ଭାରତ ଓ ଇଟାଲୀ ମଧ୍ୟରେ ସମ୍ପର୍କ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି । ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଭୂତପୂର୍ବ ଗତିରେ ବିସ୍ତାରିତ ହୋଇଛି । ଏହି ସମ୍ପର୍କ କେବଳ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବନ୍ଧୁତା ମଧ୍ୟରେ ସୀମିତ ହୋଇ ରହିନାହିଁ, ବରଂ ଏହା ଏବେ ସ୍ୱାଧୀନତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ତଥା ଭବିଷ୍ୟତର ସହଭାଗୀ ଦୃଷ୍ଟିକୋଣ ଉପରେ ଆଧାରିତ ଏକ ସ୍ୱତନ୍ତ୍ର ରଣନୀତିକ ଭାଗୀଦାରୀରେ ପରିବର୍ତ୍ତିତ ହୋଇଛି ।

ସମ୍ପ୍ରତି ସମଗ୍ର ବିଶ୍ୱର ବ୍ୟବସ୍ଥା ଏକ ବଡ଼ ପରିବର୍ତ୍ତନ ଦେଇ ଗତି କରୁଥିବା ସମୟରେ, ଭାରତ ଓ ଇଟାଲୀ ସମ୍ପର୍କ ଉଚ୍ଚ ରାଜନୈତିକ ଏବଂ ସଂସ୍ଥାଗତ ସ୍ତରରେ କ୍ରମାଗତ ଆଲୋଚନା ଠାରୁ ଆଗକୁ ବଢ଼ୁଛି । ଏହି ସମ୍ପର୍କ ଏବେ ଏକ ନୂଆ ଓ ଅଧିକ ବ୍ୟାପକ ସ୍ତରରେ ପହଞ୍ଚିଛି । ଏଥିରେ ଦୁଇ ଦେଶର ଆର୍ଥିକ ଶକ୍ତି, ସାମାଜିକ ସୃଜନଶୀଳତା ଏବଂ ହଜାର ହଜାର ବର୍ଷର ପୁରୁଣା ସଭ୍ୟତାଗତ ଐତିହ୍ୟ ସାମିଲ ରହିଛି ।

ଏକବିଂଶ ଶତାବ୍ଦୀରେ ନବସୃଜନ କ୍ଷମତା, ଶକ୍ତି ପରିବର୍ତ୍ତନ ପରିଚାଳନା ଏବଂ ରଣନୀତିକ ଆତ୍ମନିର୍ଭରଶୀଳତାକୁ ମଜବୁତ କରିବା ଉପରେ ଦେଶର ସମୃଦ୍ଧି ଓ ସୁରକ୍ଷା ନିର୍ଭର କରିଥାଏ । ଆମ ସହଯୋଗ ଏହି ସହଭାଗୀ ଦୃଷ୍ଟିକୋଣକୁ ଦର୍ଶାଇଥାଏ । ଏହି ଉଦ୍ଦେଶ୍ୟ ନେଇ ଆମେ ଆମ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର ତଥା ବିବିଧ କରିବା ଲାଗି ସଂକଳ୍ପ ନେଇଛୁ, ଯାହାଫଳରେ ନୂଆ ଲକ୍ଷ୍ୟ ହାସଲ କରାଯାଇପାରିବ ଏବଂ ଦୁଇ ଦେଶର ସହଯୋଗୀ ସାମର୍ଥ୍ୟକୁ ଉନ୍ନତ ଢଙ୍ଗରେ ଉପଯୋଗ କରାଯାଇପାରିବ । ଡିଜାଇନ୍ କ୍ଷମତା, ଉନ୍ନତ ଉତ୍ପାଦନ କୌଶଳ ଏବଂ ବିଶ୍ୱସ୍ତରୀୟ ସୁପର କମ୍ପ୍ୟୁଟର ପ୍ରଯୁକ୍ତିବିଦ୍ୟା ଇଟାଲୀକୁ ଏକ ଶିଳ୍ପ ମହାଶକ୍ତିରେ ପରିଣତ କରିଛି । ଆମେ ଏହାକୁ ଭାରତର ଦ୍ରୁତ ଆର୍ଥିକ ଅଭିବୃଦ୍ଧି, ଇଞ୍ଜିନିୟରିଂ ପ୍ରତିଭା, ବ୍ୟାପକ କ୍ଷମତା, ନବସୃଜନ ଏବଂ ୧୦୦ରୁ ଅଧିକ ୟୁନିକର୍ଣ୍ଣ ତଥା ୨ଲକ୍ଷ ଷ୍ଟାର୍ଟଅପ୍ ଆଧାରିତ ଉଦ୍ୟୋଗ ଇକୋସିଷ୍ଟମ ସହ ଯୋଡ଼ି ଏକ ଶକ୍ତିଶାଳୀ ସନ୍ତୁଳନ ସୃଷ୍ଟି କରିବାକୁ ଚାହୁଁଛୁ । ଏହା କେବଳ ଏକ ସାଧାରଣ ସମନ୍ୱୟ ନୁହେଁ, ବରଂ ସହଭାଗୀ ମୂଲ୍ୟ ସୃଷ୍ଟି ଯେଉଁଥିରେ ଆମ ଦୁଇ ଦେଶର ଶିଳ୍ପ ସାମର୍ଥ୍ୟ ପରସ୍ପରକୁ ଅଧିକ ସୁଦୃଢ଼ କରିବ ।

