ପାଟଣାଗଡ଼,୭/୧୨ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନାରେ ଶନିବାର ଜଣେ ନିର୍ଯାତିତା ଆଦିବାସୀ ମହିଳାଙ୍କ ଲିଖିତ ଅଭିଯୋଗକୁ ଲରମ୍ଭା ଥାନାଧିକାରୀ ଫେରାଇଦେଇଥିଲେ । ଯାହାକୁ ନେଇ ମହିଳା ଜଣଙ୍କ ନ୍ୟାୟ ନ ପାଇ ଶନିବାର ସନ୍ଧ୍ୟା ସମୟରେ ବଲାଙ୍ଗିର ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ । ଅଧିକ୍ଷକ ଉପସ୍ଥିତ ନ ଥିବାରୁ ମହିଳା ନ୍ୟାୟ ନ ପାଇ ଫେରି ଆସି ଗଣମାଧ୍ୟମକୁ ଗୁହାରି କରିଥିଲେ ।
ଏ ନେଇ ରବିବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଅପରାହ୍ନ ୩ ଟା ୩୦ସମୟରେ ଲରମ୍ଭା ଥାନାଧିକାରୀ ଭାନୁଶଙ୍କର ଯାଦବଙ୍କ ନେତୃତ୍ବରେ ୫ ଜଣିଆ ଟିମ୍ ନିର୍ଯାତିତା ଆଦିବାସୀ ମହିଳାଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏଥିସହ ଦାଦନ ଦଲାଲ ସୁଲେମାନ ଖାନଙ୍କ ପୁଅ ରୋଶନ ଆଦିବାସୀ ମହିଳାଙ୍କୁ ଜାତିଆଣ ଆକ୍ଷେପ ଓ ଟଣାଓଟରା କରିଥିବା ସ୍ଥାନକୁ ଯାଇ ଅଧିକ ତଦନ୍ତ କରି ଫେରିଯାଇଛନ୍ତି । ଅପରପକ୍ଷରେ ମହିଳା ଜଣଙ୍କ କହିଛନ୍ତି ଯେ, ଆମେ ନିରୀହ ଆଦିବାସୀ ଅଟୁ । ଦାଦନ ଦଲାଲ ରୋଶନ ଆମକୁ ଭୁଆଁ ବୁଲାଇ ସାଢେ ପାଞ୍ଚ ଲକ୍ଷ ଟଙ୍କା ହଡ଼ପ କରି ନେଇଛି । ଏବେ ମାଲିକ ଟଙ୍କା ଫେରେଇବାକୁ ଆମକୁ ବାଧ୍ୟ କରୁଛି । ଏତେ ଟଙ୍କା କଉଠୁ ଆଣିବୁ । ମୋ ପ୍ରତି ରୋଶନ ଜାତିଆଣ ଆକ୍ଷେପ, ଗାଳି ଗୁଲଜ, ମାଡ଼ ପିଟ, ଟଣାଓଟରା କରିଛି । ପୁଲିସ ମୋତେ ନ୍ୟାୟ ଦେଲା ନାହିଁ । ମୋତେ ନ୍ୟାୟ ନ ମିଳିଲେ ମୁଁ ବାଧ୍ୟ ହୋଇ ଏସପି ଅଫିସ ସମ୍ମୁଖରେ ଧାରଣା ଦେବି ବୋଲି କୋହଭରା କଣ୍ଠରେ କହିଛନ୍ତି ।
ଅଭିଯୋଗ ଅନୁସାରେ ଦାବକାନି ଗାଁର ଯଶୋଦା ବରିହାଙ୍କ ସ୍ୱାମୀ ମନୁ ବରିହା ତିନି ବର୍ଷ ହେବ ସିକନ୍ଦରାବାଦ ଅଞ୍ଚଳର ଏକ ଇଟା ଭାଟି ମାଲିକଙ୍କ ପାଖରେ ଟ୍ରାକ୍ଟର ଡ୍ରାଇଭର ଭାବେ କାର୍ଯ୍ୟ କରି ଆସୁଛନ୍ତି । ଏ ବର୍ଷ ମଧ୍ୟ ମନୁ ଉକ୍ତ ଇଟା ଭାଟିକୁ କାମ କରିବାକୁ ଯିବାକୁ ଥିବାବେଳେ ଏ ଅଞ୍ଚଳରୁ କିଛି ଶ୍ରମିକଙ୍କୁ ଆଣିବା ପାଇଁ ମାଲିକ ଜଣେ ଲାଇସେନ୍ସ ପ୍ରାପ୍ତ ଦାଦନ ସର୍ଦ୍ଦାରଙ୍କ ସହ ଯୋଗାଯୋଗ କରି ଆଣିବା ପାଇଁ ମନୁକୁ କହିଥିଲେ । ମନୁ ଦାବକାନି ଗାଁର ଦାଦନ ଦଲାଲ ରୋଶନ ଖାନକୁ ମାଲିକ ସହ ଫୋନ୍ ଯୋଗେ କଥା କରାଇବାରୁ ରୋଶନ ମୋ ଲାଇସେନ୍ସରେ ଶ୍ରମିକଙ୍କୁ ପଠାଇବାକୁ ପ୍ରତିଶ୍ରୁତି ଦେଇଥିଲା । ମାଲିକ ରୋଶନ କଥାକୁ ବିଶ୍ୱାସ କରି ମନୁ, ତା ସ୍ତ୍ରୀ ଓ ଭାଇଙ୍କ ଆକାଉଣ୍ଟରେ ୫ଲକ୍ଷ ୫୦ହଜାର ଟଙ୍କା ପଠାଇଥିଲେ । ଉକ୍ତ ଟଙ୍କା ସବୁତକ କାଢି ମନୁ ଗାଁର ତିନିଜଣଙ୍କ ଉପସ୍ଥିତିରେ ରୋଶନକୁ ଦେଇଥିଲା। ଶ୍ରମିକ ନ ପଠାଇବାରୁ ରୋଶନ ଘରକୁ ଟଙ୍କା ମାଗିବାକୁ ଯାଇଥିବା ସମୟରେ ଯଶୋଦାଙ୍କୁ ଜାତିଆଣ ଆକ୍ଷେପ, ଗାଳିଗୁଲଜ,ଟଣାଓଟରା କରିବାରୁ ଭୟରେ ଘରକୁ ଫେରିଆସି ଲରମ୍ଭା ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଉକ୍ତ ଅଭିଯୋଗକୁ ଲରମ୍ଭା ଥାନାଧିକାରୀ ଫେରାଇଦେବାରୁ ଯଶୋଦା ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ। ଏସପି ନ ଥିବାରୁ ଗଣମାଧ୍ୟମକୁ ନ୍ୟାୟ ଭିକ୍ଷା କରିଥିଲେ।