ନୂଆଦିଲ୍ଲୀ,୨୫/୦୮: ଗ୍ଲୋବାଲ ଟେକ୍ନୋଲୋଜି କମ୍ପାନି ଗୁଡ଼ିକ ଲାଗି ଭାରତ ଏବେ  ପ୍ରମୁଖ ବଜାର ଭାବେ ଉଭା ହୋଇଛି । ଏବେ  କୃତ୍ରିମ ବୁଦ୍ଧିମତାକୁ ନେଇ ବିଶ୍ୱ ବଜାରରେ କଡ଼ା  ପ୍ରତିଯୋଗିତା ଲାଗି ରହିଥିବା ବେଳେ ଭାରତ ଏବେ  ଗ୍ରାଉଣ୍ଡ ଜିରୋ ପାଲଟିଛି । ବିଶ୍ୱର ପ୍ରମୁଖ କମ୍ପାନି ଓପନ ଏଆଇ ନୂଆଦିଲ୍ଲୀରେ ଏହାର କାର୍ଯ୍ୟାଳୟ  ସ୍ଥାପନ କରିବାକୁ ଘୋଷଣା କରିବା ପରେ ଭାରତ  ବଜାରକୁ ନେଇ ଏବେ ଉତ୍କଣ୍ଠା ବଢ଼ିଛି ।

ଓପନ ଏଆଇ ସହପ୍ରତିଷ୍ଠାତା ତଥା ସିଇଓ  ସାମ୍‌ ଅଲ୍ଟମ୍ୟାନ କହିଛନ୍ତି, ଏଆଇ କ୍ଷେତ୍ରରେ  ଭାରତରେ ବଡ଼ ସୁଯୋଗ ରହିଛି । ଗ୍ଲୋବାଲ ଏଆଇ ଲିଡର ହେବା ଦିଗରେ ଭାରତ କ୍ଷମତା  ରଖେ । ଏଠାରେ ଟେକ୍‌ ଟାଲେଣ୍ଟ, ବିଶ୍ୱ ସ୍ତରୀୟ  ଡେଭଲପର ଇକୋସିଷ୍ଟମ ଇଣ୍ଡିଆ ଏଆଇ ମିଶନ  ଭଳି ସରକାରଙ୍କ ସହଯୋଗ ଏହି କ୍ଷେତ୍ରକୁ ଉତ୍ସାହିତ  କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ । 

ଓପନ ଏଆଇ ପ୍ଲାଟଫର୍ମ ଲାଗି ଭାରତ ବିଶ୍ୱର  ୫ମ ବୃହତ ଡେପଲପର ମାର୍କେଟ ଭାବେ ଉଭା  ହୋଇଛି । ଭାରତରେ ଚାଟ୍‌ଜିପିଟିର ଅଭିବୃଦ୍ଧି  ଉଲ୍ଲେଖନୀୟ ରହିଛି । ଘରୋଇ ବଜାର ହେଉଛି  ଏଆଇ ଲାଗି ଦ୍ୱିତୀୟ ବଡ ବଜାର । କମ୍ପାନି  ନିକଟରେ ଭାରତ ବଜାର ଲାଗି ମଧ୍ୟ ୩୯୯ ଟଙ୍କାର  ଏକ ଅଫର ଆଣିଛି । କେନ୍ଦ୍ର ଇଲେକଟ୍ରୋନିକ୍ସ ଏବଂ  ଆଇଟି ମନ୍ତ୍ରଣାଳୟ ସହ ମିଳିତ ହୋଇ କମ୍ପାନି  ଓପନଏଆଇ ଏକାଡେମୀ ଲଞ୍ଚ କରିଛି । ଏହା ଦ୍ୱାରା  ଘରୋଇ ବଜାରରେ ଏଆଇ ସଚେତନତା ସୃଷ୍ଟି  ଉପରେ କମ୍ପାନି ଧ୍ୟାନ କେନ୍ଦ୍ରିତ କରିବ ।  

ଓପନ ଏଆଇର ଏହି ନିଷ୍ପତ୍ତିକୁ କେନ୍ଦ୍ର ମନ୍ତ୍ରୀ  ଅଶ୍ୱିନୀ ବୈଷ୍ଣବ ସ୍ୱାଗତ କରିଛନ୍ତି । ଡିଜିଟାଲ  ନବସୃଜନ ଏବଂ ଏଆଇ ଗ୍ରହଣୀୟତା ଦିଗରେ ଏହା ଭାରତର କ୍ଷମତାକୁ ପ୍ରତିପାଦିତ କରୁଛି ବୋଲି  କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ପ୍ରତି ଲୋକ  ଯେଭଳି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଲାଭ  ପାଇବେ ସେଥିଲାଗି ଏକ ଇକୋସିଷ୍ଟମ ଗଠନ  ଦିଗରେ କେନ୍ଦ୍ର ସରକାର ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ  କରିବେ । 

