ନୂଆଦିଲ୍ଲୀ, ୦୪/୦୫: ବିଶ୍ୱର ଅଧାରୁ ଅଧିକ ଦେଶ ପ୍ରେସ୍ ସ୍ୱାଧୀନତା କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରିପାରିନାହାନ୍ତି । ‘ରିପୋଟର୍ସ ୱିଦଆଉଟ୍ ବର୍ଡର୍ସ’ ଦ୍ୱାରା ପ୍ରକାଶିତ ୨୦୨୬ ବିଶ୍ୱ ପ୍ରେସ୍ ସ୍ୱାଧୀନତା ସୂଚକାଙ୍କରେ ଅଧିକାଂଶ ଦେଶର ସ୍ଥିତି ଗମ୍ଭୀର କିମ୍ବା ଅତ୍ୟନ୍ତ ଗମ୍ଭୀର ବର୍ଗରେ ରହିଛି । ସେଥିରୁ ଭାରତ ବି ବାଦ୍ ପଡ଼ିନି । ୧୮୦ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୧୫୭ ରହିଛି ।
୨୦୨୫ରେ ଭାରତ ୧୫୧ ସ୍ଥାନରେ ରହିଥିଲା ବେଳେ ଏବେ ତାହା ୬ ସ୍ଥାନ ତଳକୁ ଖସିଛି । ଏପରିକି ଭାରତର ଅବସ୍ଥା ନେପାଳ ଏବଂ ପାକିସ୍ତାନଠାରୁ ବି ଖରାପ ରହିଛି । ନେପାଳ ୮୭ ତମ ଏବଂ ପାକିସ୍ତାନ ୧୫୩ ତମ ସ୍ଥାନରେ ସ୍ଥାନିତ ହୋଇଛି । ରବିବାର (ମେ’ ୩) ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଅବସରରେ ବିରୋଧୀ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇଛି । ଭାରତୀୟ ଗଣମାଧ୍ୟମର ସ୍ୱାଧୀନତାକୁ ନେଇ କଂଗ୍ରେସ ଗମ୍ଭୀର ଚିନ୍ତା ପ୍ରକଟ କରିଛି ଏବଂ ଏହା ଦେଶର ଗଣତନ୍ତ୍ର ପାଇଁ ବଡ଼ ବିପଦ ଘଣ୍ଟି ବୋଲି କହିଛି । ଏକ୍ସରେ କଂଗ୍ରେସ ଏକ ପୋଷ୍ଟ ଜରିଆରେ କେନ୍ଦ୍ର ସରକାରଙ୍କୁ ଘେରିଛି ଏବଂ ସାମ୍ବାଦିକଙ୍କ ସମର୍ଥନରେ ବାହାରିଛି ।
ପୋଷ୍ଟରେ ଲେଖାଯାଇଛି, ଏକ ସ୍ୱାଧୀନ ପ୍ରେସ୍ ଗଣତନ୍ତ୍ରର ପ୍ରକୃତ ସ୍ୱର ହୋଇଥାଏ । କିନ୍ତୁ ଆଜି ଗଣତନ୍ତ୍ରର ଏହି ସ୍ୱର ଉପରେ ଲଗାତର ଆକ୍ରମଣ ହେଉଛି । ଯେଉଁମାନେ ଶାସକଙ୍କ ସମ୍ମୁଖରେ ନିର୍ଭୟରେ ସତ କହିବାର ସାହସ ରଖିଛନ୍ତି ସେମାନଙ୍କ ସହ କଂଗ୍ରେସ ସବୁବେଳେ ଛିଡ଼ା ହୋଇଛି । ଏପ୍ରିଲ ୩୦ରେ ପ୍ରକାଶିତ ଏହି ସୂଚକାଙ୍କରେ ନରୱେ ଲଗାତର ୧୦ମ ଥର ପାଇଁ ୧ ନମ୍ବର ସ୍ଥାନ ଅଧିକାର କରିଛି । ତାଲିକାର ଶେଷରେ ଏରିଟ୍ରିଆ କ୍ରମାଗତ ୩ୟ ଥର ପାଇଁ ରହିଛି । ଚୀନ୍ର ସ୍ଥାନ ୧୭୮ ରହିଥିବାବେଳେ, ଆଫଗାନିସ୍ତାନର ୧୭୫, ରୁଷ୍ର ୧୭୨, ଶ୍ରୀଲଙ୍କା ୧୩୪, ବାଂଲାଦେଶ ୧୫୨, ମାଳଦ୍ୱୀପ ୧୦୮, ଭୂଟାନ ୧୫୦ ତମ ସ୍ଥାନରେ ରହଛି ।
ଅଧିକ ପଢ଼ନ୍ତୁ :- ଚୀନ୍ କମ୍ପାନୀର ଧମକ ଆଗରେ ମୁଣ୍ଡ ନୁଆଁଇଲେ ଶେହବାଜ ସରିଫ୍, ଗଧ ମାଂସ ରପ୍ତାନିକୁ ତୁରନ୍ତ ଦେଲେ ମଞ୍ଜୁରୀ