ୟୁରୋପୀୟ ସଂଘ ଏବଂ ଭାରତ ମଧ୍ୟରେ ମୁକ୍ତ ବାଣିଜ୍ୟ ରାଜିନାମା (ଏଫଟିଏ) ଉଭୟ ଦିଗରେ ବାଣିଜ୍ୟ ଓ ନିବେଶ ବଢ଼ାଇବାର ମାର୍ଗ ଖୋଲିଥାଏ । ୨୦୨୯ ସୁଦ୍ଧା ଭାରତ ଓ ଇଟାଲୀ ମଧ୍ୟରେ ବ୍ୟାବସାୟିକ କାରବାରକୁ ୨୦ ବିଲିୟନ ୟୁରୋ ଠାରୁ ଆଗକୁ ବଢ଼ାଇବା ଲାଗି ଆମେ ଲକ୍ଷ୍ୟ ରଖିଛୁ । ଏଥିରେ ପ୍ରତିରକ୍ଷା ଓ ଏରୋସ୍ପେସ୍, ସ୍ୱଚ୍ଛ ପ୍ରଯୁକ୍ତିବିଦ୍ୟା, ଯନ୍ତ୍ରାଂଶ, ଯାନବାହନ ସରଞ୍ଜାମ, ରସାୟନ, ଔଷଧ, ବୟନ, କୃଷି-ଖାଦ୍ୟ କ୍ଷେତ୍ର ଏବଂ ପର୍ଯ୍ୟଟନ ସମେତ ଅନେକ କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦିଆଯିବ । "ମେଡ୍ ଇନ୍ ଇଟାଲୀ' ସବୁବେଳେ ସାରା ବିଶ୍ୱରେ ଉତ୍କୃଷ୍ଟତାର ପ୍ରତୀକ ଭାବେ ଖ୍ୟାତି ଅର୍ଜନ କରିଛି । ଆଜି "ମେକ୍ ଇନ୍ ଇଣ୍ଡିଆ' କାର୍ଯ୍ୟକ୍ରମର ଉଚ୍ଚ ଗୁଣବତ୍ତା ଆଧାରିତ ଲକ୍ଷ୍ୟ ସହ ଏହାର ସ୍ୱାଭାବିକ ତାଳମେଳ ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ, ଭାରତ ପାଇଁ ଉତ୍ପାଦନରେ ଇଟାଲୀୟ କମ୍ପାନୀଗୁଡ଼ିକର ଆଗ୍ରହ ବୃଦ୍ଧିପାଇବା ଏବଂ ଇଟାଲୀରେ ଭାରତୀୟ ଉଦ୍ୟୋଗଗୁଡ଼ିକର ପ୍ରଭାବ ମଜବୁତ ହେବା ଏକ ସକାରାତ୍ମକ ସଂକେତ ଦେଉଛି । ବର୍ତ୍ତମାନ ଦୁଇ ପକ୍ଷକୁ ମିଶାଇଲେ ୧୦୦୦ରୁ ଅଧିକ ଉଦ୍ୟୋଗ ଉଭୟ ଦେଶରେ କାର୍ଯ୍ୟ କରୁଛନ୍ତି । ଏହା ଆମ ଯୋଗାଣ ଶୃଙ୍ଖଳର ଏକୀକରଣକୁ ଆହୁରି ଅଧିକ ମଜବୁତ କରିବ ।

