ଦୁବାଇ,୧୯/୧୦: ଚଳିତ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ପରସ୍ପରକୁ  ଭେଟିବେ । ଶୁକ୍ରବାର ଅନୁଷ୍ଠିତ ଦ୍ୱିତୀୟ ସେମି ଫାଇନାଲ୍‌ରେ  ନ୍ୟୁଜିଲାଣ୍ଡ ୮ ରନ୍‌ରେ ୱେଷ୍ଟ ଇଣ୍ଡିଜ୍‌କୁ ହରାଇ ତୃତୀୟ ଥର  ପାଇଁ ଫାଇନାଲ୍‌ରେ ପ୍ରବେଶ କରିଛି । ପୂର୍ବରୁ ଦଳ ୨୦୦୯ ଓ  ୨୦୧୦ରେ ଫାଇନାଲ୍‌ ଖେଳିଥିଲା ଓ ରନର୍ସ ଅପ୍‌ରେ ସନ୍ତୁଷ୍ଟ  ହୋଇଥିଲା । ପ୍ରଥମ ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା ୮  ୱିକେଟ୍‌ରେ ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା ।  

ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ  ୯ୱିକେଟ୍‌ ହରାଇ ୧୨୮ ରନ୍‌ ସଂଗ୍ରହ କରିଥିଲା ।  ଦଳ ପକ୍ଷରୁ ଜର୍ଜିୟା ପ୍ଲିମର ୩୩, ସୁଜି ବେଟ୍ସ ୨୬,  ଇସାବେଲା ଗେଜ ଅପରାଜିତ ୨୦, ବ୍ରୁକ୍‌ ହାଲିଡେ  ୧୮ ଓ ସୋଫି ଡିଭାଇନ୍‌ ୧୨ ରନ୍‌ କରିଥିଲେ । ୱେଷ୍ଟ  ଇଣ୍ଡିଜ୍‌ ପକ୍ଷରୁ ଡିଣ୍ଡ୍ରା ଡଟିନ୍‌ ୪ଟି ୱିକେଟ୍‌ ନେଇଥିଲେ ।  ଜବାବରେ ୱେଷ୍ଟ ଇଣ୍ଡିଜ୍‌ ୮ୱିକେଟ୍‌ ହରାଇ ୧୨୦  ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଡଟିନ୍‌  ସର୍ବାଧିକ ୩୩ ରନ୍‌ କରିଥିବାବେଳେ ଆଫି ଫ୍ଲେଚର  ଅପରାଜିତ ୧୭, ହେଲି ମାଥ୍ୟୁସ ୧୫, କ୍ୱିଆନ ଜୋଶେଫ  ୧୨, ଷ୍ଟିଫାନି ଟେଲର ୧୩ ଓ ଜାଇଦା ଜେମ୍ସ ୧୪ ରନ୍‌ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଏଡେନ କାର୍ସନ ୩ଟି  ଓ ଆମେଲିଆ କେର ୨ଟି ୱିକେଟ୍‌ ନେଇଥିଲେ ।