ନୂଆଦିଲ୍ଲୀ, ୯।୭: ସାରା ଦେଶରେ ଏବେ ମୌସୁମୀ ବାୟୁ ସକ୍ରିୟ ହୋଇଛି । ଗତ ୩ ଦିନ ହେବ ଦେଶର ବିଭିନ୍ନ ପ୍ରାନ୍ତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଦେଶର ୧୭ଟି ରାଜ୍ୟରେ ବଜ୍ରପାତ, ଝଡ଼-ତୁଫାନ ସହ ପ୍ରବଳ ବର୍ଷା ପାଇଁ ଆଲର୍ଟ ଜାରି କରାଯାଇଛି । ଗୁଜରାଟ ଏବଂ ମହାରାଷ୍ଟ୍ରରେ ସ୍ଥିତି ସଂପୂର୍ଣ୍ଣ ବେହାଲ ହୋଇପଡ଼ିଛି । ପ୍ରବଳ ବର୍ଷା ଯୋଗୁଁ ବିମାନ, ସଡ଼କ ଏବଂ ରେଳ ସେବା ଗମ୍ଭୀର ଭାବେ ପ୍ରଭାବିତ ହୋଇଛି । ଗୁଜରାଟ ଦେଇ ଯାଉଥିବା ଅନେକ ଟ୍ରେନ୍କୁ ବାତିଲ କରାଯାଇଥିବା ବେଳେ କେତେକର ରୁଟ୍ ବଦଳାଯାଇଛି । ଗୁଜରାଟର ସୁରଟ ଏବଂ ଭଦୋଦରାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସୁରଟରେ ଗତ ୨୪ ଘଣ୍ଟା ମଧ୍ୟରେ ବର୍ଷା ଜନିତ ଦୁର୍ଘଟଣା ଏବଂ ପାଣିରେ ବୁଡ଼ି ପ୍ରାୟ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ଡିଣ୍ଡୋଲି ଅଞ୍ଚଳରୁ ୪ଟି ଶବ ଉଦ୍ଧାର କରାଯାଇଥିବା ବେଳେ ଭେସ୍ତାନରେ ଦୁଇ ସଗା ଭାଇ ଏବଂ ପାଣ୍ଡେସରାରେ ଜଣେ ୯ ବର୍ଷର ଦିବ୍ୟାଙ୍ଗ ଶିଶୁ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି ।

ମହାରାଷ୍ଟ୍ରର ପୁଣେ ଜିଲ୍ଲାର ପିମ୍ପରୀ-ଚିଞ୍ଚୱାଡ଼ ଅଞ୍ଚଳରେ ଏକ ବଡ଼ ଅଘଟଣ ଘଟିଛି । ମୋଶୀ ଅଞ୍ଚଳରେ ଜମା ହୋଇଥିବା ଆବର୍ଜନାର ଏକ ବିରାଟ ପାହାଡ଼ ହଠାତ୍ ଧସିଯାଇ ଏକ ୩ ମହଲା ବିଶିଷ୍ଟ କୋଠା ଉପରେ ପଡ଼ିଛି । ଏହି ଦୁର୍ଘଟଣାରେ ପ୍ରାୟ ୧୭ ଜଣ ଲୋକ ମାଟି ତଳେ ଫସି ରହିଥିଲେ । ଉଦ୍ଧାରକାରୀ ଦଳ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବା ବେଳେ ବାକି ଲୋକଙ୍କୁ ବଞ୍ଚାଇବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଅପରେସନ ଜାରି ରହିଛି । ସେହିଭଳି ରାଜଧାନୀ ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳ ନୋଏଡ଼ା, ଗୁରୁଗ୍ରାମ, ଗାଜିଆବାଦରେ ବୁଧବାର ରାତିରୁ ଅନବରତ ବର୍ଷା ଜାରି ରହିଛି । ଫଳରେ ରାସ୍ତାଘାଟରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହିଛି । ସ୍ଥିତିକୁ ଦେଖି ପାଣିପାଗ ବିଭାଗ ଦିଲ୍ଲୀରେ ରେଡ୍ ଆଲର୍ଟ ଜାରି କରିଛି । ସକାଳ ସମୟରେ ଅଫିସ୍ ଓ ସ୍କୁଲ ଯାଉଥିବା ଲୋକେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମ୍ରେ ଫସି ରହିଥିବା ଦେଖିବାକୁ ମିଳିଛି ।

ହିମାଚଳ ପ୍ରଦେଶ କୁଲ୍ଲୁ ଜିଲ୍ଲାର ଗଡ଼ସା ଘାଟିରେ ମେଘାଳୟ ପରିସ୍ଥିତି ଅର୍ଥାତ୍ ବାଦଲଫଟା ବର୍ଷା ହୋଇଛି । ହଠାତ୍ ଆସିଥିବା ବନ୍ୟାରେ ଏକ ବଡ଼ ପୋଲ ଭାସିଯାଇଛି, ଯାହାଫଳରେ ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛନ୍ତି । କେରଳ ୱାୟନାଡ଼ ଜିଲ୍ଲାର କଲ୍ଲାଡିଠାରେ ଏକ ସୁଡ଼ଙ୍ଗ ନିର୍ମାଣ ସ୍ଥଳରେ ଭୟାବହ ଭୂସ୍ଖଳନ ଘଟି ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ପ୍ରାୟ ୧୮ ଜଣ ଏହି ମାଟି ଅତଡ଼ା ତଳେ ଚାପି ହୋଇଯାଇଥିଲେ, ସେମାନଙ୍କ ମଧ୍ୟରୁ ୯ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମହାରାଷ୍ଟ୍ର, ହିମାଚଳ ଏବଂ କେରଳର ସ୍ଥିତିକୁ ନଜରରେ ରଖି ସ୍ଥାନୀୟ ପ୍ରଶାସନ, ପୁଲିସ ଏବଂ ଏନଡିଆରଏଫ ଟିମ୍ କୁ ସମ୍ପୂର୍ଣ୍ଣ ଆଲର୍ଟରେ ରଖାଯାଇଛି । ପ୍ରଭାବିତ ଅଞ୍ଚଳରେ ରିଲିଫ୍ କାର୍ଯ୍ୟ ଜାରି ରହିଛି । ପ୍ରଶାସନ ପକ୍ଷରୁ ସାଧାରଣ ଜନତାଙ୍କୁ ବିନା କାରଣରେ ଘରୁ ନବାହାରିବାକୁ ଏବଂ ଗୁଜବଠାରୁ ଦୂରେଇ ରହିବାକୁ ଅନୁରୋଧ କରାଯାଇଛି ।