ନୂଆଦିଲ୍ଲୀ,୧୭।୨: ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ତାରିକ୍ ରହମାନ। ଏହି ଅବସରରେ ଭାରତ ପକ୍ଷରୁ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ଉପସ୍ଥିତ ଥିଲେ। ମଙ୍ଗଳବାର ନବ ନିର୍ବାଚିତ ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କୁ ଭେଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଅଭିନନ୍ଦନ ପତ୍ର ପ୍ରଦାନ କରିଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ବୈଦେଶିକ ସଚିବ ବିକ୍ରମ ମିଶ୍ରଙ୍କ ସହିତ ଓମ୍ ବିର୍ଲା ରହମାନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ। ଏହି ସମୟରେ ବିର୍ଲା ମାଳଦ୍ୱୀପର ରାଷ୍ଟ୍ରପତି, ଭୁଟାନର ପ୍ରଧାନମନ୍ତ୍ରୀ ଏବଂ ଅନ୍ୟାନ୍ୟ ନେତାଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ।

ଲୋକସଭା ଅଧ୍ୟକ୍ଷ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଯେ, ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ସହ ମୋର ଏକ ଫଳପ୍ରଦ ସାକ୍ଷାତ ହୋଇଥିଲା। ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ବ୍ୟକ୍ତିଗତ ଚିଠି ତାଙ୍କୁ ପ୍ରଦାନ କରିଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି ତାରିକ ରହମାନଙ୍କୁ ଭାରତ ଗସ୍ତ କରିବାକୁ ନିମନ୍ତ୍ରଣ କରିଛନ୍ତି।’

ତାରିକ ରହମାନଙ୍କ ସହ ସାକ୍ଷାତ ସମ୍ପର୍କରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି, ‘ମୁଁ ଭାରତର ଲୋକଙ୍କ ପକ୍ଷରୁ ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲି ଏବଂ ଆମର ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ସ୍ଥାୟୀ ସହଭାଗୀତାକୁ ଆହୁରି ମଜବୁତ କରିବା ପାଇଁ ମୋର ପ୍ରତିବଦ୍ଧତାକୁ ଦୋହରାଇଛି। ଭାରତରେ ଅବସ୍ଥାପିତ ବାଂଲାଦେଶ ହାଇକମିଶନର ରିଆଜ ହମିଦୁଲ୍ଲା କହିଛନ୍ତି, ‘ଓମ୍ ବିର୍ଲା ଭାରତର ଶୁଭେଚ୍ଛା ଜଣାଇବା ସହିତ ତାରିକଙ୍କୁ ଆସିବାକୁ ନିମନ୍ତ୍ରଣ କରିଛନ୍ତି। ଉଭୟ ନେତା ବାଂଲାଦେଶ ଏବଂ ଭାରତର ଲୋକଙ୍କ କଲ୍ୟାଣ ପାଇଁ ଲୋକ-କୈନ୍ଦ୍ରିକ ସହଯୋଗ ନୀତି ଉପରେ ଏକାଠି କାମ କରିବାକୁ ଆଶା ପ୍ରକାଶ କରିଛନ୍ତି।’

ଆହୁରି ପଢନ୍ତୁ: ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ହେଉ ସିବିଆଇ ତଦନ୍ତ, ଉପ-ମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାରଙ୍କ ଦାବି