ନୂଆଦିଲ୍ଲୀ, ୧୯।୨: ରାଜଧାନୀ ଦିଲ୍ଲୀର ଭାରତ ମଣ୍ଡପମ୍ରେ ଆୟୋଜିତ ହୋଇଛି ଏଆଇ ଇମ୍ପାକ୍ଟ ସମ୍ମିଳନୀ । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଆଇକୁ ନେଇ ନିଜ ଅଭିଭାଷଣ ରଖିଛନ୍ତି । 'AI ଇମ୍ପାକ୍ଟ ସମିଟ୍ ୨୦୨୬' କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃତ୍ରିମ ବୁଦ୍ଧିମତା (AI) ର ଭବିଷ୍ୟତ ଓ ମାନବ ସଭ୍ୟତା ଉପରେ ଏହାର ପ୍ରଭାବ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି । ଏହି ସମିଟ୍ ଭାରତ ସମେତ ସମଗ୍ର 'ଗ୍ଲୋବାଲ୍ ସାଉଥ୍' ପାଇଁ ଏକ ଗର୍ବର ବିଷୟ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଏଆଇକୁ ନେଇ ଭାରତର ଦୃଷ୍ଟିକୋଣ ଏହି ସମିଟ୍ର ଥିମ୍ 'ସର୍ବଜନ ହିତାୟ ସର୍ବଜନ ସୁଖାୟ' ରେ ସ୍ପଷ୍ଟ ପ୍ରତିଫଳିତ ଅର୍ଥ ସମସ୍ତଙ୍କ ହିତ ଆଉ ସମସ୍ତଙ୍କ ସୁଖରେ । ମୋଦି ଆହୁରି କହିଛନ୍ତି, ଏଆଇ ପାଇଁ ମଣିଷ କେବଳ ଏକ ଡାଟା ପଏଣ୍ଟ କିମ୍ବା ର ମ୍ୟାଟେରିଆଲ ହୋଇ ରହିଯିବା ଉଚିତ୍ ନୁହେଁ । ଆମକୁ ଏଆଇକୁ ନିୟନ୍ତ୍ରଣ କରିବାକୁ ହେବ ଏବଂ ଏହାକୁ ସଶକ୍ତିକରଣର ଏକ ମାଧ୍ୟମ ଭାବରେ ଗଢ଼ିବାକୁ ହେବ ।
ବଡ଼ ଭିଜନ୍ ସହ ବଡ଼ ଦାୟିତ୍ୱ:
ପିଏମ୍ ମୋଦି କହିଛନ୍ତି ଯେ, ମେସିନ୍ ଲର୍ଣ୍ଣିଂରୁ 'ଲର୍ଣ୍ଣିଂ ମେସିନ୍' ପର୍ଯ୍ୟନ୍ତ ଯାତ୍ରା ବ୍ୟାପକ । ଆଜିର ପ୍ରଶ୍ନ ଏହା ନୁହେଁ ଯେ ଏଆଇ କ’ଣ କରିପାରିବ,ପ୍ରକୃତ ପ୍ରଶ୍ନ ହେଉଛି ଆମେ ବର୍ତ୍ତମାନ ଏଆଇ ସହିତ କ’ଣ କରୁଛୁ ? ଆଗାମୀ ପିଢ଼ିକୁ ଆମେ ଏଆଇକୁ କେଉଁ ରୂପରେ ହସ୍ତାନ୍ତର କରିବା, ସେଥିପାଇଁ ଆମକୁ ବଡ଼ ଦାୟିତ୍ୱ ନେବାକୁ ପଡ଼ିବ ।
ଏହା ବି ପଢ଼ନ୍ତୁ... ଏବେ ରୋଗୀ ଆଉ ଡାକ୍ତରଙ୍କୁ ସାହାଯ୍ୟ କରିବ AI, AIIMS ସହ ଗୁଗୁଲର ବଡ ବୁଝାମଣା...
AI କ୍ଷେତ୍ରରେ 'ମେକ୍ ଇନ୍ ଇଣ୍ଡିଆ'ର ପ୍ରତିଫଳନ:
ସମିଟ୍ରେ ପ୍ରଦର୍ଶିତ ହେଉଥିବା ବିଭିନ୍ନ ସମାଧାନକୁ ପ୍ରଶଂସା କରି ସେ କହିଛନ୍ତି କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟ ଏହି ସବୁ କ୍ଷେତ୍ରରେ ଭାରତୀୟ ଯୁବପିଢ଼ି ଏଆଇର ନୂତନ ପ୍ରୟୋଗ କରୁଛନ୍ତି । ଭାରତର ଯୁବପିଢ଼ି ଯେଭଳି ଭାବେ ଏହି ପ୍ରଯୁକ୍ତିକୁ ଆପଣାଉଛନ୍ତି, ତାହା 'ମେକ୍ ଇନ୍ ଇଣ୍ଡିଆ'ର ପ୍ରକୃତ ଭାବନାକୁ ଦର୍ଶାଉଛି ।
ମାନବ ଇତିହାସର ଟର୍ଣ୍ଣିଂ ପଏଣ୍ଟ:
ପ୍ରଧାନମନ୍ତ୍ରୀଙ୍କ କହିବାନୁଯାୟୀ, କିଛି ଶତାବ୍ଦୀ ବ୍ୟବଧାନରେ ଏପରି ଏକ ସମୟ ଆସେ ଯେତେବେଳେ ସଭ୍ୟତାର ଦିଗ ବଦଳିଯାଏ । ଏଆଇ ଆଜି ସେହି 'ଟର୍ଣ୍ଣିଂ ପଏଣ୍ଟ'ରେ ଛିଡ଼ା ହୋଇଛି । ବିଶ୍ୱର ୧୦୦ରୁ ଅଧିକ ଦେଶର ପ୍ରତିନିଧିଙ୍କ ଉପସ୍ଥିତି ଏହି ସମିଟ୍କୁ ଏକ ନୂତନ ଶିଖରକୁ ନେଇଛି । 'AI ଇମ୍ପାକ୍ଟ ସମିଟ୍ ୨୦୨୬' କୁ ସମ୍ବୋଧିତ କରି କୃତ୍ରିମ ବୁଦ୍ଧିମତା (AI) କୁ ନେଇ ମୋଦି ଭାରତର ସ୍ପଷ୍ଟ ଆଭିମୁଖ୍ୟ ରଖିଛନ୍ତି । ସେ କହିଛନ୍ତି ଯେ, "ଭାରତ ପାଇଁ ଏଆଇ କେବଳ ଏକ ପ୍ରଯୁକ୍ତିବିଦ୍ୟା ନୁହେଁ, ବରଂ ଏହା ଦେଶର ଭବିଷ୍ୟତ ଓ ଭାଗ୍ୟ ବଦଳାଇବାର ଏକ ମାଧ୍ୟମ । ମୁଁ ଅତ୍ୟନ୍ତ ଗର୍ବର ସହ କହୁଛି ଯେ, ଭାରତକୁ AI ମଧ୍ୟରେ ଭୟ ଦିଶୁନାହିଁ, ବରଂ ଭାରତକୁ ଏଆଇ ମଧ୍ୟରେ ଭାଗ୍ୟ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ଦିଶୁଛି ।"