ନୂଆଦିଲ୍ଲୀ,୨୧/୧୧:  ଭାରତ ଏବଂ ଇସ୍ରାଏଲ୍ ମୁକ୍ତ ବାଣିଜ୍ୟ ରାଜିନାମା(ଏଫ୍‌ଟିଏ) ପାଇଁ ବୁଝାମଣା କରିବେ । ଏଥିପାଇଁ ଗୁରୁବାର ଟର୍ମସ ଅଫ୍ ରେଫରେନ୍ସ(ଟିଓଆର୍)ରେ ସ୍ୱାକ୍ଷର କରିଛନ୍ତି ଉଭୟ ରାଷ୍ଟ୍ର । ଅର୍ଥନୈତିକ ସହଯୋଗ ପାଇଁ ଉଭୟ ଦେଶରେ ଅସୀମିତ ସମ୍ଭାବନା ଏବଂ ସୁଯୋଗ ରହିଥିବା କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ ପ୍ରକାଶ କରିଛନ୍ତି । ତେବେ ଏହାକୁ ଐତିହାସିକ ବୋଲି ସମ୍ବୋଧିତ କରିଛନ୍ତି ଗୋୟଲ ।

ତେଲ୍ ଆଭିଭ୍‌ଠାରେ ଭାରତ-ଇସ୍ରାଏଲ୍ ବାଣିଜ୍ୟ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଗୋୟଲ କହିଲେ, ଇସ୍ରାଏଲ୍‌ର ବ୍ୟବସାୟ ଏବଂ ଶିଳ୍ପଗୁଡ଼ିକ ପାଇଁ ଭାରତ ବିପୁଳ ନିବେଶ ସୁଯୋଗ ପ୍ରଦାନ କରୁଛି । ଭିତ୍ତିଭୂମି ବିକାଶ, ବିନିର୍ମାଣ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଉଭୟ ରାଷ୍ଟ୍ର ସହଯୋଗିତାକୁ ବଢ଼ାଇପାରିବେ ବୋଲି ସେ କହିଛନ୍ତି । ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ନିବେଶ ରାଜିନାମା ଏବଂ ମୁକ୍ତ ବାଣିଜ୍ୟ ଚୁକ୍ତି କାର୍ଯ୍ୟକାରୀ ହେବା ପରେ ଉଭୟ ରାଷ୍ଟ୍ର ପାଇଁ ବଜାର ଆକ୍ସେସ ବଢ଼ିବ, ପୁଞ୍ଜି ପ୍ରବାହ, ନିବେଶ ଏବଂ ବାଣିଜ୍ୟିକ କାରବାର ବ୍ୟାପକ ହେବ । ଉଭୟ ସାମଗ୍ରୀ ଏବଂ ସେବା କ୍ଷେତ୍ରରେ ବ୍ୟବସାୟ ଦିଗରେ ରହିଥିବା ବାଧକଗୁଡ଼ିକ ଦୂର ହେବ ବୋଲି ଗୋୟଲ କହିଛନ୍ତି । ବ୍ୟବସାୟ କରିବା ପାଇଁ ଭାରତ ଏକ ନିବେଶ ଅନୁକୂଳ ପରିବେଶ ପ୍ରଦାନ କରୁଥିବା ସେ କହିଛନ୍ତି।