ଦୁବାଇ, ୨୫/୦୧: ଆଇସିସି ପକ୍ଷରୁ ୨୦୨୪ ବର୍ଷର ଶ୍ରେଷ୍ଠ ଟେଷ୍ଟ, ଦିନିକିଆ ଏକାଦଶ  ଏବଂ ମହିଳା ଦିନିକିଆ ଏକାଦଶ ଘୋଷଣା ହୋଇଛି । ଟେଷ୍ଟ ଏକାଦଶରେ ଭାରତର ୩ଜଣ ଖେଳାଳି ସ୍ଥାନ  ପାଇଛନ୍ତି । ସେମାନେ ହେଲେ ଓପନର ଯଶସ୍ୱୀ  ଜୈସ୍ୱାଲ, ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏବଂ ପେସ୍‌ ବୋଲର ଯଶପ୍ରୀତ ବୁମରା । ପୁରୁଷ ଦିନିକିଆ ଏକାଦଶରେ କୌଣସି ଭାରତୀୟଙ୍କୁ ସ୍ଥାନ ମିଳିନାହିଁ ।  ମାତ୍ର ମହିଳା ଦିନିକିଆ ଏକାଦଶରେ ଓପନର ସ୍ମୃତି  ମନ୍ଧନା ଓ ଅଲରାଉଣ୍ଡର ଦୀପ୍ତି ଶର୍ମା ସ୍ଥାନ ପାଇଛନ୍ତି । 




ବୁମରା ଗତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜରେ  ୩୨ଟି ୱିକେଟ୍‌ ନେଇ ପ୍ଲେୟାର ଅଫ୍‌ ଦ ସିରିଜ ବିବେଚିତ  ହୋଇଥିଲେ । ସେହିପରି ଜୈସ୍ୱାଲ ଏହି ସିରିଜରେ  ୩୯୧ (୧ଶତକ, ୨ ଅର୍ଦ୍ଧଶତକ) ରନ୍‌ କରିଥିବାବେଳେ  ଜାଡେଜା ୧୩୫ ରନ୍‌ କରିବା ସହ ୪ ୱିକେଟ୍‌ ହାସଲ  କରିଥିଲେ । ଚଳିତ ଡବ୍ଲ୍ୟୁଟିସି ଚକ୍ର (୨୦୨୩-୨୫) ରେ ବୁମରା ସର୍ବାଧିକ ୭୭ଟି ୱିକେଟ୍‌ ନେଇଛନ୍ତି ।  ଜୈସ୍ୱାଲ ୫୨.୮୮ ଆଭରେଜରେ ମୋଟ ୧୭୯୮ରନ୍‌  ସଂଗ୍ରହ କରିଛନ୍ତି । ଅଷ୍ଟ୍ରେଲିଆର ପ୍ୟାଟ୍‌ କମିନ୍ସଙ୍କୁ  ଟେଷ୍ଟ ଏକାଦଶର ଅଧିନାୟକ ମନୋନୀତ କରାଯାଇଛି । 




ପୁରୁଷ ଟେଷ୍ଟ ଏକାଦଶ: ପ୍ୟାଟ୍‌ କମିନ୍ସ (ଅଧିନାୟକ), ଯଶସ୍ୱୀ  ଜୈସ୍ୱାଲ, ବେନ୍‌ ଡକେଟ, କେନ୍‌ ୱିଲିୟମସନ୍‌, ଜୋ  ରୁଟ୍‌, ହ୍ୟାରୀ ବ୍ରୁକ୍‌, କାମିଣ୍ଡୁ ମେଣ୍ଡିସ୍‌, ଜାମି ସ୍ମିଥ୍‌,  ରବୀନ୍ଦ୍ର ଜାଡେଜା, ମାଟ୍‌ ହେନରୀ, ଯଶପ୍ରୀତ ବୁମରା । 

ମହିଳା ଦିନିକିଆ ଏକାଦଶ: ସ୍ମୃତି ମନ୍ଧନା, ଲାଉରା ଉଲଭାର୍ଟ  (ଅଧିନାୟିକା), ଚମାରୀ ଆଟାପଟୁ, ହେଲି ମାଥ୍ୟୁସ,  ମାରିଜନେ କାପ୍‌, ଆସଲି ଗାର୍ଡନର, ଆନାବେଲ ସୁଦରଲାଣ୍ଡ,  ଆମି ଜୋନ୍ସ, ଦୀପ୍ତି ଶର୍ମା, ସୋଫି ଏକ୍ଲେଷ୍ଟୋନ୍‌, କେଟ କ୍ରସ୍‌ ।