ଭୁବନେଶ୍ୱର, ୧୪/୦୫: ମଧ୍ୟପ୍ରାଚ୍ୟ ସଂକଟ ମଧ୍ୟରେ ଆମଦାନି ବିଲ୍କୁ କମାଇବା ପାଇଁ ତତ୍ପର ହୋଇଛନ୍ତି କେନ୍ଦ୍ର ସରକାର । ଏଭଳି ସ୍ଥିତିରେ ଅଣଜରୁରୀ ସାମଗ୍ରୀ ଆମଦାନି ଉପରେ କଟକଣା ଲଗାଇବା ପାଇଁ ପ୍ରସ୍ତୁତ କରିଛନ୍ତି ଠୋସ୍ ରଣନୀତି । ଉକ୍ତ କ୍ରମରେ ଆଜି ସୁନା ଏବଂ ରୁପାର ଆମଦାନି ଶୁଳ୍କକୁ ୬%ରୁ ୧୫% କୁ ବଢ଼ାଇ ଦେଇଛନ୍ତି କେନ୍ଦ୍ର ସରକାର । ଏହା ବର୍ତ୍ତମାନ ଦେଶର ଗହଣା ଏବଂ ରତ୍ନପଥର ଶିଳ୍ପ ପାଇଁ ନୂଆ ଆହ୍ୱାନ ଛିଡ଼ା କରିଥିବା ସର୍ବଭାରତୀୟ ରତ୍ନପଥର ଏବଂ ଗହଣା ପରିଷଦ(ଜିଜେସି) ପକ୍ଷରୁ କୁହାଯାଇଛି । ଜିଜେସି ପ୍ରକାଶ କରିଛି ଯେ, ସରକାରଙ୍କ ଏ ନିଷ୍ପତ୍ତି ଦ୍ୱାରା ସୁନାର ଚୋରାଚାଲାଣ ବଢ଼ିବ । ଚୋରା ନେଟ୍ୱର୍କ ମାଧ୍ୟମରେ ଦେଶକୁ ସୁନା ଆସିବ, ଯାହାକି ଏକ ଅବୈଧ ବଜାର ସୃଷ୍ଟି କରିବ ।

ଜିଜେସି ଅଧ୍ୟକ୍ଷ ରାଜେଶ ରୋକ୍ଡେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖର୍ଚ୍ଚକାଟ ପଦକ୍ଷେପ ଅନ୍ତର୍ଗତ ସୁନାର ଆମଦାନି ଶୁଳ୍କ ବୃଦ୍ଧି ନିଷ୍ପତ୍ତି ଯୋଗୁ ବ୍ୟବସାୟ କରିବା କଷ୍ଟକର ପାଲଟିବାକୁ ଯାଉଛି । ଏହା ସୁନାର ଅବୈଧ କାରବାରକୁ ବଢ଼ାଇବ । ସୁନାର ଚୋରାଚାଲାଣ ବଢ଼ିବ । ଦେଶରେ ଏକ ସମାନ୍ତରାଳ ଅର୍ଥବ୍ୟବସ୍ଥାର ସୂତ୍ରପାତ ହେବ ।

ଶୁଳ୍କବୃଦ୍ଧିକୁ ନେଇ ବ୍ୟାଖ୍ୟା କରି ରୋକ୍‌ଡ କହିଛନ୍ତି ଯେ, ଆମଦାନି ଶୁଳ୍କରେ ସୀମା ଶୁଳ୍କ, ଜିଏସ୍ଟି ଏବଂ କୃଷି ସେସ୍ ରହିଛି । ବର୍ତ୍ତମାନ ବର୍ଦ୍ଧିତ ଆମଦାନି ଶୁଳ୍କ ଦ୍ୱାରା ୧୦ ଗ୍ରାମ ପିଛା ସୁନା ୨୭,୦୦୦ ଟଙ୍କା ମହଙ୍ଗା ହେବ ।

ଅଧିକ ପଢ଼ନ୍ତୁ :-  Gold Market Tension: ଚିନ୍ତାରେ ଗହଣା ଶିଳ୍ପ, ପିଏମ୍ଓ ଅଧିକାରୀଙ୍କୁ ଭେଟିବେ ଶିଳ୍ପ ପ୍ରତିନିଧି

ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଏମଣ୍ଡ୍ସର ଏମ୍‌ଡି ତଥା ସିଇଓ ଶୁଭଙ୍କର ସେନ୍ କହିଛନ୍ତି ଯେ, ମଧ୍ୟପ୍ରାଚ୍ୟ ସଂକଟ ବଳବତ୍ତର ରହିବା ପର୍ଯ୍ୟନ୍ତ ଆମଦାନି ଶୁଳ୍କ ଉଚ୍ଚ ରହିବ । ବର୍ଷେ ପର୍ଯ୍ୟନ୍ତ ୧୫% ଆମଦାନି ଶୁଳ୍କକୁ ବହନ କରିବାକୁ ପଡ଼ିପାରେ । ଦର ଉଚ୍ଚ ରହିବା କାରଣରୁ ବିକ୍ରି କମିବ । ଗହଣା କାରବାର ପ୍ରଭାବିତ ହେବ । ତେବେ ହାଲୁକା ଗହଣା ଟ୍ରେଣ୍ଡ୍ ତ୍ୱରାନ୍ୱିତ ହେବ ।