ବୈଷୟିକ ନବସୃଜନ ଆମ ଭାଗୀଦାରୀର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆଧାର । ଆଗାମୀ ଦଶନ୍ଧିରେ ବିଶ୍ୱରେ ଏକ ବଡ଼ ବୈଷୟିକ ପରିବର୍ତ୍ତନ ଦେଖାଦେବ । ଏଥିରେ କୃତ୍ରିମ ବୁଦ୍ଧିମତା, କ୍ୱାଣ୍ଟମ କମ୍ପ୍ୟୁଟିଂ, ଅତ୍ୟାଧୁନିକ ଉତ୍ପାଦନ, ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ ଡିଜିଟାଲ ମୌଳିକ ଭିତ୍ତିଭୂମି ଭଳି କ୍ଷେତ୍ରରେ ଦ୍ରୁତ ପ୍ରଗତି ହେବ । ଭାରତରେ ଦ୍ରୁତଗତିରେ ବଢ଼ୁଥିବା ନବସୃଜନ ପରିବେଶ ଏବଂ ବହୁସଂଖ୍ୟକ କୁଶଳୀ ପେସାଦାର ତଥା ଇଟାଲୀର ଉନ୍ନତ ଶିଳ୍ପ କ୍ଷମତା ଏସବୁ କ୍ଷେତ୍ରରେ ଦୁଇ ଦେଶର ସହଯୋଗକୁ ସ୍ୱାଭାବିକ ଏବଂ ରଣନୀତିକ କରିଥାଏ । ଦୁଇ ଦେଶର ବିଶ୍ୱବିଦ୍ୟାଳୟ ଏବଂ ଗବେଷଣା ପ୍ରତିଷ୍ଠାନ ମଧ୍ୟରେ ବର୍ଦ୍ଧିତ ଭାଗୀଦାରୀ ମଧ୍ୟ ଏହାକୁ ଆହୁରି ମଜବୁତ କରିବ ।

ଭାରତର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ) ବିଶ୍ୱର ଅନେକ ଦେଶ, ବିଶେଷକରି ଗ୍ଲୋବାଲ ସାଉଥ୍ ପାଇଁ ଆକର୍ଷଣର କେନ୍ଦ୍ର ହୋଇପାରିଛି । ମୁଖ୍ୟତଃ କୃତ୍ରିମ ବୁଦ୍ଧିମତା (ଏଆଇ) ଆଜି ଆମ ସମାଜ ଏବଂ ବିଶ୍ୱ ଅର୍ଥବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି । ଭାରତ ଓ ଇଟାଲୀ ଦୀର୍ଘ ସମୟ ଧରି ଏ କ୍ଷେତ୍ରରେ ସହଯୋଗକୁ ଆଗକୁ ବଢ଼ାଉଛନ୍ତି, ଯାହାଫଳରେ ଏଆଇର ବିକାଶ ଉତ୍ତରଦାୟୀ ଏବଂ ମାନବକୈନ୍ଦ୍ରିକ ହୋଇପାରିବ ।

