କଟକ,୦୭/୦୭: ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁକୁ ୩ ଦିନ ବିତିଥିବା ବେଳେ ମୃତ୍ୟୁ ପଛର କାରଣ ଏବେ ମଧ୍ୟ ଅସ୍ପଷ୍ଟ ରହିଛି । ଭିନ୍ନ ଭିନ୍ନ ଦିଗକୁ ନେଇ ପୁଲିସ ତଦନ୍ତ ଜାରି ରହିଛି । ତେବେ ଆର୍ଥିକ କାରବାର ଉପରେ ପୁଲିସ ଅଧିକ ଫୋକସ୍ କରୁଛି । କଟକ ପୁଲିସର ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ କେହି ତାଙ୍କଠାରୁ ଅର୍ଥ ନେଇ ଫେରାଉ ନଥିବା ବା ଠକିଥିବା ବିଷୟ ଏକ କାରଣ ହୋଇପାରେ । ଲାବୋରେଟୋରୀକୁ ପଠାଯାଇଥିବା ତାଙ୍କ ଫୋନ୍‌ର ଏସ୍ଏଫ୍ଏଲ୍ ରିପୋର୍ଟକୁ ପୁଲିସ ଟିମ୍ ଅପେକ୍ଷା କରିଛି । ଏହି କ୍ରମରେ ବିୟୁଟିଙ୍କ ସିଡିଆର୍‌ ଶେଷ କଲ୍ ସ୍ୱାମୀ ସମୀରଙ୍କର ଥିଲା ବୋଲି ଜଣାପଡ଼ିଛି । ଯାହା ପୂର୍ବରୁ ବିୟୁଟିଙ୍କ ସ୍ୱାମୀ ନିଜେ କହିଥିଲେ ।

ସୋମବାର ତଦନ୍ତକାରୀ ଟିମ୍ ବିୟୁଟିଙ୍କ ସମ୍ପର୍କରେ ବିଭିନ୍ନ ଲୋକଙ୍କୁ ପଚରାଉଚରା କରିଛି । ଥାନାର କର୍ମଚାରୀ, କଟକ ପୁଲିସରେ କାର୍ଯ୍ୟରତ ଅନ୍ୟ କିଛି କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି । ବିୟୁଟିଙ୍କ ମୃତ୍ୟୁ ରହସ୍ୟ ଖୋଲିବା ପାଇଁ ଜଣେ ଏଡିସିପି, ଜଣେ ଏସିପି ଓ ଦୁଇ ଜଣ ବରିଷ୍ଠ ଇନ୍ସପେକ୍ଟର ତଦନ୍ତ କରୁଥିବା ଡିସିପି ଖିଲାରି ରିଷିକେଶ ଦ୍ୟାନ୍ଦେଓ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଘଟଣାକୁ ସେ ନିଜେ ତଦାରଖ କରୁଥିବା ଡିସିପି କହିଛନ୍ତି । ତେବେ ବିୟୁଟିଙ୍କ ଦୁଇଟି ଫୋନ୍‌ରୁ ତଥ୍ୟ ବାହାର କରିିବାକୁ ପୁଲିସ ଜୋର୍‌ଦାର ଉଦ୍ୟମ କରୁଛି ।

ସୋମବାର ଏକ ଟିମ୍ ଭୁବନେଶ୍ୱର ଏସ୍ଏଫ୍ଏଲ୍ ଯାଇ ଫୋନ୍‌ର ତଥ୍ୟ ଆଣିବା ପାଇଁ ଉଦ୍ୟମ କରିଛନ୍ତି । ବିୟୁଟିଙ୍କ ଗୋଟିଏ ‘ଆଇଫୋନ୍’ର ଲକ୍ ଖୋଲିବାରେ ସାମାନ୍ୟ ସମସ୍ୟା ହେଉଥିବା ତଦନ୍ତକାରୀ ଟିମ୍ କହିଛି। ସ୍ୱାମୀଙ୍କ ସହ ଶେଷ କଲ୍‌ରେ ବିୟୁଟି କ’ଣ କଥା ହୋଇଥିଲେ ତାହା କଲ୍ ରେକର୍ଡିଂରେ ଥିବା ଅନୁମାନ । ଯଦି ରେକର୍ଡିଂ ମିଳେ ତାହେଲେ କିଛି ଦିଗ ମିଳିପାରେ । ତଦନ୍ତକାରୀ ଟିମ୍ ବିୟୁଟିଙ୍କ ଆର୍ଥିକ କାରବାର, ଦେଣନେଣ ବିଷୟ ବି ଖୋଳତାଡ଼ କରୁଛି । ତାଙ୍କର କିଛି ବ୍ୟାଙ୍କ୍ ଆକାଉଣ୍ଟ୍ ମଧ୍ୟ ଯାଞ୍ଚ୍ ହେଉଛି । ପୁଲିସ ସନ୍ଦେହ କରୁଛି ଯେ, ବିୟୁଟିଙ୍କଠାରୁ କେହି ଟଙ୍କା ନେଇଥିଲା, କିନ୍ତୁ ଫେରାଉ ନଥିଲା । ବା କିଛି ଗୋଟେ କାମ କେହି ଅଧିକ ଟଙ୍କା ଦାବି କରୁଥିଲା । ଏସବୁ ଦିଗର ତଦନ୍ତ ଜାରି ରହିଛି ।

ଅଧିକ ପଢ଼ନ୍ତୁ :-  IIC Death Mystery: ରାତି ୧୦ଟା ୩୫ରେ ଏମିତି କ’ଣ ହେଲା ? ସନ୍ଦେହ ଘେରରେ ବିୟୁଟି ମହାନ୍ତିଙ୍କ ସ୍ୱାମୀଙ୍କ ଶେଷ କଲ, ସିଡିଆର୍ ରିପୋର୍ଟକୁ ଅପେକ୍ଷା

ଅନ୍ୟପଟେ ସୋସିଆଲ୍ ମିଡିଆ ଓ କିଛି ମିଡିଆରେ ବିୟୁଟିଙ୍କ ନାଁରେ ବିଭ୍ରାନ୍ତିକର ବିଷୟ ପ୍ରଚାର କରାଯାଉଥିବାରୁ ସ୍ୱାମୀ ସମୀର ସ୍ୱାଇଁ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହି ଖବର ସଂପର୍କରେ କଟକ ପୁଲିସର ବହୁ ବରିଷ୍ଠ ଅଧିକାରୀଙ୍କୁ ସେ ଫୋନ୍ କରି ପଚାରିଛନ୍ତି । ଏହା ତାଙ୍କୁ ଓ ତାଙ୍କ ପରିବାରକୁ ମାନସିକ ଯନ୍ତ୍ରଣା ଦେଉଥିବା ସମୀର କହିଛନ୍ତି । ଏଭଳି ବିଷୟ ଯେପରି ଗଣମାଧ୍ୟମ ବା ସୋସିଆଲ୍ ମିଡିଆରେ ଆଉ ପ୍ରଚାର ନହେଉ ସେଥିପ୍ରତି ଧ୍ୟାନ ଦେବାକୁ ସେ ଅନୁରୋଧ କରିଛନ୍ତି । ମଙ୍ଗଳବାର ସକାଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବ ଓ ମୃତ୍ୟୁ କେମତି, କେତେବେଳେ ହୋଇଛି ତାହା ସ୍ପଷ୍ଟ ହେବ ବୋଲି କୁହାଯାଉଛି ।