ନୂଆଦିଲ୍ଲୀ : ପଶ୍ଚିମ ଏସିଆରେ ବଢୁ ଥିବା ଯୁଦ୍ଧର ନିଆଁ ଏବଂ ଇରାନ-ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ସଂଘର୍ଷ ବିଶ୍ୱର ସୁରକ୍ଷା ଚିତ୍ରକୁ ବଦଳାଇ ଦେଇଛି। ଏହି ପରିସ୍ଥିତିରେ ଭାରତ ନିଜର ସୀମା ଏବଂ ଆକାଶ ମାର୍ଗକୁ ସୁରକ୍ଷିତ ରଖିବା ପାଇଁ ହାଇ-ଆଲର୍ଟରେ ରହିବା ସହ ବାୟୁସେନାର ଆଧୁନିକୀକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି।

ସଦ୍ୟତମ ଖବର ଅନୁସାରେ, ଭାରତ ରୁଷ୍ ଠାରୁ ଆଉ ୫ଟି ନୂଆ S-400 ସୁଦର୍ଶନ ଏୟାର ଡିଫେନ୍ସ ମିସାଇଲ ସ୍କ୍ୱାଡ୍ରନ କିଣିବାକୁ ଯାଉଛି। ଗତ ବର୍ଷ 'ଅପରେସନ ସିନ୍ଦୂର' ସମୟରେ ଏହି ପ୍ରତିରକ୍ଷା ପ୍ରଣାଳୀ ନିଜର ସଫଳତା ପ୍ରମାଣିତ କରି ସାରିଛି। ଶତ୍ରୁପକ୍ଷର ମିସାଇଲ ଏବଂ ଡ୍ରୋନକୁ ଆକାଶରେ ହିଁ ନଷ୍ଟ କରିବାରେ ଏହା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟବସ୍ଥା ଭାବେ ଖୁବ୍ ଜଣାଶୁଣା।

ଭାରତ ପ୍ରଥମେ ୨୦୧୮ରେ ରୁଷ ପାଞ୍ଚଟି ସ୍କ୍ୱାଡ୍ରନ S-400 କ୍ରୟ କରିଥିଲା, ଯେଉଁଥିରେ ତିନୋଟି ଡେଲିଭର ହୋଇ ସାରିଛି। ଅନ୍ୟ ଦୁଇଟି ୨୦୨୬-୨୦୨୭ ସୁଦ୍ଧା ଆସିବ। ଏବେ ୫ଟି ଅତିରିକ୍ତ ସ୍କ୍ୱାଡ୍ରନ କିଣି ଭାରତ ନିଜର ଲମ୍ୱା ଦୂରଗାମୀ ଆକାଶ ମାର୍ଗର ପ୍ରତିରକ୍ଷାକୁ ଦୁଇଗୁଣା କରିବାକୁ ଚାହିଁଛି। ଏହି ସିଷ୍ଟମ ପୂର୍ବ ଓ ପଶ୍ଚିମ ଉଭୟ ମାମଲାରେ ମୁତୟନ କରାଯିବ।

ଏହା ସହ ମଧ୍ୟ ପଢନ୍ତୁ : ଦୁବାଇରୁ ଫେରିବା ପରେ ଆଶ୍ୱସ୍ତିର ନିଃଶ୍ୱାସ ନେଲେ ପିଭି ସିନ୍ଧୁ , ଅଲ୍ ଇଂଲଣ୍ଡ ଚାମ୍ପିୟନସିପ୍‌ରେ ଖେଳିବେ ନାହିଁ

ଭାରତୀୟ ବାୟୁସେନା ନିଜର ପ୍ରମୁଖ ଯୁଦ୍ଧ ବିମାନ Su-30MKI ର ବଡ଼ ଧରଣର ଅପଗ୍ରେଡ୍ ପାଇଁ ପ୍ରସ୍ତୁତି ଚଳାଇଛି। ଏଥିରେ ସ୍ୱଦେଶୀ 'ବିରୂପାକ୍ଷ' ରାଡାର ଏବଂ ଉନ୍ନତ ଇଲେକ୍ଟ୍ରୋନିକ ୱାରଫେୟାର ସୁଇଟ୍ ଲଗାଯିବ। ଏହା ସହିତ, ଚଳିତ ମାସ ଶେଷ ସୁଦ୍ଧା ବାୟୁସେନାକୁ ଆଉ ୬ଟି ନୂତନ ତେଜସ (Tejas Mk-1A) ଯୁଦ୍ଧ ବିମାନ ମିଳିବାର ସମ୍ଭାବନା ରହିଛି।

