ନୂଆଦିଲ୍ଲୀ,୦୨/୦୯: ଭାରତ-ଆମେରିକା ମଧ୍ୟରେ ଲାଗି ରହିଥିବା ଟାରିଫ୍ ଟେନ୍‌ସନ ଭିତରେ ବଡ଼ ଯୁଦ୍ଧାଭ୍ୟାସ ହୋଇଛି । ସେପ୍ଟେମ୍ବର ୧ରୁ ଅର୍ଥାତ୍ ଗତକାଲିଠୁ ଦୁଇ ଦେଶର ସାମିରକ ଦଳ ଆଲାସ୍କାରେ ସମରାଭ୍ୟାସ ଆରମ୍ଭ କରିଛନ୍ତି । ଆସନ୍ତା ୧୪ ଯାଏ ଏହି ଯୁଦ୍ଧାଭ୍ୟାସ ଚାଲିବ ।

ବାଣିଜ୍ୟ ଏବଂ ଶୁଳ୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ନୀତି ପାଇଁ ଭାରତ-ଆମେରିକା ସମ୍ପର୍କ ଖରାପ ରହିଛି । ଭାରତ ଉପରେ ୫୦% ଟାରିଫ୍ ଲଦିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହାରି ଭିତରେ ଦୁଇ ଦେଶର ସାମରିକ ଦଳ ୧୪ ଦିନିଆ 'ଯୁଦ୍ଧ ଅଭ୍ୟାସ-୨୦୨୫' ଆରମ୍ଭ କରିଛନ୍ତି । ସେପ୍ଟେମ୍ବର ୧ରୁ ୧୪ ପର୍ଯ୍ୟନ୍ତ ଏହି ସମରାଭ୍ୟାସ ଚାଲିବ । ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ମାଡ୍ରାସ ରେଜିମେମ୍ଟର ଏକ ବାଟାଲିୟନର କର୍ମଚାରୀମାନଙ୍କୁ ନେଇ ଗଠିତ ଭାରତୀୟ ଦଳ ଆମେରିକାର ୧୧ତମ ଏୟାରବର୍ଣ୍ଣ ଡିଭିଜନର ଆର୍କଟିକ ୱଲ୍ଭସ୍‌ କମ୍ବାଟ୍‌ ଟିମ୍‌ର ୫ମ ପଦାତିକ ରେଜିମେଣ୍ଟ୍‌ ବବ୍‌କ୍ୟାଟ୍ସର ପ୍ରଥମ ବାଟାଲିନୟନର ସୈନିକମାନଙ୍କ ସହ ତାଲିମ ନେବେ । ଦୁଇ ସପ୍ତାହ ଧରି ସୈନ୍ୟମାନେ ହେଲିବର୍ଣ୍ଣ ଅପରେସନ୍, ନିରୀକ୍ଷଣ ସମ୍ବଳ ଏବଂ ମାନବହୀନ ବାୟୁ ପ୍ରଣାଳୀର ନିଯୁକ୍ତି, ପଥର କ୍ରାପ୍ଟ, ପର୍ବତ ଯୁଦ୍ଧ, ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ସ୍ଥାନାନ୍ତର, ଯୁଦ୍ଧ ଚିକିତ୍ସା, ତୋପ, ବିମାନ ଯୁଦ୍ଧ ପ୍ରଣାଳୀ ସମେତ ବିଭିନ୍ନ କୌଶଳଗତ ଅଭ୍ୟାସ କରିବେ ।

୨୦୦୭ରୁ ଏଯାବତ୍‌ ଭାରତ ଓ ଆମେରିକା ମଧ୍ୟରେ ୨୫ ଅରବ ଡଲାର ରକ୍ଷା ଚୁକ୍ତି ହୋଇଛି । ବର୍ତ୍ତମାନ ସ୍ଥିତିକୁ ଦେଖିଲେ ଭାରତକୁ ବିକଳ୍ପ ଖୋଜିବାର ଆବଶ୍ୟକତା ରହିଛି । ଭାରତ ଏବେ ଅନ୍ୟ ଦେଶର ସହଯୋଗରେ ସ୍ୱଦେଶୀ ଅସ୍ତ୍ର ତିଆରି କରିବା ଦିଗରେ ଫୋକସ୍‌ କରୁଛି । ନିଜ ଦେଶରେ ଯୁଦ୍ଧ ବିମାନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି ଭାରତ । ସୀମା ବିବାଦ ଭିତରେ ବି ଚୀନ ସହିତ ସମ୍ପର୍କ ସୁଧାରିବାକୁ ପ୍ରୟାସ କରୁଛି ।