍ଥାତ ପାସ୍ ହାର ୧୩.୪୪ ପ୍ରତିଶତ ରହିଛି।