ଭୁବନେଶ୍ୱର,୧୬/୦୪ : ଶିଶୁ ଭବନ ଛକ ଇଲେକ୍ଟ୍ରି ଭେହିକିଲ୍‌ (ଇଭି) ଷ୍ଟେସନରେ ପେଟ୍ରୋଲ ଗାଡି ପାର୍କିଂ ହୋଇଛି । ପ୍ରାୟ ଘଣ୍ଟାଏ କାଳ ଗାଡ଼ି ଠିଆ ହେଲା । ଗୋଟିଏ ନୁହେଁ, ଯୋଡ଼ିଏ ଗାଡ଼ି ଏମିତି ବେଆଇନ ପାର୍କିଂ କରି ଜାଗା ମାଡ଼ି ବସିଲେ । କହିବାରୁ ନାଲି ଆଖି ଦେଖାଇଲେ । ଅନଲାଇନରେ ବୁକିଂ କରି ଚାର୍ଜିଂ କରିବାକୁ ଆସିଥିବା ଇଭି ଗାଡ଼ିଚାଳକଙ୍କୁ ବାଧ୍ୟ ହୋଇ ଫେରିବାକୁ ପଡ଼ିଲା । ରୂପାଲି ଛକରେ ଥିବା ଇଭି ଷ୍ଟେସନରେ ମଧ୍ୟ ସମାନ ସ୍ଥିତି । ପିକ୍‌ ଅପ୍‌ ଗାଡି ପାର୍କିଂ ହୋଇଛି । ଗାଡ଼ି ଉପରେ ଲୋକ ବସିଛନ୍ତି । ଦୀର୍ଘ ସମୟ ଧରି ଗାଡ଼ି ଠିଆ ହୋଇ ରହିଲା । ସେଠିବି ଚାର୍ଜିଂ ନ କରିପାରି ଇଭି ଗାଡ଼ିକୁ ଫେରିବାକୁ ପଡ଼ିଲା । ଭୁବନେଶ୍ୱରେ ଇଭି ଷ୍ଟେସନ ଯେଉଁ ଲକ୍ଷ୍ୟରେ କରାଯାଇଥିଲା ତାହା ସମ୍ପୂର୍ଣ୍ଣ ଦିଗହରା ହୋଇପଡ଼ିଛି । କେଉଁଠି ମନଇଚ୍ଛା ବେଆଇନ୍‌ ପାର୍କିଂ ହେଉଛି ତ ପୁଣି କେତେବେଳେ ବୁଲା ଗୋରୁ ଏବଂ କୁକୁରମାନଙ୍କ ଆଡ୍ଡାସ୍ଥଳୀ ପାଲଟିଛି ।

ଭୁବନେଶ୍ୱରକୁ ପ୍ରଦୂଷଣ ମୁକ୍ତ କରିବାକୁ ଅଣ୍ଟା ଭିଡ଼ିଥିଲେ ରାଜ୍ୟ ସରକାର । ଏନେଇ ଭୁବନେଶ୍ୱରର ପ୍ରମୁଖ ଛକରେ ୨୩ଟି ଇଭି ଷ୍ଟେସନ ନିର୍ମାଣ ହେବାକୁ ଥିବା ବେଳେ ସିଂହ ଭାଗ କାମ ସରିଲାଣି । ସେଥିମଧ୍ୟରେ ଭୁବନେଶ୍ୱରର ଉତ୍ତର ଜୋନରେ ୮ଟି ଷ୍ଟେସନ, ଦକ୍ଷିଣ-ପଶ୍ଚିମ ଜୋନର ୫ଟି ଷ୍ଟେସନ ଏବଂ ଦକ୍ଷିଣ-ପୂର୍ବ ଜୋନ୍‌ରେ ୭ ଜାଗାରେ ଏହି ଇଭି ଷ୍ଟେସନ ନିର୍ମାଣ ହୋଇଛି । ରାଜଧାନୀରେ ଏକ ଘରୋଇ କମ୍ପାନିକୁ ଏହି ଇଭି ଷ୍ଟେସନ ନିର୍ମାଣ ସହ ପରିଚାଳନା ଦାୟିତ୍ୱ ମିଳିଛି । ପ୍ରତି ଇଭି ଷ୍ଟେସନ ପାଇଁ ୪୦୦ ବର୍ଗ ଫୁଟର ଜାଗା ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି । ଘରୋଇ କମ୍ପାନି ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହି ସୋଲାର ସେଲ ଇଭି ଷ୍ଟେସନ ନିର୍ମାଣ କରିଛି । ଗାଡ଼ି ଚାର୍ଜ କରିବାକୁ ହେଲେ ଜଣେ ବ୍ୟକ୍ତି ଅନଲାଇନରେ ସ୍ଲଟ ବୁକିଂ କରିବେ । ଦେୟ ପରିଶୋଧ ପରେ ଏଠାରେ ଚାର୍ଜିଂ କରିବାର ସୁବିଧା ମିଳିବ । ହେଲେ ଦୁର୍ଭାଗ୍ୟର କଥା, ସ୍ଲଟ ବୁକିଂ ପରେ ବି ଗାଡି ଚାର୍ଜିଂ କରିବାର ସୁବିଧା ପାଉନାହାନ୍ତି ଗାଡି ଚାଳକ ।

