ନୂଆଦିଲ୍ଲୀ : ପାକିସ୍ତାନରେ ଖୁବ୍ ଆର୍ଥିକ ସଙ୍କଟ ଲାଗି ରହିଛି। ଏହାର ପ୍ରତିଫଳନ ଦେଖିବାକୁ ମିଳିଛି କର୍ମଚାରୀଙ୍କ ପ୍ରତିବାଦରେ। କାରଣ ଏଠାରେ ଶିକ୍ଷା ବିଭାଗର କର୍ମଚାରୀମାନେ ସେମାନଙ୍କର ଦରମା ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସେମାନଙ୍କୁ ୨୮ ମାସ ହେବ ମିଳିନାହିଁ ଦରମା । ଏଥିରେ ନିରାଶ ହୋଇ ଏହି କର୍ମଚାରୀମାନେ ରାସ୍ତାରେ ପ୍ରତିବାଦ କରିଛନ୍ତି।ନିଜ ଦରମା ପାଇବା ଦାବିକୁ ନେଇ ଜୋରଦାର ବିରୋଧ କରିଛନ୍ତି।
ଏକ୍ସପ୍ରେସ୍ ଟ୍ରିବ୍ୟୁନ୍ର ଖବର ଅନୁସାରେ , ହାଇଦ୍ରାବାଦର ଶିକ୍ଷା ବିଭାଗରେ ନିମ୍ନ ଶ୍ରେଣୀର କର୍ମଚାରୀମାନେ ୧୪ ଦିନରେ ମଧ୍ୟ ହାଇଦ୍ରାବାଦ ପ୍ରେସ୍ କ୍ଲବ୍ର ବାହାରେ ଧାରଣା ପ୍ରଦର୍ଶନ ଜାରି ରଖିଛନ୍ତି। ସେ ପାଖାପାଖି ୨୮ ମାସରୁ ଅଟକି ରହିଥିବା ଦରମାକୁ ନେଇ ପ୍ରତିବାଦ କରୁଛନ୍ତି। ହତାଶ ଓ ଆର୍ଥିକ ଚାପ ମଧ୍ୟ ଦେଇ ଗତି କରୁଥିବା ଏହି ବିରୋଧ ପ୍ରଦର୍ଶନକାରୀମାନେ ନ୍ୟାୟ ଓ ନିର୍ଦ୍ଦିଷ୍ଟ ସମୟରେ ଦରମା ସୁନିଶ୍ଚିତ କରିବା ପାଇଁ ନାରା ଲଗେଇ ଅନାହାରର ବିକ୍ଷୋଭ ଆରମ୍ଭ କରି ଦେଇଛନ୍ତି।
ବିରୋଧ ପ୍ରଦର୍ଶନକାରୀଙ୍କ ଅନୁସାରେ , ଶିକ୍ଷା ବିଭାଗ ୨୦୨୧ରେ ନିମ୍ନ ପଦରେ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ କରିଥିଲା, ଯାହା ଅନୁସାରେ ତାଙ୍କୁ ୨୦୨୩ ରେ ନିଯୁକ୍ତି ମିଳିଥିଲା। ସବୁ ଆଇନ ଓ ପ୍ରଶାସନିକ ଔପଚାରିକତାକୁ ପୂରା କରିବା ସତ୍ତ୍ୱେ , ଅନେକ ସ୍କୁଲ୍ରେ କାର୍ଯ୍ୟରତ ୬୬୯ କର୍ମଚାରୀଙ୍କୁ ଏବେ ସୁଦ୍ଧା ଗୋଟିଏ ବି ପଇସା ଦରମା ମିଳି ନାହି , ଯେଉଁଥିରେ ସେ ଗୁରୁତର ଆର୍ଥିକ ସଙ୍କଟରେ ପଡ଼ିଛନ୍ତି। ବିରୋଧର