ଏହି ପରିପ୍ରେକ୍ଷୀରେ ଭାରତ ଓ ଇଟାଲୀ ଏଆଇକୁ ସମାବେଶୀ ବିକାଶର ଏକ ଶକ୍ତିଶାଳୀ ମାଧ୍ୟମ ରୂପେ ଗ୍ରହଣ କରିଛନ୍ତି । ବିଶେଷକରି ଗ୍ଲୋବାଲ ସାଉଥ୍ ଦେଶଗୁଡ଼ିକରେ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଏବଂ ସହଜରେ ଉପଲବ୍ଧ ବହୁଭାଷୀ ଜ୍ଞାନକୌଶଳ ଜରିଆରେ ଏଆଇ ସାମାଜିକ ଓ ଡିଜିଟାଲ ବ୍ୟବଧାନକୁ ଅଧିକ ବଢ଼ାଇବା ପରିବର୍ତ୍ତେ ଭରଣା କରିପାରିବ । ମଣିଷକୁ ପ୍ରଯୁକ୍ତି ପ୍ରୟୋଗର କେନ୍ଦ୍ରରେ ରଖିବା ଲାଗି ଭାରତର "ମାନବକୈନ୍ଦ୍ରିକ' ଦୃଷ୍ଟିକୋଣ ଏବଂ ମାନବବାଦୀ ପରମ୍ପରା ଉପରେ ଆଧାରିତ ଇଟାଲୀର ମାନବକୈନ୍ଦ୍ରିକ "ଏଲ୍ଗାର-ଏଥିକ୍ସ' ଅବଧାରଣାକୁ ଆମେ ଆଗକୁ ବଢ଼ାଉଛୁ । କୃତ୍ରିମ ବୁଦ୍ଧିମତାକୁ ସାମାଜିକ ସଶକ୍ତିକରଣ ମାଧ୍ୟମରେ ପରିଣତ କରିବା ଆମ ଭାଗୀଦାରୀର ଉଦ୍ଦେଶ୍ୟ । ଭାରତର ବିଶାଳ ଡିଜିଟାଲ କ୍ଷମତାକୁ ଇଟାଲୀର ନୈତିକ ଏବଂ ଔଦ୍ୟୋଗିକ ବିଶେଷଜ୍ଞତା ସହ ଯୋଡ଼ିବାକୁ ଆମେ ଲକ୍ଷ୍ୟ ରଖିଛୁ, ଯାହାଫଳରେ ପ୍ରଯୁକ୍ତିବିଦ୍ୟା ମାନବ ମର୍ଯ୍ୟାଦାକୁ ରକ୍ଷା କରିବାରେ ବିନିଯୋଗ ହୋଇପାରିବ । ସୁରକ୍ଷିତ ଡିଜିଟାଲ ସହଯୋଗ, କ୍ଷମତା-ନିର୍ମାଣ ଏବଂ ମଜବୁତ ସାଇବର ଭିତ୍ତିଭୂମି ସହ ଜଡ଼ିତ ସର୍ବୋତ୍ତମ ଅଭ୍ୟାସଗୁଡ଼ିକୁ ବାଣ୍ଟିବା ଜରିଆରେ ଆମେ ଏକ ଖୋଲା, ବିଶ୍ୱସନୀୟ ଏବଂ ସମାନ ଡିଜିଟାଲ୍ ବାତାବରଣ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ ଯେଉଁଥିରେ ପ୍ରତ୍ୟେକ ଦେଶ ଏଆଇକୁ ଉପଯୋଗ କରିପାରିବେ ଏବଂ ଏଥିରୁ ଲାଭ ପାଇପାରିବେ । ଏହି ଦୃଷ୍ଟିକୋଣକୁ ଆଧାର କରି ଇଟାଲୀ ଅଧ୍ୟକ୍ଷତାରେ ଜି-୭ ବୈଠକ ଏବଂ ୨୦୨୬ରେ ନୂଆଦିଲ୍ଲୀରେ ଆୟୋଜିତ ଏଆଇ ଇମ୍ପାକ୍ଟ ସମ୍ମିଳନୀର ନିଷ୍କର୍ଷ ପ୍ରସ୍ତୁତ କରାଯାଇଥିଲା । ଏଆଇକୁ ମଣିଷ ଦ୍ୱାରା ଏବଂ ମଣିଷ ପାଇଁ ସୃଷ୍ଟି କରାଯାଇଥିବା ଏକ ପ୍ରଯୁକ୍ତିବିଦ୍ୟା ଭାବରେ ସ୍ୱୀକାର କରିବାର ଅର୍ଥ ହେଉଛି ଏହା ସ୍ପଷ୍ଟ କରିବା ଯେ, ପ୍ରଯୁକ୍ତିବିଦ୍ୟା ମଣିଷର ସ୍ଥାନ ଗ୍ରହଣ କରିପାରିବ ନାହିଁ କିମ୍ବା ସେମାନଙ୍କର ମୌଳିକ ଅଧିକାରକୁ ଦୁର୍ବଳ କରିପାରିବ ନାହିଁ । ଜନମତକୁ ପ୍ରଭାବିତ କରିବା କିମ୍ବା ଗଣତାନ୍ତ୍ରିକ ପ୍ରକ୍ରିୟାରେ ହସ୍ତକ୍ଷେପ କରିବା ଲାଗି ମଧ୍ୟ ଏହାର ଉପଯୋଗ କରାଯିବା ଉଚିତ୍ ନୁହେଁ । ବ୍ୟାପକ ଭାବେ ପରସ୍ପର ସହ ଜଡ଼ିତ ବିଶ୍ୱରେ ସ୍ୱାଧୀନତା ଏବଂ ମାନବ ମର୍ଯ୍ୟାଦାକୁ ରକ୍ଷା କରିବା ଲାଗି ଆମର ଦୃଷ୍ଟିକୋଣ ଏହି ଆହ୍ୱାନ ଉପରେ ଆଧାରିତ ।

