ମୁଲନପୁର,୦୬/୦୬: ଆଇପିଏଲ୍ ଶେଷ ହେବାର ମାତ୍ର ୬ ଦିନ ପରେ ଆରମ୍ଭ ହେବାକୁ ଯାଉଛି ରେଡ୍ ବଲ୍ କ୍ରିକେଟ୍ ବା ଟେଷ୍ଟ କ୍ରିକେଟ୍ । ଘରୋଇ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଏକମାତ୍ର ଟେଷ୍ଟ । ଭାରତୀୟ ଦଳର ଖେଳାଳିମାନେ ସୀମିତ ସମୟ ମଧ୍ୟରେ ଧଳା ବଲ୍‌ରୁ ନାଲି ବଲ୍ କ୍ରିକେଟ୍ ପାଇଁ ନିଜ ନିଜର ଟେକ୍ନିକ୍ ସୁଧାରିବାରେ ଲାଗି ପଡ଼ିଛନ୍ତି । କାରଣ ଟେଷ୍ଟ ଦଳର ୮ଜଣ ସଦସ୍ୟ ଆଇପିଏଲ୍ ଖେଳି ଫେରିଛନ୍ତି । ଚଣ୍ଡୀଗଡ଼ର ନୂତନ ପିସିଏ ଷ୍ଟାଡ଼ିୟମ ମଧ୍ୟ ପ୍ରଥମ କରି ଟେଷ୍ଟ କ୍ରିକେଟ୍ ଆୟୋଜନ କରିବାକୁ ଯାଉଛି । ଭାରତର ୩୧ତମ ଭେନ୍ୟୁ ଭାବେ ନୂଆ ପିସିଏ ଷ୍ଟାଡ଼ିୟମ୍ ଟେଷ୍ଟ ଆୟୋଜନ କରିବ ।

୭ମାସ ପରେ ଭାରତୀୟ ଦଳ ଟେଷ୍ଟ କ୍ରିକେଟ୍ ଖେଳିବ । ଶେଷ ଥର ପାଇଁ ଦଳ ଗତ ନଭେମ୍ବର ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ଖେଳିଥିଲା । ଆଫଗାନିସ୍ତାନ ୨୦୧୮ରେ ଟେଷ୍ଟ ମାନ୍ୟତା ପାଇଥିଲା ଓ ଭାରତ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲା । ଇତି ମଧ୍ୟରେ ଆଫଗାନିସ୍ତାନ ୧୨ଟି ଟେଷ୍ଟ ଖେଳି ସାରିଛି । ଭାରତ ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ କରିବା ପାଇଁ ୧୨ଟି ଟେଷ୍ଟର ଅଭିଜ୍ଞତା ମଧ୍ୟ ଆଫଗାନିସ୍ତାନର ମନୋବଳକୁ ସୁଦୃଢ଼ ରଖିଛି । ରସିଦ ଖାନଙ୍କ ଭଳି ବିଶ୍ୱର ଶ୍ରେଷ୍ଠ ଲେଗ ସ୍ପିନର ଟେଷ୍ଟ ଦଳରେ ନାହାନ୍ତି । ତଥାପି ଦଳ କଡ଼ା ମୁକାବିଲା କରିବ ବୋଲି ଅଧିନାୟକ ହସମତୁଲ୍ଲା ସାହିଦି ପ୍ରକାଶ କରିଛନ୍ତି ।

ଏହି ମ୍ୟାଚରେ ଉଭୟ ଦଳର ସ୍ପିନ ବିଭାଗ ଉପରେ ବିଶେଷ ନଜର ରହିବ । ରବି ଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡ଼େଜା ଓ ଅକ୍ଷର ପଟେଲ ବର୍ତ୍ତମାନର ଟେଷ୍ଟ ଦଳରେ ନାହାନ୍ତି । ତେଣୁ କୁଲଦୀପ ଯାଦବ ସ୍ପିନ ବିଭାଗର ଦାୟିତ୍ୱ ନେବେ । ତାଙ୍କୁ ୨ଜଣ ସ୍ପିନ ବୋଲିଂ ଅଲ୍ରାଉଣ୍ଡର ସହାୟତା କରିବେ । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ୱାସିଂଟନ ସୁନ୍ଦର । ତୃତୀୟ ସ୍ପିନର ସ୍ଥାନ ପାଇଁ ହର୍ଷ ଦୁବେ ଓ ମାନବ ସୂତାରଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିବ ।

ଆଫଗାନିସ୍ତାନ ଦଳରେ ସ୍ଥାନ ପାଇଥିବା ବାମ ହାତି ସ୍ପିନର ଶରଫୁଦ୍ଦିନ ଅସ୍ରଫ ଗତ ଘରୋଇ ସିଜନରେ ୬ଟି ମ୍ୟାଚରୁ ୩୬ଟି ୱିକେଟ୍ ନେଇଥିଲେ । ସେହିପରି ସ୍ପିନ ବୋଲିଂ ଅଲରାଉଣ୍ଡର ନଙ୍ଗେୟାଲିଆ ଖାରୋଟେ ଆସନ୍ତାକାଲି ପଦାର୍ପଣ କରିବେ ।

ଅଧିକ ପଢ଼ନ୍ତୁ :- ଟେଷ୍ଟ କ୍ରିକେଟରେ ଆଇସିସିର ନୂଆ ନିୟମକୁ ନେଇ ଏମିତି କହିଲେ ଗୌତମ ଗମ୍ଭୀର  

ଏହି ଟେଷ୍ଟ ପାଇଁ ଏକ କଳା ମାଟିର ପିଚ୍ ପ୍ରସ୍ତୁତ କରାଯାଇଛି । ଯାହା ଫଳରେ ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ଦ୍ୱିତୀୟ ଦିବସ ଅପରାହ୍ଣ କିମ୍ବା ତୃତୀୟ ଦିବସର ଦ୍ୱିତୀୟ ଅଧିବେଶନରୁ ପିଚ୍ ସ୍ପିନରଙ୍କୁ ସହାୟତା କରିବ । ଆଗାମୀ ୫ ଦିନ ମଧ୍ୟରେ ସ୍ଥାନୀୟ ତାପମାତ୍ରା ୪୦ଡିଗ୍ରୀ ଛୁଇଁବାର ଆଶଙ୍କା ରହିଛି ।

 

ସମ୍ଭାବ୍ୟ ଦଳ

ଭାରତ: ଯଶସ୍ୱୀ ଜୈସ୍ୱାଲ୍, କେଏଲ ରାହୁଲ, ବି ସାଇ ସୁଦର୍ଶନ, ଶୁଭମନ ଗିଲ୍ (ଅଧିନାୟକ), ରିଷଭ ପନ୍ତ, ଧ୍ରୁବ ଜୁରେଲ, ୱାସିଂଟନ ସୁନ୍ଦର, ହର୍ଷ ଦୁବେ/ ମାନବ ସୂତାର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ।

ଆଫଗାନିସ୍ତାନ: ସେଦ୍ଦିକୁଲ୍ଲା ଅଟଳ, ରହମନୁଲ୍ଲା ଗୁରବାଜ, ରହମତ ଶାହ, ହସମତୁଲ୍ଲା ସାହିଦି (ଅଧିନାୟକ), ଅଜମତୁଲ୍ଲା ଓମାରଜାଇ, ରହମନୁଲ୍ଲା, ଅଫଜର ଜାଜାଇ, ଶରଫୁଦ୍ଦିନ ଅସ୍ରଫ, ନଙ୍ଗେୟାଲିଆ ଖାରୋଟେ, ଜିଆଉର ରେହମାନ ।