ଡାଟା କ୍ଷେତ୍ରରେ ଜିଓ ଭଳି ଏଆଇକୁ ଘରୋଇ  ବଜାରରେ ଲୋକପ୍ରିୟ କରିବା ଲାଗି ଓପନ ଏଆଇ  ଏଭଳି ସୁଲଭ ପ୍ଲାନ ଉପରେ ଧ୍ୟାନ କେନ୍ଦ୍ରିତ  କରିଥିବା କୁହାଯାଉଛି । କେବଳ ଓପନ ଏଆଇ  ନୁହେଁ ଅନ୍ୟ ପ୍ରମୁଖ କମ୍ପାନି ଗୁଗଲ, ମାଇକ୍ରୋସଫ୍ଟ  ଏବଂ ପରପ୍ଲେକ୍ସିଟି ଭଳି କମ୍ପାନି ମଧ୍ୟ ଭାରତ  ବଜାରକୁ ନେଇ ବେଶ ଆଶାବାଦୀ ରହିଛନ୍ତି । 

ଗୁଗଲର ଜେମିନି ପ୍ରିମିୟମ ପ୍ଲାନ ୧୯୫୦  ଟଙ୍କାରେ ଉପଲବ୍ଧ ହେଉଛି । ଏଥିରେ ବିଭିନ୍ନ  ସେବା ଲୋକଙ୍କ ଲାଗି ଉପଲବ୍ଧ କରାଉଛି କମ୍ପାନି । ସେହିଭଳି ଭାରତୀୟଙ୍କ ଦ୍ୱାରା ପ୍ରତିଷ୍ଠିତ  ପରପ୍ଲେକ୍ସିଟି ଏଆଇ ବାର୍ଷିକ ୧୭ ହଜାର ଟଙ୍କିଆ  ପ୍ଲାନ ଲାଗି ଏୟାରଟେଲ ସହ ଚୁକ୍ତି କରିଛି ।  ଏଲନ ମସ୍କଙ୍କ ଏକ୍ସଏଆଇ ଭାରତରେ ସୁପର  ଗ୍ରୋକ୍‌ ସୁବିଧା ମାସିକ ୭୦୦ ଟଙ୍କାରେ ପ୍ରଦାନ  କରିବାକୁ ଲକ୍ଷ୍ୟ ରଖିଛି । 

କମ୍ପାନିଙ୍କ ମଧ୍ୟରେ ଏହି ପ୍ଲାନ ଗୁଡ଼ିକୁ ନେଇ  ମଧ୍ୟ ପ୍ରତିଯୋଗିତା ଲାଗିଲାଣି । ତେବେ ଭାରତୀୟ  କମ୍ପାନି ମଧ୍ୟ ଏଆଇ ବିକାଶରେ ପଛରେ ନାହାନ୍ତି ।  ୟୁନିକର୍ଣ୍ଣ ଷ୍ଟାର୍ଟଅପ୍‌ କୃତ୍ରିମ ଏବଂ ଚ୍ୟାଲେଞ୍ଜର୍ସ  ସର୍ଭମ ଏଆଇ ଏବଂ ଭାରତ ଜିପିଟି ବିକଶିତ  କରିଛନ୍ତି । ଏହାକୁ ଦେଶର ପ୍ରଥମ ଲାର୍ଜ ଲାଙ୍ଗୁଏଜ  ମଡେଲ ବୋଲି କୁହାଯାଉଛି । ସେହିଭଳି  କ୍ୟୁରଏଆଇ, ନିରମଏଆଇ, ମ୍ୟାଡଷ୍ଟ୍ରିଟ ଡେନ,  ୟେଲୋ ଏଆଇ ମଧ୍ୟ ଘରୋଇ ବଜାରରେ କାମ  କରୁଛନ୍ତି । ୨୦୪୭ ସୁଦ୍ଧା ଭାରତକୁ ଗ୍ଲୋବାଲ  ଏଆଇ ହବ୍‌ ଭାବେ ବିକଶିତ କରିବା ସରକାରଙ୍କ  ଲକ୍ଷ୍ୟ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ୱାଧୀନତା  ଦିବସରେ ଦେଶବାସୀଙ୍କୁ ବାର୍ତ୍ତାରେ କହିଥିଲେ ।