ନୂଆଦିଲ୍ଲୀ,୨୮/୧୨; ଆସନ୍ତା ମାସ ୧୫ ତାରିଖରୁ ଆରମ୍ଭ ହେବ ଆଇସିସି ୧୯ ବର୍ଷରୁ କପ୍ ପୁରୁଷ ଦିନିକିଆ ବିଶ୍ୱକପ୍ । ଏ ନେଇ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଆୟୂଷ ମାହତ୍ରେ ଅଧିନାୟକ ଓ ଭିହାନ ମଲହୋତ୍ରା ଉପ ଅଧିନାୟକ ନିଯୁକ୍ତ ହୋଇଛନ୍ତି । ଏହି ବିଶ୍ୱକପରେ ଭାରତୀୟ ଟିମ୍ ଟ୍ରଫି ହାତେଇବାର ଦାବିଦାର ରହିଛି । ବିଶ୍ୱକପ ସ୍କ୍ୱାଡରେ ବିହାରର ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ସୁଯୋଗ ମିଳିଛି ।
🚨 News 🚨
— BCCI (@BCCI) December 27, 2025
India's U19 squad for South Africa tour and ICC Men’s U19 World Cup announced.
Details▶️https://t.co/z21VRlpvjg#U19WorldCup pic.twitter.com/bL8pkT5Ca2
୧୯ବର୍ଷରୁ କମ୍ ବିଶ୍ୱକପ୍ରେ ଭାରତ ଗ୍ରୁପ୍ ବି’ରେ ସ୍ଥାନ ପାଇଛି । ଏହି ଗ୍ରୁପରେ ଅନ୍ୟ ଦଳ ଭାବେ ନ୍ୟୁଜିଲାଣ୍ଡ, ୟୁଏସଏ ଓ ବାଂଲାଦେଶ ରହିଛନ୍ତି । ଭାରତ ୧୫ ତାରିଖରେ ୟୁଏସଏ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଏହାପରେ ୧୭ ତାରିଖରେ ବାଂଲାଦେଶ ଓ ୨୪ ତାରିଖରେ ନ୍ୟୁଜିଲାଣ୍ଡକୁ ଭେଟିବ । ଯୁବ ବିଶ୍ୱକପରେ ମୋଟ୍ ୧୬ଟି ଦଳ ଭାଗ ନେଉଛନ୍ତି । ସମସ୍ତ ଦଳକୁ ୪ଟି ଗ୍ରୁପ୍ରେ ଭାଗ କରାଯାଇଛି । ପ୍ରତି ଗ୍ରୁପରେ ୪ଟି ଲେଖାଏଁ ଦଳ ସ୍ଥାନ ପାଇଛନ୍ତି । ଆଇସିସି ପୁରୁଷ ଅଣ୍ଡର-୧୯ ବିଶ୍ୱକପ ୨୦୨୬ରେ ଜିମ୍ବାୱେ ଏବଂ ନାମିବିୟା ଆୟୋଜକ ରହିବେ ।
ବିଶ୍ୱକପ୍ ବ୍ୟତୀତ ଦକ୍ଷିଣ ଆଫ୍ରିକା ବିପକ୍ଷ ଏକ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ମଧ୍ୟ ଦଳ ଘୋଷଣା କରାଯାଇଛି । ଭିହାନ ଓ ଆୟୂଷ ଏହି ସିରିଜରେ ଖେଳିବେ ନାହିଁ । ତାଙ୍କ ସ୍ଥାନରେ ବୈଭବ ସୂର୍ଯ୍ୟବଂଶୀ ଅଧିନାୟକ ଓ ଆରନ ଜର୍ଜ ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ । ଜାନୁଆରୀ ୩, ୫ ଓ ୭ ତାରିଖରେ ୩ଟି ଯାକ ଦିନିକିଆ ଖେଳାଯିବ । ଭିହାନ ସମ୍ପ୍ରତି ଆହତ ଅଛନ୍ତି । ମାତ୍ର ବିଶ୍ୱକପ୍ ପୂର୍ବରୁ ସେ ଫିଟ୍ ହୋଇଯିବେ । ସଦ୍ୟ ସମାପ୍ତ ୧୯ ବର୍ଷରୁ କମ ଦିନିକିଆ ଏସିଆ କପରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ହେଲେ ଫାଇନାଲରେ ପାକିସ୍ତାନଠୁ ପରାସ୍ତ ହୋଇଥିଲା । ଉପବିଜେତାରେ ସନ୍ତୁଷ୍ଟ ହୋଇଥିଲା ଭାରତ ।
ଜୁନିୟର ବିଶ୍ୱକପ୍ ଦଳ- ଆୟୂଷ ମାହତ୍ରେ(ଅଧିନାୟକ), ଭିହାନ ମଲହୋତ୍ରା (ଉପ ଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ, ଆରନ ଜର୍ଜ, ବେଦାନ୍ତ ତ୍ରିବେଦୀ, ଅଭିଜ୍ଞାନ କୁଣ୍ଡୁ, ହରବଂଶ ସିଂହ, ଆରଏସ ଆମ୍ବ୍ରିସ, କନିଷ୍କ ଚୌହାନ, ଖିଲାନ ପଟେଲ,ମହମ୍ମଦ ଇନାନ, ହେନିଲ ପଟେଲ, ଦୀପେଶ ଦେବେନ୍ଦ୍ରନ, କିଷନ କୁମାର ସିଂହ, ଉଦ୍ଧବ ମୋହନ ।