ତେଲ ଅଭିଭ୍‌ : ଇସ୍ରାଏଲ ପୁଣି ଥରେ ନିର୍ଦ୍ଦୋଷ ଫିଲିସ୍ତିନୀଙ୍କ ଉପରେ ଖେଳାଇଛି ଆତଙ୍କ। ୭ ମାସରେ ୮ଥର ଇସ୍ରାଏଲ ମଧ୍ୟ -ଗାଜାର ଅଲ-ଅକ୍ସା ହସ୍ପିଟାଲରେ ବୋମାମାଡ଼ କରିଛି। ଏହି ହମଲାରେ ପାଖାପାଖି ୩ଜଣ ଲୋକଙ୍କ ଜୀବନ ଯାଇଛି, ଜଣେ ସ୍ଥାନୀୟ ସାମ୍ୱାଦିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହିପରି ଗତ ୨୪ ଘଣ୍ଟାରେ ୪୭ ଫିଲିସ୍ତିନୀଙ୍କ ଜୀବନ ଚାଲି ଯାଇଥିବା ବେଳେ ଶହ ଶହ ଲୋକେ ଆହତ ହୋଇଛନ୍ତି।

ଗାଜାରେ ଦୀର ଅଲ ବଲାହରେ ଥିବା ଅଲ-ଅକ୍ସା ହସ୍ପିଟାଲର ଜରୁରିକାଳୀନ କୋଠାର  ବାହାରେ ହୋଇଥିବା ଏହି ହମଲା ପରେ, ଲୋକେ ଭୟରେ ଏପଟ ସେପଟ ପଳାଉ ଥିଲେ, ସେଠାରେ ଏହି ସମୟରେ ଇସ୍ରାଏଲୀୟ ହେଲିକପ୍ଟର ଉପରୁ ଗୁଳି ଚାଳନା କରିଯାଇ ଥିଲା।  ଇସ୍ରାଏଲ ସେନାର ବିମାନ ଏଠାରେ ବିସ୍ଥାପିତ ଲୋକଙ୍କୁ ଶରଣ ଦେଇଥିବା ଏକ ତମ୍ୱକୁ ମଧ୍ୟ ଟାର୍ଗେଟ୍‌ କରିଥିଲା। ଏଥିରେ ଦୁଇ ଜଣ ଫିଲିସ୍ତିନୀୟଙ୍କ ମୃତ୍ୟୁ ହୋଇଛି।

ଏହି ହମଲା ପରେ ଇସ୍ରାଏଲୀୟ ସେନା ଏକ ବୟାନ ଜାରି କରି କହିଛନ୍ତି କି, ହସ୍ପିଟାଲ ପରିସରରେ ହମାସର ଫାଇଟର ଲୁଚି ରହି ଥିଲେ। ତାଙ୍କୁ ଟାର୍ଗେଟ୍‌ କରି ହମଲା କରାଯାଇ ଥିଲା। ସେଠାରେ ଫିଲିସ୍ତିନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କହିବାନୁସାରେ , ହସ୍ପିଟାଲ ପରିସରରେ ହମାସର କୌଣସି ଯୋଦ୍ଧା ନଥିଲେ। ହମଲା ବେଳେ ରୋଗୀ ଓ ହସ୍ପିଟାଲରେ ଶରଣ ନେଇଥିବା ଲୋକେ ହିଁ ଥିଲେ । ଏହି ଲୋକଙ୍କୁ ହିଁ ଇସ୍ରାଏଲ ଟାର୍ଗେଟ୍‌ କରିଥିଲା। 

ଫିଲିସ୍ତିନୀର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁତାବିକ, ଇସ୍ରାଏଲ ଶନିବାର ଦୀର ଅଲ୍ ବଲାହ ସହ ଗାଜା ପଟ୍ଟିର ଆଉ ଅନେକ ଅଞ୍ଚଳରେ ମଧ୍ୟ ହମଲା କରିଥିଲା, ଯେଉଁଥିରେ ୪୪ ଫିଲିସ୍ତିନୀଙ୍କ ଜୀବନ ଚାଲି ଯାଇଥିଲା, ୮୧ ଜଣ ଆହତ ହୋଇଥିଲେ। ଇସ୍ରାଏଲ ଓ ହମାସ ମଧ୍ୟରେ ସଂଘର୍ଷକୁ ଏକ ବର୍ଷରୁ ଅଧିକ ହୋଇ ସାରିଛି, କିନ୍ତୁ ଗାଜା ପଟ୍ଟିରେ  ଇସ୍ରାଏଲୀୟ ବୋମା ବର୍ଷଣ ଥମିବାର ନାଁ ନେଉ ନାହିଁ। ଏହା ବଢି ଚାଲିଛି ପଛେ , କମୁ ନାହିଁ।

ଶୁକ୍ରବାର ମଧ୍ୟ ଇସ୍ରାଏଲୀୟ ବିମାନ ଗୁଡ଼ିକ ଗାଜା ପଟ୍ଟିର ଅଲଗା ଅଲଗା ଅଞ୍ଚଳରେ ଏୟାର ଷ୍ଟ୍ରାଇକ୍‌ କରିଥିଲା। ଏଥିରେ ୩୯ ଫିଲିସ୍ତୀନୀୟ ମରି ଯାଇ ଥିବା ବେଳେ ୧୨୩ ଆହତ ହୋଇଛନ୍ତି। ନ୍ୟୁଜ୍‌ ଏଜେନ୍ସି  ରୟଟର୍ସ ମୁତାବିକ, ଗାଜା ସିଟିରେ ଫହଦ ଅଲ-ସବା ନାମକ ସ୍କୁଲରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ୫ଜଣ ଫିଲିସ୍ତିନିଙ୍କ ମୃତ୍ୟୁ ହୋଇଛି। ସେଠାରେ ଖାନ ୟୁନିସର ଶରଣାର୍ଥୀ କ୍ୟାମ୍ପରେ ହୋଇଥିବା ହମଲାରେ ୩ଜଣ ଲୋକଙ୍କ ଜୀବନ ଚାଲି ଯାଇଛି।