ସ୍ମାର୍ଟ ଜନପଥକୁ ଲାଗି ଥିବା ଇଭି ଷ୍ଟେସନ ତଥା ଶିଶୁଭବନ, ରୂପାଲି, ଶିରିପୁର ହାଟ ଆଗରେ ଥିବା ଇଭିଷ୍ଟେସନ ଆଗରେ ପ୍ରତିଦିନ ଏପରି ବେଆଇନ୍‌ ପାର୍କିଂ ହେଉଛି । ପ୍ରତି ଷ୍ଟେସନରେ ୩ଟି ଚାର୍ଜିଂ ପଏଣ୍ଟ ରହିଛି । ଗୋଟିଏ ଫାଷ୍ଟ ଏବଂ ଅନ୍ୟଟି ସ୍ଲୋ ଚାର୍ଜିଂ ପଏଣ୍ଟ ରଖାଯାଇଛି । ଇଭି ଚାର୍ଜିଂ ଜାଗାରେ ପେଟ୍ରୋଲ ଗାଡି ପାର୍କିଂ ହେଉଛି । ଭୁବନେଶ୍ୱରରେ ଏବେ ଇଭି ଗାଡ଼ିର ଚାହିଦା ବଢୁଛି । ସହରରେ ଅଧିକାଂଶ ଲୋକେ ପେଟ୍ରୋଲ ଗାଡ଼ି ଛାଡି ଇଭି ମୁହାଁ । ହେଲେ ପର୍ଯ୍ୟାପ୍ତ ପରିମାଣର ଚାର୍ଜିଂ ଷ୍ଟେସନ ନାହିଁ । ଯେଉଁ କେତୋଟି ଅଛି, ସେଥିରେ ଏମିତି ବେଆଇନ୍‌ ପାର୍କିଂ ହେଉଛି । ରାଜ୍ୟ ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହାକୁ ଏକ ଘରୋଇ କମ୍ପାନି ହାତକୁ ଦିଆଯାଇଛି । ‘ନୋ ମ୍ୟାନ୍‌ ଅପରେସନ’ରେ ଏହାକୁ ପରିଚାଳନା କରାଯାଉଛି । ଯଦି ଏଥିପାଇଁ ଲୋକ ରଖାଯିବ ତାହେଲେ ପ୍ରକଳ୍ପ ଖର୍ଚ୍ଚ ବଢିବ । ଆମେ ନୋ ପାର୍କିଂ ଜୋନ୍‌ ଏବଂ ଏନଫୋର୍ସମେଣ୍ଟ ପାଇଁ ବିଏମସିକୁ ଅବଗତ କରାଇଛୁ ।

ଏହି ଖବରଟିକୁ ପଢନ୍ତୁ- ଜଳୁଛି ପଶ୍ଚିମ ଓଡ଼ିଶା, ଉପକୂଳରେ ପ୍ରବଳ ଗରମ ଓ ଗୁଳୁଗୁଳ, ୪୫ ଡିଗ୍ରୀ ଛୁଇଁପାରେ ତାପମାତ୍ରା