ମାଲକାନଗିରି, ୧୬/୮ : ସବୁଜ ବିନାନୀ ତୁଳସୀ ପାହାଡ଼ରେ ବେଆଇନ ବ୍ଲାଷ୍ଟିଂ ଘଟଣା। ଗ୍ରାମବାସୀଙ୍କ ବିକ୍ଷୋଭ ପରି ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ। କାହା ନିର୍ଦ୍ଦେଶରେ ପଥର ବ୍ଲାଷ୍ଟିଂ କରା ଯାଉଥିଲା ବୋଲି ସମ୍ପୃକ୍ତ ଠିକାଦାରଙ୍କୁ କାରଣ ଦର୍ଶା ନୋଟିସ୍ ଜାରି କରାଯାଇଛି।
ସୂଚନାନୁଯାୟୀ, ଲାଲଗଡ଼ ଭାବେ ପରିଚିତ ଥିବା ମାଥିଲି ବ୍ଲକ ଟେମୁରପାଲୀ ପଞ୍ଚାୟତର ତୁଳସୀ ପାହାଡ଼ରେ ରାସ୍ତା ନିର୍ମାଣ ନାମରେ ବେଆଇନ ବ୍ଲାଷ୍ଟିଂ କରି ଆନ୍ଧ୍ର କମ୍ପାନୀ କ୍ରସର୍ କରୁଛି। ଗତ ଦୁଇ ଦିନ ହେଲା ଏହି ବ୍ଲାଷ୍ଟିଂ ଚାଲିଥିବାରୁ ପଥର ଖଣ୍ଡ ଗୁଡ଼ିକ ଛିଟିକି ନିକଟସ୍ଥ ଗାଁ ଓ ଚାଷ ଜମିରେ ପଡ଼ୁଛି। ଫଳରେ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସେହିପରି ରାସ୍ତା ତିଆରି ନାଁରେ ହାଇଗ୍ରୀଭା ଠିକା କମ୍ପାନୀ ହଜାର ହଜାର ଗଛ କାଟି ସଫା କରିଦେଇଛି। ଏହାକୁ ବିରୋଧ କରି ତୁଳସୀ ପାହାଡ଼ ଅଞ୍ଚଳର ଗ୍ରାମବାସୀ କ୍ରସର ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଗାଁରେ ଶୋଭାଯାତ୍ରା କରିଥିଲେ। ଗାଁକୁ ରାସ୍ତା ନିର୍ମାଣ ହେଉ କିନ୍ତୁ ବ୍ଲାଷ୍ଟିଂ କରାନଯାଉ ବୋଲି ଦାବି କରିଥିଲେ। ଏନେଇ ଖବର ପାଇବା ପରେ ମାଲକାନଗିରି ଜିଲ୍ଲା ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କାହା ନିର୍ଦ୍ଦେଶରେ ପଥର ବ୍ଲାଷ୍ଟିଂ କରା ଯାଉଥିଲା, ସେ ସମ୍ପର୍କରେ ସମ୍ପୃକ୍ତ ଠିକା କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍ ଜାରି କରା ଯାଇଛି ବୋଲି ଖଣି ଓ ଇସ୍ପାତ ଅଧିକାରୀ ସତ୍ୟେନ୍ଦ୍ର ସରଦାର କହିଛନ୍ତି।