ନୂଆଦିଲ୍ଲୀ ୧୧/୦୩: ଜୟପୁରରେ ରବିବାର ଆୟୋଜିତ ଇଣ୍ଟରନ୍ୟାସନାଲ ଇଣ୍ଡିଆନ୍ ଫିଲ୍ମ ଏକାଡେମୀ (ଆଇଫା) ଆୱାର୍ଡସ୍ ସମାରୋହରେ ବାଜିମାତ୍ କରିଛି ‘ଲାପତା ଲେଡିଜ୍’ । ଶ୍ରେଷ୍ଠ ଫିଲ୍ମ ସହିତ ଏହାକୁ ସର୍ବାଧିକ ୧୦ଟି ପୁରସ୍କାର ମିଳିଛି । ‘ଭୁଲ୍ ଭୁଲୈୟା୩’ରେ ଉଚ୍ଚକୋଟୀର ଅଭିନୟ ଲାଗି ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି କାର୍ତ୍ତିକ ଆର୍ଯ୍ୟନ୍ । ‘ଲାପତା ଲେଡିଜ୍’ ଲାଗି ନିତାଂଶୀ ଗୋୟଲଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର । କିରଣ ରାଓ ଶ୍ରେଷ୍ଠ ନିର୍ଦ୍ଦେଶକ(‘ଲାପତା ଲେଡିଜ୍’) ପୁରସ୍କାର ପାଇଛନ୍ତି । ରବି କିଶନ୍(‘ଲାପତା ଲେଡିଜ୍’)ଙ୍କୁ ଶ୍ରେଷ୍ଠ ସହ-ଅଭିନେତା, ଜାନକୀ ବୋଡିୱାଲାଙ୍କୁ ଶ୍ରେଷ୍ଠ ସହ-ଅଭିନେତ୍ରୀ (‘ଶୈତାନ୍’) ପୁରସ୍କାର ମିଳିଛି ।
ଶ୍ରେଷ୍ଠ ନବାଗତ ଅଭିନେତା ପୁରସ୍କାର ପାଇଛନ୍ତି ଲକ୍ଷ୍ୟ ଲାଲୱାନି(‘କିଲ୍’) । ପ୍ରତିଭା ରାନ୍ତା(‘ଲାପତା ଲେଡିଜ୍’)ଙ୍କୁ ଶ୍ରେଷ୍ଠ ନବାଗତ ଅଭିନେତ୍ରୀ ପୁରସ୍କାର ମିଳିଛି । ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପୁରସ୍କାର ହାତେଇଛନ୍ତି ରାମ ସମ୍ପତ (‘ଲାପତା ଲେଡିଜ୍’) । ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ପୁରସ୍କାର ପାଇଛନ୍ତି ଜୁବିନ ନଟିୟାଲ୍(ଆର୍ଟିକିଲ-୩୭୦) । ଶ୍ରେୟା ଘୋଷାଲ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା(‘ଭୁଲ୍ ଭୁଲୈୟା-୩’) ପୁରସ୍କାର ହାସଲ କରିଛନ୍ତି । ପ୍ରଶାନ୍ତ ପାଣ୍ଡେ ଶ୍ରେଷ୍ଠ ଗୀତିକାର(‘ଲାପତା ଲେଡିଜ୍’) ପୁରସ୍କାର ପାଇଛନ୍ତି । ବିପ୍ଳବ ଗୋସ୍ୱାମୀଙ୍କୁ ଶ୍ରେଷ୍ଠ ମୂଳ କାହାଣୀ (‘ଲାପତା ଲେଡିଜ୍’)ପୁରସ୍କାର ମିଳିଛି । ‘ଲାପତା ଲେଡିଜ୍’ ଲାଗି ଜବିନ ମର୍ଚ୍ଚାଣ୍ଟ ଶ୍ରେଷ୍ଠ ଏଡିଟିଂ ପୁରସ୍କାର ପାଇଛନ୍ତି ।

ସେହିପରି ବୋସ୍କୋ-ସିଜରଙ୍କୁ ଶ୍ରେଷ୍ଠ କୋରିଓଗ୍ରାଫି, ରଫି ମୋହମ୍ମଦଙ୍କୁ ଶ୍ରେଷ୍ଠ ସିନେମାଟୋଗ୍ରାଫି, ସ୍ନେହା ଦେସାଇଙ୍କୁ ଶ୍ରେଷ୍ଠ ସ୍କ୍ରିନ୍ପ୍ଲେ ପୁରସ୍କାର ମିଳିଛି । ‘କିଲ୍’ ଲାଗି ଶ୍ରେଷ୍ଠ ସାଉଣ୍ଡ ଡିଜାଇନ୍ ପୁରସ୍କାର ହାତେଇଛନ୍ତି ସୁବାସ ସାହୁ । ଭାରତୀୟ ସିନେମାରେ ଉତ୍କୃଷ୍ଟ ଉପଲବ୍ଧି ଲାଗି ରାକେଶ ରୋଶନ୍ଙ୍କୁ ପୁରସ୍କୃତ କରାଯାଇଛି । ‘ମଡ୍ଗାଓଁ ଏକ୍ସପ୍ରେସ’ ଲାଗି ଶ୍ରେଷ୍ଠ ଡେବ୍ୟୁ ନିର୍ଦ୍ଦେଶକ ପୁରସ୍କାର ପାଇଛନ୍ତି କୁନାଲ ଖେମୁ । ଏହି ଭବ୍ୟ ସମାରୋହରେ ଫିଲ୍ମ ଜଗତର ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ୱ ସାମିଲ ହୋଇଥିଲେ । ଶାହରୁଖ୍ ଖାନ୍ ଓ ମାଧୁରୀ ଦୀକ୍ଷିତ ‘ଘୋଡେ ଜୈସି ଚାଲ୍, ହାତୀ ଜୈସି ଦୁମ୍’ ଗୀତରେ ନାଚିଥିଲେ । ଏହା ଦୀର୍ଘ ୨୭ ବର୍ଷ ପରେ କୌଣସି ପୁରସ୍କାର ସମାରୋହରେ ସେମାନଙ୍କର ମିଳିତ ନୃତ୍ୟ ପ୍ରଦର୍ଶନ ଥିଲା । ସମାରୋହରେ କ୍ୟାଟ୍ରିନା କୈଫ୍, ରେଖା, କ୍ରିତି ସାନନ୍, ଶାହିଦ କପୁର ପ୍ରମୁଖ ଡ୍ୟାନ୍ସ ନମ୍ବର ପରିବେଷଣ କରିଥିଲେ ।