ନେତୃତ୍ୱ ନେଉଥିବା ଗୁଲାବ ରେଣ୍ଡ, ଅସଦ ମଲ୍ ଓ ସୈୟଦ ମୋଅଜ୍ଜମ ଅଲି ଶାହ କହିଛନ୍ତି ଯେ, ସରକାରଙ୍କ ନିରବତା ଶ୍ରମିକଙ୍କୁ ଆହୁରି ଚିନ୍ତାରେ ପକାଇ ଦେଇଛି। ଅନେକ ପରିବାର ମୌଳିକ ଆବଶ୍ୟକତା ପୂରା କରିବା , ଭଡ଼ା ଦେବା କିମ୍ୱା ପିଲାଙ୍କ ପାଳନ ପୋଷଣ କରିବାରେ ଅସମର୍ଥ ହୋଇଛନ୍ତି। ନେତାମାନେ ଚେତାବନୀ ଦେଇଛନ୍ତି ଯେ, ସିନ୍ଧ ସରକାର ଦ୍ୱାରା ସବୁ ବକେୟା ପେମେଣ୍ଟ ନହେବା ଯାଏ ଏହି ଆନ୍ଦୋଳନ ଥମିବ ନାହିଁ।
ଏପଟେ, ଅନ୍ୟ ଏକ ବିରୋଧ ପ୍ରଦର୍ଶନରେ ସିନ୍ଧ ଆରଓ ପ୍ଲାଣ୍ଟ ଅପରେଟର୍ସ ଆସୋସିଏସନର ସଦସ୍ୟ ଲିଆକତ ଚନ୍ଦିୟୋ, ଇମଦାଦ ସେଣ୍ଡ ଓ ୟାକୁବ ଶୋରୋଙ୍କ ନେତୃତ୍ୱରେ ହାଇଦ୍ରାବାଦ ପ୍ରେସ୍ କ୍ଲବ୍ ଠାରେ ଜମା ହୋଇଛନ୍ତି। ଆସୋସିଏସନର ପ୍ରତିନିଧିମାନେ କହିଛନ୍ତି ଯେ, ସାର୍ବଜନିନ ସ୍ୱାସ୍ଥ୍ୟ ଇଞ୍ଜିନିୟରିଂ ବିଭାଗର ଅଧୀନ ୨୦୧୨ରେ ଭର୍ତ୍ତି ହୋଇଥିବା ଏହି କର୍ମଚାରୀ ଆରଓ ପ୍ଲାଣ୍ଟରେ ନିଯୁକ୍ତ ଅଛନ୍ତି , କିନ୍ତୁ ତାଙ୍କୁ ପ୍ରାୟ ୨୫୦୦୦ ପାକିସ୍ତାନୀ ଟଙ୍କା ମାସିକ ଦରମା ମିଳିଥାଏ , ଯାହା ସିନ୍ଧ ସରକାର ଦ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ପାରିଶ୍ରମିକ ୪୦୦୦୦ଟଙ୍କାରୁ ବହୁତ କମ୍। ସେ ନିଜର ଚାକିରିକୁ ସ୍ଥାୟୀ କରିବା ଓ ଶ୍ରମ ଆଇନ୍ ଅନୁରୂପ ବେତନ ବୃଦ୍ଧିର ଦାବି କରିଛନ୍ତି, ଏହାସହ ବର୍ତ୍ତମାନ ସ୍ଥିତିକୁ ‘ଗରିବର ଆର୍ଥିକ ଶୋଷଣ’ ବୋଲି କହିଛନ୍ତି। ବିରୋଧ ପ୍ରଦର୍ଶନକାରୀମାନେ ପିପିପି ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ଓ ସିନ୍ଧର ମୁଖ୍ୟମନ୍ତ୍ରୀ ସୈୟଦ ମୁରାଦ ଅଲୀ ଶାହଙ୍କ ଠାରୁ ତୁରନ୍ତ ହସ୍ତକ୍ଷେପ ନେଇ ଅନୁରୋଧ କରିଛନ୍ତି।