ନୂଆଦିଲ୍ଲୀ - ବେଲଫାଷ୍ଟରେ ଆୟରଲ୍ୟାଣ୍ଡ ଠାରୁ ଲଜ୍ଜାଜନକ ସିରିଜ୍ ପରାଜୟ ପରେ ଟିମ୍ ଇଣ୍ଡିଆ ଆସନ୍ତାକାଲି, ଅର୍ଥାତ୍ ଜୁଲାଇ ୧ ତାରିଖରେ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ କରିବ। ପ୍ରଥମ ମ୍ୟାଚ୍ ଚେଷ୍ଟର-ଲେ-ଷ୍ଟ୍ରିଟର ରିଭରସାଇଡ୍ ଗ୍ରାଉଣ୍ଡରେ ଖେଳାଯିବ। ଏହି ମ୍ୟାଚ୍ ପୂର୍ବରୁ, ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ପୁଣି ଥରେ ଚର୍ଚ୍ଚାରେ , ଯାହାଙ୍କୁ ଆୟରଲ୍ୟାଣ୍ଡ ଗସ୍ତ ବେଳେ ଅନ୍ତର୍ଜାତୀୟ ଡେବ୍ୟୁ କରିବାର ସୁଯୋଗ ମିଳି ନଥିଲା। ଭାରତୀୟ ପ୍ରଶଂସକଙ୍କ ପୂରା ଆଶା ଯେ, ବୈଭବ ଇଂଲଣ୍ଡରେ ଅନ୍ତର୍ଜାତୀୟ ଡେବ୍ୟୁ କରିବେ ଏବଂ ଭାରତ ପାଇଁ ଖେଳୁଥିବା ସବୁଠାରୁ କମ୍ ବୟସ୍କ କ୍ରିକେଟର ଭାବେ ରଚିବେ ଇତିହାସ।

ହେଲେ, ଓପନିଂ ମ୍ୟାଚର ପ୍ଲେଇଂ-୧୧କୁ ନେଇ ଟିମ୍ ମ୍ୟାନେଜମେଣ୍ଟ କ’ଣ ଯୋଜନା କରୁଛି, ଏହା ଜାଣିବାକୁ ସମସ୍ତଙ୍କର ଆଗ୍ରହ ବଢି ଯାଇଛି। ସତରେ କଣ ବୈଭବଙ୍କୁ ସୁଯୋଗ ମିଳିବ? ନା ଏମିତି ଚର୍ଚ୍ଚାରେ ରହିଯିବେ । ଯଦି ସେ ଡେବ୍ୟୁ କରନ୍ତି, ତ ଅଭିଷେକ ନା ସାମସନ , କିଏ ପ୍ଲେଇଂ ଇଲେଭେନରୁ ବାଦ୍ ପଡ଼ିବେ ? ଏହି ପରି ଦ୍ୱନ୍ଦ୍ୱ ମଧ୍ୟରେ, ପ୍ରାକ୍ଟିସ ସେସନରୁ ଆସିଥିବା ଫଟୋଗୁଡ଼ିକ ବୈଭବ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁକୁ ନେଇ ବଡ଼ ସଙ୍କେତ ଦେଇଛି। ଅଭ୍ୟାସ ସେସନରେ କ’ଣ ଘଟି ଥିଲା ଏବଂ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ କ’ଣ ହୋଇ ପାରେ , ଆସନ୍ତୁ ସେ ବିଷୟରେ ଜାଣିବା –

ମ୍ୟାଚ୍ ପୂର୍ବରୁ, ଭାରତୀୟ ଖେଳାଳିମାନେ ଅଭ୍ୟାସ ସେସନରେ ବହୁତ ଝାଳ ବୁହାଇଛନ୍ତି। ଏହି ସମୟରେ ବୈଭବ ସୂର୍ଯ୍ୟବଂଶୀ ଦୀର୍ଘ ସମୟ ଯାଏ ବ୍ୟାଟିଂ କରୁ ଥିବାର ନଜର ଆସିଥିଲେ। ସେ ଟିମ୍ ଇଣ୍ଡିଆର ପ୍ରମୁଖ ବୋଲରମାନଙ୍କ ବିରୁଦ୍ଧରେ କିଛି ଦମଦାର ସଟ୍ ମଧ୍ୟ ମାରି ଥିଲେ। ଅର୍ଶଦୀପ ସିଂହ, ହର୍ଷିତ ରାଣା ଏବଂ ପ୍ରସିଦ୍ଧ କୃଷ୍ଣ ତାଙ୍କୁ ଲଗାତାର ବୋଲିଂ କରୁଥିଲେ। ଏହି ସମୟରେ ଦେଖିବାକୁ ମିଳିଥିଲା ଯେ, ଓପନର ଅଭିଷେକ ଶର୍ମା ସାମ୍ନାରେ ଠିଆ ହୋଇ ବୈଭବଙ୍କ ବ୍ୟାଟିଂ ଦେଖୁ ଥିଲେ, ଏବଂ ଅନ୍ୟ ଓପନର ସଞ୍ଜୁ ସାମସନ ୧୫ ବର୍ଷୀୟ ଏହି ଯୁବ ଷ୍ଟାରଙ୍କ ସହ ପେୟରରେ ବ୍ୟାଟିଂ ଅଭ୍ୟାସ କରୁ ଥିବାର ଦେଖା ଯାଇ ଥିଲା। ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ଏହି ଭିଡିଓ ସଙ୍କେତ ଦେଉଛି ଯେ, ବୈଭବଙ୍କ ପ୍ରଥମ ମ୍ୟାଚରେ ଡେବ୍ୟୁ ପ୍ରାୟ ନିଶ୍ଚିତ। ଅନୁମାନ କରାଯାଉଛି ଯେ, ତାଙ୍କୁ ଅଭିଷେକ ଶର୍ମାଙ୍କ ସ୍ଥାନରେ ସୁଯୋଗ ଦିଆ ଯାଇପାରେ। ଯଦି ଏହା ହୁଏ,ତ ସଞ୍ଜୁ ସାମସନ ଓ ବୈଭବ ସୂର୍ଯ୍ୟବଂଶୀ ଇନିଂସ ଓପନିଂ କରିବା ନଜର ଆସିବେ।

ଭାରତର ପେସ୍ ଆକ୍ରମଣରେ କୌଣସି ପରିବର୍ତ୍ତନ ଆଶା କରାଯାଉ ନାହିଁ। ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚ୍ରେ ଯେଉଁ ଦ୍ରୁତ ବୋଲରମାନେ ଖେଳି ଥିଲେ , ସେମାନେ ଏଠାରେ ରିପିଟ୍ ହେବେ। ଏମାନେ ହେଲେ ହର୍ଷିତ ରାଣା, ଅର୍ଶଦୀପ ସିଂହ ଏବଂ ପ୍ରିନ୍ସ ଯାଦବ।

ଆହୁରି ମଧ୍ୟ ପଢନ୍ତୁ : ବେଙ୍ଗାଲୁରୁକୁ ଶିଫ୍ଟ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା, ଏଠାରେ କରିବେ ତାଙ୍କର ସ୍ଥାୟୀ ଟ୍ରେନିଂ କେନ୍ଦ୍ର