ଭାରତ ଫ୍ରାନ୍ସ ଠାରୁ SCALP ଲମ୍ୱା ଦୂରଗାମୀ କ୍ରୁଜ ମିସାଇଲ ବହୁ ସଂଖ୍ୟାରେ କ୍ରୟ କରିବାକୁ ପ୍ରସ୍ତୁତ ହେଉଛି। ଅପରେସନ ସିନ୍ଦୂରରେ ଭାରତୀୟ ବାୟୁ ସେନା ରାଫେଲ ଫାଇଟର ଜେଟ୍ରେ SCALP ଓ ବ୍ରହ୍ମୋସ ମିସାଇଲର ବ୍ୟବହାର କରି ପାକିସ୍ତାନରେ ଜୈଶ-ଏ-ମହମ୍ମଦ ଓ ଲଶ୍କର-ଏ-ତୈୟବାର ମୁଖ୍ୟାଳୟକୁ ପୂରା ନଷ୍ଟ କରିଥିଲା।

ନିକଟରେ ରାଜସ୍ଥାନର ପୋଖରାନ ଠାରେ ଅନୁଷ୍ଠିତ 'ବାୟୁ ଶକ୍ତି-୨୦୨୬' ଯୁଦ୍ଧାଭ୍ୟାସରେ ଭାରତ ନିଜର ପ୍ରକୃତ ସାମର୍ଥ୍ୟ ପ୍ରଦର୍ଶନ କରିଥିଲା। ପ୍ରାୟ ୧୩୦ରୁ ଅଧିକ ଯୁଦ୍ଧ ବିମାନ (ରାଫେଲ୍, ସୁଖୋଇ, ମିରାଜ୍) ଏବଂ ସ୍ୱଦେଶୀ ହେଲିକପ୍ଟର 'ପ୍ରଚଣ୍ଡ' ଏହି ଅଭ୍ୟାସରେ ସାମିଲ ହୋଇ ଶତ୍ରୁ ଶିବିର ଉପରେ ସଠିକ୍ ଆକ୍ରମଣ କରିବାର କ୍ଷମତା ପ୍ରଦର୍ଶନ କରିଥିଲେ।

ଇରାନ ସହ ଯୁଦ୍ଧ ସତ୍ତ୍ୱେ ଇସ୍ରାଏଲ ଭାରତର ଏକ ପ୍ରମୁଖ ପ୍ରତିରକ୍ଷା ସହଯୋଗୀ ଭାବେ ରହିଛି। ରିପୋର୍ଟ ଅନୁଯାୟୀ, ୨୦୨୬ ବର୍ଷ ପାଇଁ ଇସ୍ରାଏଲ ଭାରତ ସହ ପ୍ରାୟ ୮.୬ ବିଲିୟନ ଡଲାରର ପ୍ରତିରକ୍ଷା ଚୁକ୍ତି କରିଛି, ଯେଉଁଥିରେ ଅତ୍ୟାଧୁନିକ ମିସାଇଲ ଏବଂ ସେନ୍ସର ଟେକ୍ନୋଲୋଜି ସାମିଲ ରହିଛି।

ଭାରତର ନିଜସ୍ୱ ଦୂରଗାମୀ ଏୟାର ଡିଫେନ୍ସ ସିଷ୍ଟମର ବିକାଶ କରୁଛି। ଆଧୁନିକ ଯୁଦ୍ଧ ପାଇଁ ସ୍ୱଦେଶୀ ଘାତକ ଡ୍ରୋନର ସଫଳ ପରୀକ୍ଷଣ। ମଧ୍ୟ-ପ୍ରାଚ୍ୟରେ ଅସ୍ଥିରତା କାରଣରୁ ତେଲ ଦର ବଢ଼ିବା ସହ ଅର୍ଥନୀତି ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଏଭଳି ସମୟରେ ନିଜର ସାମରିକ ଶକ୍ତି ବୃଦ୍ଧି କରି ଭାରତ ବିଶ୍ୱକୁ ଏହି ବାର୍ତ୍ତା ଦେଉଛି ଯେ, ସେ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।