ଭୁବନେଶ୍ୱର,୦୨/୦୧: ରାତି ତାପମାତ୍ରା ଆହୁରି କମିବ । ଆସନ୍ତା ୨୪  ଘଣ୍ଟା ଭିତରେ ବଢ଼ିବ ଶୀତ ପ୍ରକୋପ । କେତେକ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ  ସେଲ୍‌ସିୟସ୍‌ କମିପାରେ । ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । 

ଏହି ଆକଳନ ଅନୁସାରେ ୨ ତାରିଖରେ  ରାଉରକେଲା ଓ କେନ୍ଦୁଝରରେ ସର୍ବନିମ୍ନ  ତାପମାତ୍ରା ୧୦ ଡିଗ୍ରୀ, ଫୁଲବାଣୀ ଓ ସୁନ୍ଦରଗଡ଼ ୯ ଡିଗ୍ରୀ, ବାରିପଦା ଏବଂ ଅନୁଗୁଳ ୧୧, କଟକ ୧୪,  ଭୁବନେଶ୍ୱର ୧୫ ଡିଗ୍ରୀ ସେଲସିୟସ୍‌ ରହିପାରେ ।  ଦିନକ ପରେ ଅନେକ ସ୍ଥାନରେ ପାରଦ ସାମାନ୍ୟ  ବଢ଼ିପାରେ । ୩ ତାରିଖରେ ଭୁବନେଶ୍ୱର  ୧୬, ରାଉରକେଲା ୧୧ ଡିଗ୍ରୀ ରହିପାରେ । 

୩୧ ଡିସେମ୍ବର ରାତିରେ ରାଜ୍ୟର  ୧୮ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀରୁ କମ୍‌  ଥିଲା । ଝାରସୁଗୁଡ଼ା ୯.୨ ଡିଗ୍ରୀ ସେଲସିୟସ୍‌, ସୁନ୍ଦରଗଡ଼ ୧୦.୭, ଫୁଲବାଣୀ ୧୧, ଦାରିଙ୍ଗିବାଡ଼ି  ୧୧.୫, କେନ୍ଦୁଝର ୧୨.୪, ବାରିପଦା ୧୨.୬,  ଅନୁଗୁଳ ୧୩, ସୋନପୁର ୧୨.୯, ବାଲେଶ୍ୱର  ୧୩.୩, ବଲାଙ୍ଗୀର ୧୩.୫, ତାଳଚେର ୧୩.୬,  ସମ୍ବଲପୁର ୧୩.୬, ଭବାନୀପାଟଣା ୧୩.୮ ଡିଗ୍ରୀ  ଥିଲା । ଭୁବନେଶ୍ୱର ୧୬.୪ ଓ କଟକ ଥିଲା ୧୫.୨  ଡିଗ୍ରୀ ସେଲସିୟସ୍‌ । ୨ ତାରିଖ ସକାଳେ ଅନୁଗୁଳ  ଓ କନ୍ଧମାଳରେ ଘନ କୁହୁଡ଼ି ଆଶଙ୍କା ରହିଛି ।  

ଭାରତୀୟ ପାଣିପାଗ କେନ୍ଦ୍ର ଜାନୁଆରୀରୁ  ମାର୍ଚ୍ଚ ପର୍ଯ୍ୟନ୍ତ ସମ୍ଭାବ୍ୟ ବର୍ଷାକୁ ନେଇ ନୂଆ  ପୂର୍ବାନୁମାନ ଜାରି କରିଛି । ଏହି ଆକଳନ  କହୁଛି, ଏଥର ଜାନୁଆରୀରୁ ମାର୍ଚ୍ଚ ଭିତରେ  ଉତ୍ତର ପଶ୍ଚିମ ଭାରତକୁ ଛାଡ଼ିଦେଲେ  ବାକି ସବୁଠି ବର୍ଷା ସ୍ୱାଭାବିକଠାରୁ ଅଧିକ  ରହିପାରେ । ସମ୍ଭାବ୍ୟ ଚିତ୍ର ଦର୍ଶାଉଛି,  ଓଡ଼ିଶାରେ ବି ଆଗାମୀ ୩ ମାସ ଅଧିକ ବର୍ଷା  ହୋଇପାରେ । ଜାନୁଆରୀ ମାସରେ ବି ରାଜ୍ୟରେ  ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ଅଛି ।  ଏହି ସମ୍ଭାବ୍ୟ ଚିତ୍ର ଅନୁସାରେ  ଏଥର ଜାନୁଆରୀରେ ଓଡ଼ିଶାରେ ବିଶେଷ  ଶୀତ ଅନୁଭୂତ ହେବ ନାହିଁ । ସ୍ୱାଭାବିକଠାରୁ  ଅଧିକ ରହିବ ରାତି ତାପମାତ୍ରା । ହେଲେ ଦିନ  ତାପମାତ୍ରା ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ କମ୍‌  ରହିପାରେ । ମାତ୍ର ଉପକୂଳର କିଛି ଅଞ୍ଚଳରେ  ଦିନ ତାପମାତ୍ରା ଅଧିକ ରହିବା ସମ୍ଭାବନା ଅଛି ।