ନୂଆଦିଲ୍ଲୀ, ୨୨/୧୨: ଚାମ୍ପିଅନ୍ସ ଟ୍ରଫି ହାଇବ୍ରିଡ୍‌ ମଡେଲରେ ଆୟୋଜିତ ହେବା ନେଇ ଗତ ୧୯ ତାରିଖରେ ଆଇସିସି ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । କିନ୍ତୁ ଏ ପର୍ଯ୍ୟନ୍ତ ଅଫିସିଆଲ ଭାବେ କ୍ରୀଡ଼ାସୂଚୀ ଘୋଷଣା ହୋଇ ନାହିଁ । ମାତ୍ର ଏକ  ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ସୂଚୀ ସଂପର୍କରେ  ଜଣା ପଡ଼ିଛି । ଭାରତ-ପାକିସ୍ତାନ ମ୍ୟାଚ୍‌ ଫେବ୍ରୁଆରୀ ୨୩ ତାରିଖରେ ଖେଳାଯିବ । ଏହି ମ୍ୟାଚ୍‌ ଦୁବାଇ ନା  କଲମ୍ବୋରେ ଖେଳାଯିବ ତାହା ରିପୋର୍ଟରେ ଉଲ୍ଲେଖ  କରାଯାଇ ନାହିଁ । 

ଆସନ୍ତା ଫେବ୍ରୁଆରୀ ୧୯ ତାରିଖରୁ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବ । ସୁରକ୍ଷା ଦୃଷ୍ଟିରୁ  ଭାରତୀୟ ଦଳ ପାକିସ୍ତାନ ଗସ୍ତରେ ଯିବ ନାହିଁ । ତେଣୁ  ତା’ର ସମସ୍ତ ମ୍ୟାଚ୍‌ ନିରପେକ୍ଷ ଭେନ୍ୟୁରେ ଖେଳିବ । ଜାତୀୟ ଗଣମାଧ୍ୟମରୁ ଯେଉଁ ସୂଚୀ ଜଣାପଡ଼ିଛି, ଏଥିରେ ଭାରତ ଗ୍ରୁପ୍‌ ଏ’ରେ ପାକିସ୍ତାନ,  ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ସହ ରହିଛି । ସେମିତି  ଗ୍ରୁପ୍‌ ବି’ରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଆଫଗାନିସ୍ତାନ  ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି । 

ଭାରତ ପ୍ରଥମ  ମ୍ୟାଚ୍‌ ଫେବ୍ରୁଆରୀ ୨୦ରେ ବାଂଲାଦେଶ ବିପକ୍ଷରେ  ଖେଳିବ । ସେହିପରି ୨୩ରେ ପାକିସ୍ତାନ ଏବଂ ମାର୍ଚ୍ଚ  ୨ ତାରିଖରେ ନ୍ୟୁଜିଲାଣ୍ଡକୁ ଭେଟିବ । ଫେବ୍ରୁଆରୀ  ୧୯ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ମାର୍ଚ୍ଚ ୯ ତାରିଖରେ  ଶେଷ ହେବ । ଯଦି ଫାଇନାଲରେ ବର୍ଷା ହୁଏତ  ତେବେ ‘ରିଜର୍ଭ ଡେ’ ମଧ୍ୟ ରହିବ ।  

ମାର୍ଚ୍ଚ ୨ ତାରିଖରେ ଗ୍ରୁପ୍‌ ପର୍ଯ୍ୟାୟ ଶେଷ ହେବ ।  ମାର୍ଚ୍ଚ ୪ ଓ ୫ରେ ସେମି ଫାଇନାଲ ଏବଂ ୯ ତାରିଖରେ  ଫାଇନାଲ ଖେଳାଯିବ । ଯଦି ଭାରତ ସେମି ଫାଇନାଲ  ଓ ଫାଇନାଲକୁ ଉନ୍ନୀତ ହୁଏତ ତେବେ ଏହି ଦୁଇ  ମ୍ୟାଚ୍‌ ମଧ୍ୟ ନିରପେକ୍ଷ ଭେନ୍ୟୁରେ ଖେଳାଯିବ । 

କରାଚି, ଲାହୋର ଓ ରାୱଲପିଣ୍ଡିରେ  ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବ ।  କେବଳ ଭାରତକୁ ଛାଡ଼ି ଅନ୍ୟ ସମସ୍ତ ଦଳ ଏହି  ୩ ଭେନ୍ୟୁରେ ଖେଳିବେ । ନିୟମ ଅନୁସାରେ,  ଟୁର୍ଣ୍ଣାମେଣ୍ଟର ୧୦୦ ଦିନ ପୂର୍ବରୁ କ୍ରୀଡ଼ାସୂଚୀ ଘୋଷଣା  ହେବା କଥା । ମାତ୍ର ସୁରକ୍ଷା ଦୃଷ୍ଟିରୁ ଭାରତୀୟ ଦଳ  ପାକିସ୍ତାନ ଗସ୍ତରେ ଯିବ ନାହିଁ ବୋଲି ବିସିସିଆଇ  ମନା କରିବା ପରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ  (ପିସିବି) ଉତ୍‌କ୍ଷିପ୍ତ ହୋଇଥିଲା । ହାଇବ୍ରିଡ  ମଡେଲରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ ନାହିଁ  ବୋଲି ନିଜ ଜିଦ୍‌ରେ ଅଟଳ ରହିଥିଲା ।  

ଚାମ୍ପିଅନ୍ସ ଟ୍ରଫି ହାଇବ୍ରିଡ୍‌ ମଡେଲରେ ଆୟୋଜିତ  ହେବା ସଂପର୍କରେ ଘୋଷଣା କରି ଆଇସିସି ପକ୍ଷରୁ  କୁହାଯାଇଥିଲା, ‘୨୦୨୪ରୁ ୨୦୨୭ ମଧ୍ୟରେ  ପାକିସ୍ତାନ ଏବଂ ଭାରତ ଯେଉଁ ଆଇସିସି ଇଭେଣ୍ଟ  ଆୟୋଜନ କରିବେ ସେହି ଟୁର୍ଣ୍ଣାମେଣ୍ଟରେ ଉଭୟ  ଦଳ ନିରପେକ୍ଷ ଭେନ୍ୟୁରେ ମ୍ୟାଚ୍‌ ଖେଳିବେ ।  ଆସନ୍ତା ଫେବ୍ରୁଆରୀ-ମାର୍ଚ୍ଚରେ ପାକିସ୍ତାନରେ  ଆଇସିସି ଚାମ୍ପିଅନ୍ସ ଟ୍ରଫି, ଭାରତରେ ମହିଳା  ବିଶ୍ୱକପ୍‌-୨୦୨୫, ଭାରତ ଓ ଶ୍ରୀଲଙ୍କାରେ ୨୦୨୬  ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଏବଂ ୨୦୨୮ରେ ପାକିସ୍ତାନରେ  ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଆୟୋଜିତ ହେବ । ଏ  ସମସ୍ତ ଟୁର୍ଣ୍ଣାମେଣ୍ଟରେ ସମାନ ନିୟମ ଲାଗୁ ହେବ ।’