ନୂଆଦିଲ୍ଲୀ, ୬/୩ : ସମଗ୍ର ବିଶ୍ବର ନଜର ଟି-୨୦ ବିଶ୍ବକପର ଫାଇନାଲ ମୁକାବିଲା ଉପରେ । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଖେଳାଯିବ ଏହି ହାଇଭୋଲଟେଜ୍ ମ୍ୟାଚ୍ । ତୃତୀୟଥର ଚାମ୍ପିୟନ ହେବା ଲକ୍ଷ୍ୟରେ ଭାରତ ରହିଥିବାବେଳେ ପ୍ରଥମଥର ପାଇଁ ଟି-୨୦ ବିଶ୍ବକପ ଜିତିବା ପାଇଁ ପ୍ରୟାସ କରିବ ନ୍ୟୁଜିଲାଣ୍ଡ । ତେବେ ଯଦି ବର୍ଷା କିମ୍ବା କୌଣସି କାରଣରୁ ଫାଇନାଲ ମୁକାବିଲା ବାତିଲ୍ ହୁଏ ତାହେଲେ କ’ଣ ହେବ ? ଏମିତି ପ୍ରଶ୍ନ ଅନେକ ଫ୍ୟାନ୍ସଙ୍କ ମନରେ ଆସିଛି । ତେବେ ଆସନ୍ତୁ ଆମର ଏହି ପାଠ ଦ୍ବାରା ଜାଣିବା ଯଦି ବାତିଲ୍ ହୁଏ ତାହେଲେ କିଏ ହେବ ବିଜେତା ?
ଆଇସିସି ପକ୍ଷରୁ ଫାଇନାଲରେ ଗୋଟିଏ ଦିନର ରିଜର୍ଭ ଡେ’ ରଖାଯାଇଛି । ଯଦି ୮ ତାରିଖରେ କୌଣସି କାରଣରୁ ବର୍ଷା ହୁଏ ଏବଂ ମ୍ୟାଚ ଅଧାରୁ ବନ୍ଦ ହୁଏ ତାହେଲେ ତା’ ପରଦିନ ସେହିଠାରୁ ଖେଳାଯିବ । ମାତ୍ର ଯଦି ୮ ତାରିଖରେ ଗୋଟିଏ ବି ଓଭର ଖେଳ ନହୁଏ ତାହେଲେ ୯ ତାରିଖରେ ମ୍ୟାଚ ଖେଳାଯିବ । ଉଭୟ ଦିନ ୧୨୦ ମିନିଟ୍ ଅଧିକ ସମୟ ରଖାଯାଇଛି । ଏହାସହ ଅତି କମରେ ଉଭୟ ଦଳ ୧୦ ଓଭର ଲେଖାଏଁ ମ୍ୟାଚ ଖେଳାଯିବ । ତଥାପି ଯଦି ଦୁଇଦିନ ଯାକ ମ୍ୟାଚ ଖେଳାନଯାଏ ତାହେଲେ ଉଭୟ ଦଳ ବିଜେତା ହେବେ । ପୂର୍ବରୁ ମଧ୍ୟ ଏଭଳି ଦେଖିବାକୁ ମିଳିଛି । ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୨୦୨୩ ମସିହା ଚାମ୍ପିୟନ୍ସ ଟ୍ରଫି ସମୟରେ ଉଭୟ ଦଳ ବିଜେତା ହୋଇଥିଲେ । କିନ୍ତୁ ଏଥରକ ସେମିତି କିଛି ହେବା ଭଳି ମନେ ହେଉନି । ଉଭୟ ଦଳ ଦମଦାର ଫର୍ମରେ ଥିବାବେଳେ ସେମିରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଏବେ ଫାଇନାଲ ମୁକାବିଲା ପୁଣି କଡ଼ା ଟକ୍କର ହେବ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ ।
ଚଳିତ ଟି-୨୦ ବିଶ୍ବପରେ ଭାରତ ଦମଦାର ପ୍ରଦର୍ଶନ ଜାରି ରଖିଛି । ଦକ୍ଷିଣଆଫ୍ରିକା ବିପକ୍ଷରେ ସୁପର-୮ ମୁକାବିଲା ହାରିଛି ଭାରତ । ତେବେ ନ୍ୟୁଜିଲାଣ୍ଡ ସହ ଚଳିତ ଟି-୨୦ ବିଶ୍ବକପରେ ପ୍ରଥମଥର ଖେଳିବ ତାହା ପୁଣି ଫାଇନାଲରେ । ଟି-୨୦ କ୍ରିକେଟରେ ଭାରତ ନ୍ୟୁଜିଲାଣ୍ଡଠାରୁ ଅଧିକ ମ୍ୟାଚ ଜିତିଛି । ମାତ୍ର ଟି-୨୦ ବିଶ୍ବକପରେ ଉଭୟ ଦଳ ତିନଥର ସାମ୍ନାସାମ୍ନି ହୋଇଛନ୍ତି । କିନ୍ତୁ ପ୍ରତ୍ୟେକଥର ଭାରତକୁ ପରାଜୟ ବରଣ କରିବାକୁ ପଡ଼ିଛି ।
ଏହାସହ ପଢ଼ନ୍ତୁ : ମ୍ୟାଚ୍ ଦେଖି ବାହାରୁଥିଲେ ବରୁଣ ଧାଓ୍ବନ, ଫ୍ୟାନ୍ସ ସେଲ୍ଫି ଉଠାଇବାରୁ...