ନୂଆଦିଲ୍ଲୀ, ୩୧।୧୨: ଭାରତ ପାଇଁ ନିର୍ଣ୍ଣାୟକ ମୁହୂର୍ତ୍ତ । ୨୦୨୫ରେ ନୋମିନାଲ ଜିଡିପି ଆଧାରରେ ଜାପାନକୁ ପଛରେ ପକାଇ ଏହା ହୋଇଛି ଚତୁର୍ଥ ବୃହତ୍ ଅର୍ଥବ୍ୟବସ୍ଥା । ସରକାରଙ୍କ ବର୍ଷ ଶେଷ ଅର୍ଥନୈତିକ ସମୀକ୍ଷା ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି । ୨୦୨୬ ପ୍ରଥମାର୍ଦ୍ଧରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(IMF) ଦ୍ୱାରା ଜାରି ହେବାକୁ ଥିବା ତଥ୍ୟରୁ ଏହା ନିଶ୍ଚିତ ହୋଇଯିବ ବୋଲି ରିପୋର୍ଟରେ କୁହାଯାଇଛି । ରିପୋର୍ଟ ଅନୁସାରେ, ଆଗାମୀ କିଛି ବର୍ଷରେ ଜର୍ମାନିକୁ ଟପିବ ଭାରତ । ଏଥିସହିତ ଏହା ଆମେରିକା ଓ ଚୀନ୍ ପରେ ହେବ ତୃତୀୟ ବୃହତ୍ ଅର୍ଥନୀତି । ସରକାରୀ ବିବୃତି ଅନୁସାରେ, ଭାରତର ଜିଡିପି ବର୍ତ୍ତମାନ ରହିଛି ୪.୧୮ ଟ୍ରିଲିୟନ ଡଲାର । ଏଥିସହିତ ଏହା ଜାପାନକୁ ଟପି ବିଶ୍ୱର ଚତୁର୍ଥ ବୃହତ୍ ଅର୍ଥବ୍ୟବସ୍ଥା ପାଲଟିଛି । ଆଗାମୀ ଅଢ଼େଇରୁ ୩ ବର୍ଷରେ ଅର୍ଥାତ୍ ୨୦୩୦ ସୁଦ୍ଧା ଦେଶର ଜିଡିପି ୭.୩ ଟ୍ରିଲିୟନ ଡଲାର ଛୁଇଁବ ଏବଂ ଜର୍ମାନିକୁ ପଛରେ ପକାଇ ଭାରତ ପାଲଟିବ ତୃତୀୟ ବୃହତ୍ ଅର୍ଥବ୍ୟବସ୍ଥା ।
ଗତ କିଛି ବର୍ଷ ହେବ ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତିର ମାନ୍ୟତା ବଜାୟ ରଖିଛି । ଗତ ୧୦ ବର୍ଷରେ ଅର୍ଥନୀତିର ଆକାର ଦୁଇଗୁଣା ହୋଇଛି । ଏବେ ବିଶ୍ୱର ତୃତୀୟ ବୃହତ୍ ଅର୍ଥବ୍ୟବସ୍ଥା ହେବାକୁ ଅଗ୍ରସର ହେଉଛି ଭାରତ । ଆଇଏମ୍ଏଫ୍ ଆକଳନ କରିଛି ଯେ, ୨୦୨୬ରେ ଭାରତୀୟ ଅର୍ଥନୀତିର ଆକାର ହେବ ୪.୫୧ ଟ୍ରିଲିୟନ ଡଲାର, ଯାହାକି ଜାପାନର ୪.୪୬ ଟ୍ରିଲିୟନ ଡଲାରଠାରୁ ସାମାନ୍ୟ ଅଧିକ । ଅଗଷ୍ଟରେ ଆମେରିକାର ଟାରିଫ୍ ଏବଂ ରୁଷ ତେଲ କ୍ରୟ ଉପରେ କଟକଣା ମଧ୍ୟରେ ଭାରତ ସରକାର ଦେଶର ଭବିଷ୍ୟତକୁ ନେଇ ଆଶାବାଦୀ ରହିଛନ୍ତି । ଦେଶରେ ମୁଦ୍ରାସ୍ଫୀତି ଆର୍ବିଆଇର ଧାର୍ଯ୍ୟ ସୀମା ମଧ୍ୟରେ ରହିଛି । ବେକାରି ହାର କମିଛି ଏବଂ ରପ୍ତାନିରେ ଦେଖାଦେଇଛି ସୁଧାର । ଏସବୁ ଅର୍ଥନୀତିରେ ଉତ୍ସାହ ଆଣିଥିବା ସରକାରଙ୍କ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ବ୍ୟବସାୟଗୁଡ଼ିକୁ ଆବଶ୍ୟକତା ମୁତାବକ ଋଣ ଯୋଗାଣ ସହ ଚାହିଦା ବୃଦ୍ଧି ଅର୍ଥନୀତି ପାଇଁ ସହାୟକ ହୋଇଥିବା ଏଥିରେ କୁହାଯାଇଛି । ୨୦୨୫- ୨୬ର ଦ୍ୱିତୀୟ ତ୍ରୟମାସରେ ଦେଶର ବାସ୍ତବ ଜିଡିପି ୮.୨% ବଢ଼ିଛି, ଯାହାକି ପ୍ରଥମ ତ୍ରୟମାସରେ ଥିଲା ୭.୮% । ମଜଭୁତ ଘରୋଇ ଚାହିଦା ଯୋଗୁ ଏହା ସମ୍ଭବ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଚଳିତ ଆର୍ଥିକବର୍ଷ ଦେଶର ଅଭିବୃଦ୍ଧି ୭.୩% ରହିବ ବୋଲି ଆର୍ବିଆଇ ଆକଳନ କରିଛି । ଆୟକର ଏବଂ ଜିଏସ୍ଟି ସଂସ୍କାର, ଅଶୋଧିତ ତୈଳ ଦରରେ ହ୍ରାସ ଓ ସରକାରଙ୍କ ପୁଞ୍ଜି ବ୍ୟୟରେ ବୃଦ୍ଧି ଅର୍ଥନୀତିର ଗତିକୁ ଦ୍ରୁତ କରିଥିବା ରିପୋର୍ଟରେ କୁହାଯାଇଛି । ବର୍ତ୍ତମାନର ସଂସ୍କାର ପଦକ୍ଷେପ ଅଭିବୃଦ୍ଧିକୁ ଦ୍ରୁତ କରିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି ।