ନୂଆଦିଲ୍ଲୀ: ଚାଇନାକୁ ମୁହଁତୋଡ ଜବାବ ଦେଲା ଭାରତ। ଖବର ମୁତାବକ ଚାଇନା ଅରୁଣାଚଳପ୍ରଦେଶର କେତେକ ଜାଗାର ନାମ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଥିବା ବେଳେ ଏହାର କଡା ବିରୋଧ କରିଛି ଭାରତ। ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟ କହିଛି ଯେ, "ସୃଜନଶୀଳ ନାମକରଣ ବାସ୍ତବତାକୁ ବଦଳାଇ ପାରିବ ନାହିଁ। ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଂଶ ଥିଲା ଏବଂ ଆଗକୁ ମଧ୍ୟ ରହିବ।"
ସୂଚନା ଅନୁଯାୟୀ, ଗତ ମଇ ୧୧-୧୨ ତାରିଖ ଦିନ ଚୀନ୍ର ବେସାମାରିକ ବିମାନ ଚଳାଚଳ ବିଭାଗ ଅରୁଣାଚଳ ପ୍ରଦେଶରେ ଥିବା ୨୭ଟି ସ୍ଥାନକୁ ନିଜ ଦାବି ଅନୁଯାୟୀ ନୂଆ ନାମ ଦେବାର ଚେଷ୍ଟା କରିଛି। ଯାହାକୁ ଚୀନ୍ "ଜାଙ୍ନାନ" ବୋଲି ଦାବି କରୁଛି। ଏହା ଚୀନ୍ର ଏକ ପୁରୁଣା ରଣନୀତି, ଯେଉଁଥିରେ ସେ ଅରୁଣାଚଳ ପ୍ରଦେଶରେ ନିଜର ଅମୂଳକ ଦାବିକୁ ଜୋରଦାର କରିବାକୁ ଚେଷ୍ଟା କରୁଛି। ଗତ ୨୦୧୭, ୨୦୨୧ ଏବଂ ୨୦୨୩ରେ ମଧ୍ୟ ଚୀନ୍ ଏହିପରି ନୂତନ ନାମକରଣ କରିଥିଲା। ଯାହାକୁ ଭାରତ ପୂର୍ବରୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଥିଲା।
ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧିର ଜୟସୁଆଲ କହିଛନ୍ତି, "ଚୀନ୍ର ଏହି ପ୍ରକାର ଅମୂଳକ ପ୍ରୟାସ ଅରୁଣାଚଳ ପ୍ରଦେଶର ଭାରତୀୟ ଅଂଶ ହେବାର ଐତିହାସିକ ଏବଂ ଭୌଗୋଳିକ ବାସ୍ତବତାକୁ ବଦଳାଇ ପାରିବ ନାହିଁ।" ଅରୁଣାଚଳ ପ୍ରଦେଶରେ ଭାରତ ନିୟମିତ ଭାବେ ଭିତ୍ତିଭୂମି ବିକାଶ ଏବଂ ସୀମା ସୁରକ୍ଷା କାର୍ଯ୍ୟ ଜାରି ରଖିଛି। ଯାହା ଚୀନ୍ର ଏକପାଖିଆ ଦାବିକୁ ଆହୁରି ନିରାଧାର ପ୍ରମାଣିତ କରୁଛି।
ଅରୁଣାଚଳପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ମଧ୍ୟ ଏହି ଘଟଣାରେ ପ୍ରତିକ୍ରିୟା ରଖି କହିଛନ୍ତି, "ଅରୁଣାଚଳପ୍ରଦେଶ ଭାରତର ଅଂଶ ଏବଂ ଏହାର ପ୍ରତ୍ୟେକ ଗାଁ ଓ ସହର ଭାରତୀୟ ସାର୍ବଭୌମତ୍ଵ ଅଧୀନରେ ରହିଛି। ଚୀନ୍ର ଏହି ପ୍ରକାର କୌଶଳ ଭାରତଠୁ ଅରୁଣାଚଳ ପ୍ରଦେଶକୁ ଅଲଗା କରିବା ପାଇଁ। କିନ୍ତୁ ଆମେ ଭାରତର ଅବ୍ୟଚ୍ଛେଦ ଅଙ୍ଗ। ଆନେ ଏଭଳି ଦାବିକୁ କଦାପି ଗ୍ରହଣ କରିପାରିବୁ ନାହିଁ।"
ଚୀନ୍ର ଏହି ପଦକ୍ଷେପ ଦୁଇ ଦେଶ ମଧ୍ୟରେ ସୀମା ବିବାଦକୁ ଆହୁରି ଜଟିଳ କରିଛି। ଭାରତ ଏବଂ ଚୀନ୍ ମଧ୍ୟରେ ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ (ଏଲଏସି) ବିବାଦ ନେଇ ଦୀର୍ଘ ଦିନ ଧରି ଉତ୍ତେଜନା ଲାଗି ରହିଛି। ଭାରତ ବିଶ୍ଵ ସମୁଦାୟକୁ ଚୀନ୍ର ଏହି ଏକପାଖିଆ ପଦକ୍ଷେପ ବିରୋଧରେ ସଚେତନ କରାଇବା ସହ ଶାନ୍ତିପୂର୍ଣ୍ଣ ଆଲୋଚନା ଜରିଆରେ ସୀମା ବିବାଦ ସମାଧାନ ପାଇଁ ପୁନର୍ବାର ଆହ୍ବାନ ଦେଇଛି। ତେବେ ଏହି ଘଟଣା ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ଏବଂ ସୀମା ସ୍ଥିତି ଉପରେ ଆଗାମୀ ଦିନରେ ଗୁରୁତ୍ଵପୂର୍ଣ୍ଣ ପ୍ରଭାବ ପକାଇପାରେ ବୋଲି ବିଶେଷଜ୍ଞ ମାନେ ମତ୍ତ ପ୍ରକାଶ କରିଛନ୍ତି।