ଆମ ସହଯୋଗ ମହାକାଶ କ୍ଷେତ୍ରରେ ମଧ୍ୟ ବିସ୍ତାରିତ । ମହାକାଶ ଗବେଷଣା ଏବଂ ଉପଗ୍ରହ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି । ସେହିପରି ମହାକାଶ ଇଞ୍ଜିନିୟରିଂରେ ଇଟାଲୀର ଉତ୍କର୍ଷତା ରହିଛି । ଏହା ମିଳିତ ପ୍ରକଳ୍ପ ଏବଂ ନୂତନ ପିଢ଼ିର ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ ଶ୍ରେଷ୍ଠ ସୁଯୋଗ ପ୍ରଦାନ କରେ ।

ରାଷ୍ଟ୍ରଗୁଡ଼ିକର ସମୃଦ୍ଧି ସୁନିଶ୍ଚିତ କରିବା ପାଇଁ ସୁରକ୍ଷା ଓ ସ୍ଥିରତା ଅତ୍ୟନ୍ତ ଜରୁରି । ତେଣୁ ଇଟାଲୀ ଓ ଭାରତ ପ୍ରତିରକ୍ଷା, ସୁରକ୍ଷା ଏବଂ ରଣନୀତିକ ପ୍ରଯୁକ୍ତିବିଦ୍ୟା ଭଳି କ୍ଷେତ୍ରରେ ସେମାନଙ୍କର ସହଯୋଗକୁ ଆହୁରି ମଜବୁତ କରିବାକୁ ଚାହାନ୍ତି । ଆମ ସହଯୋଗ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗର ସୁରକ୍ଷା ସୁନିଶ୍ଚିତ କରିବା ତଥା ଆତଙ୍କବାଦ, ଅନ୍ତର୍ଜାତୀୟ ଅପରାଧ ନେଟୱର୍କ, ନିଶାଦ୍ରବ୍ୟ ଚୋରା କାରବାର, ସାଇବର ଅପରାଧ ଏବଂ ମାନବ ତସ୍କରି ଭଳି ସମସ୍ୟାର ମୁକାବିଲାକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ ।

ଶକ୍ତି ହେଉଛି ଆମ ସହଭାଗୀତାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ବିଶ୍ୱରେ ବିବିଧ ଶକ୍ତିଉତ୍ସ ଦିଗରେ ହେଉଥିବା ପରିବର୍ତ୍ତନ ଲାଗି ନବସୃଜନ, ନିବେଶ ଏବଂ ସହଯୋଗ ଆବଶ୍ୟକ । ଭାରତ ଓ ଇଟାଲୀ ଅକ୍ଷୟ ଶକ୍ତିଠାରୁ ଆରମ୍ଭକରି ହାଇଡ୍ରୋଜେନ ପ୍ରଯୁକ୍ତି ଏବଂ ସ୍ମାର୍ଟ ଗ୍ରୀଡଠାରୁ ଆରମ୍ଭକରି ସୁଦୃଢ଼ ଭିତ୍ତିଭୂମି ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଏକାଠି କାମ କରୁଛନ୍ତି । ସବୁଜ ହାଇଡ୍ରୋଜେନ୍ ରପ୍ତାନିର ବିଶ୍ୱସ୍ତରୀୟ କେନ୍ଦ୍ର ହେବାପାଇଁ ଭାରତର ପ୍ରୟାସରେ ଅପାର ସମ୍ଭାବନା ରହିଛି । ଏହା ଇଟାଲୀର ଉନ୍ନତ ଅକ୍ଷୟ ଶକ୍ତି ଭିତ୍ତିଭୂମି ଏବଂ ୟୁରୋପ ଲାଗି ଏକ ଶକ୍ତି ପ୍ରଦେଶ ଦ୍ୱାର ରୂପେ ଏହାର ରଣନୀତିକ ଭୂମିକା ସହ ସମ୍ପୂର୍ଣ୍ଣ ମେଳ ଖାଉଛି । ଏହି ପରିପ୍ରେକ୍ଷୀରେ, ଭାରତ ନେତୃତ୍ୱରେ ହେଉଥିବା ପ୍ରମୁଖ ପ୍ରୟାସ– ଅନ୍ତର୍ଜାତୀୟ ସୌର ମେଣ୍ଟ (ଆଇଏସଏ), ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମେଣ୍ଟ (ସିଡିଆରଆଇ) ଏବଂ ଗ୍ଲୋବାଲ ବାୟୋଫୁଏଲ୍ସ ଆଲାଏନ୍ସ (ଜିବିଏ)ରେ ଅନ୍ୟ ଦେଶ ସହ ଆମ ସହଯୋଗ ମଧ୍ୟ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ।

