ପୁରୀ,୩୦/୦୬: ସୋମବାର ବିଳମ୍ବିତ ରାତିରେ ଅଣସର ଘରେ ବିଜେ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ସ୍ନାନବେଦିରେ ୧୦୮ଗରା ଜଳ  ସ୍ନାନ ପରେ ଠାକୁରଙ୍କୁ ଜ୍ୱର । ଜ୍ୱରରେ ପୀଡ଼ିତଙ୍କୁ ଯେପରି ପଥି, ପାଚନ ଓ ଔଷଧର ଆବଶ୍ୟକତା  ପଡ଼ିଥାଏ, ଠିକ୍‌ ସେହିପରି ଶ୍ରୀବିଗ୍ରହଙ୍କ ସେବା  ଆରମ୍ଭ ହୋଇଛି । ଦଇତାପତି ସେବକମାନେ ଠାକୁରଙ୍କ ଏହି ଗୁପ୍ତ ସେବା କରୁଛନ୍ତି । ୧୫ ଦିନ  ପର୍ଯ୍ୟନ୍ତ ଜାରି ରହିବ ଠାକୁରଙ୍କ ଗୁପ୍ତ ସେବା ।  ଏହି ସମୟରେ ଶ୍ରୀମନ୍ଦିରରେ ପୂଜାଇବେ ପଟିଦିଅଁ । ଏଣୁ ସୋମବାର ବିଳମ୍ବିତ  ରାତିରେ  ଶ୍ରୀମନ୍ଦିରକୁ ପଟିଦିଅଁ ବିଜେ ହୋଇଛନ୍ତି ।      

 

ମହାପ୍ରଭୁଙ୍କ ଚିତ୍ରକର ସେବକମାନେ  ଅତ୍ୟନ୍ତ ଶୁଦ୍ଧପୂତଭାବେ ପଟିଦିଅଁଙ୍କୁ ନିର୍ମାଣ  କରିଥିଲେ । ଠାକୁରଙ୍କ ପହଣ୍ଡି ପରେ ଶ୍ରୀମନ୍ଦିର  ପକ୍ଷରୁ ପଟୁଆର ଯାଇ ପଟିଦିଅଁଙ୍କୁ ଆଣି  ଶ୍ରୀମନ୍ଦିର ଜଗମୋହନରେ ବିଜେ କରାଇଥିଲେ ।  ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀ ନାରାୟଣ, ଦେବୀ  ସୁଭଦ୍ରାଙ୍କ ସ୍ଥାନରେ ଦେବୀ ଭୁବନେଶ୍ୱରୀ ଓ  ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବଙ୍କୁ  ପଟିଦିଅଁ ରୂପେ ପୂଜା କରାଯାଏ । ଶ୍ରୀ  ନାରାୟଣଙ୍କ ସମ୍ମୁଖରେ ମଦନମୋହନ ଓ କୃଷ୍ଣ  ବିଗ୍ରହ, ମା ଭୁବନେଶ୍ୱରୀଙ୍କ ସମ୍ମୁଖରେ ଭୂଦେବୀ  ଓ ଶ୍ରୀଦେବୀ ଏବଂ ଶ୍ରୀ ଅନନ୍ତ ବାସୁଦେବଙ୍କ  ସମ୍ମୁଖରେ ଦୋଳଗୋବିନ୍ଦ ଓ ନୃସିଂହଙ୍କ ପ୍ରତିମୂର୍ତ୍ତି  ଅଧିଷ୍ଠିତ ହୋଇଥାନ୍ତି । ଅଣସର ସମୟରେ  ପଟିଦିଅଁଙ୍କୁ ଭକ୍ତମାନେ ଦର୍ଶନ କରି ପୂଜାର୍ଚ୍ଚନା  କରନ୍ତି । ସୋମବାର ଅପରାହ୍ନରେ ବଡ଼ବାଡ଼ ବିଶ୍ୱକର୍ମା  ଓ କୋଠସୁଆଁସିଆ ସେବକ ମିଶି ଅଣସର ଘର  ତିଆରିଥିଲେ । ବିଳମ୍ବିତ ରାତିରେ ଠାକୁରେ  ସ୍ନାନମଣ୍ଡପରୁ ପହଣ୍ଡି ହୋଇ ଅଣସର ଘରେ ବିଜେ ହେଲେ । ମଙ୍ଗଳବାର ଠାରୁ ବ୍ରହ୍ମଗିରିସ୍ଥିତ ଅଲାରନାଥଙ୍କୁ ଦର୍ଶନ କରିବାର ବିଧି ରହିଛି।

ଅଧିକ ପଢ଼ନ୍ତୁ :-  Shree Alarnatha Darshana: ଦ୍ୱିତୀୟ ଶ୍ରୀକ୍ଷେତ୍ର ପାଲଟିବ ବ୍ରହ୍ମଗିରି, ଆଜିଠୁ ଅଣସର ଦର୍ଶନ ଦେବେ ଶ୍ରୀଅଲାରନାଥ