ଭୌତିକ, ଡିଜିଟାଲ ଏବଂ ମାନବୀୟ ସମ୍ପର୍କର ଖିଅରେ ଆମେ ପରସ୍ପର ସହ ବାନ୍ଧିହୋଇ ରହିଛୁ । ଭାରତ ଓ ଇଟାଲୀ ଉଭୟ ଭାରତ-ପ୍ରଶାନ୍ତ ମହାସାଗର ଏବଂ ଭୂମଧ୍ୟସାଗର କ୍ଷେତ୍ର ଭଳି ବିଶ୍ୱ ଅର୍ଥବ୍ୟବସ୍ଥାର ଦୁଇଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରର କେନ୍ଦ୍ରରେ ରହିଛନ୍ତି । ଏବେ ଏହି କ୍ଷେତ୍ରଗୁଡ଼ିକୁ ଭିନ୍ନ ଭିନ୍ନ ନୁହେଁ, ବରଂ ପରସ୍ପର ସହ ଜଡ଼ିତ ଅଞ୍ଚଳ ରୂପରେ ଦେଖାଯାଉଛି । ବାସ୍ତବରେ ଏକ ନୂଆ "ଭାରତ-ଭୂମଧ୍ୟସାଗର' (ଇଣ୍ଡୋମେଡିଟେରେନିୟାନ) କ୍ଷେତ୍ର ବିକଶିତ ହେଉଥିବା ଆମେ ଦେଖୁଛୁ। ଏହି କ୍ଷେତ୍ର ବାଣିଜ୍ୟ କାରବାର, ପ୍ରଯୁକ୍ତିବିଦ୍ୟା, ଶକ୍ତି, ଡାଟା ଏବଂ ବିଚାରଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ କରିଡର୍ ଯାହା ଭାରତ ମହାସାଗରକୁ ୟୁରୋପ ସହ ଯୋଡ଼ିଥାଏ । ପରସ୍ପର ସହ ଜଡ଼ିତ ଏହି କ୍ଷେତ୍ରରେ ଆମ ସମ୍ପର୍କ ସ୍ୱାଭାବିକ ଭାବେ ଏକ ସ୍ୱତନ୍ତ୍ର ରଣନୀତିକ ଭାଗୀଦାରୀ ରୂପେ ବିକଶିତ ହେଉଛି । ଏପରି ଭାଗୀଦାରୀ ଦୁଇଟି ମହାଦେଶକୁ ଯୋଡ଼ିଥାଏ ଏବଂ ନୂଆ ବିଶ୍ୱ ପରିସ୍ଥିତିକୁ ଆକାର ଦେଇଥାଏ ।

ଏହି ପରିପ୍ରେକ୍ଷୀରେ, ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଆର୍ଥିକ କରିଡର (ଆଇଏମଇସି) ଏକ ଦୂରଦୃଷ୍ଟିପୂର୍ଣ୍ଣ ଯୋଜନା । ଏହାର ଲକ୍ଷ୍ୟ ହେଉଛି, ଆଧୁନିକ ପରିବହନ ଓ ଭିତ୍ତିଭୂମି, ଡିଜିଟାଲ ନେଟୱାର୍କ, ଶକ୍ତି ବ୍ୟବସ୍ଥା ଏବଂ ଦୃଢ଼ ଯୋଗାଣ ଶୃଙ୍ଖଳ ମାଧ୍ୟମରେ ଆମ କ୍ଷେତ୍ରଗୁଡ଼ିକୁ ସଂଯୋଗ କରିବା । ଭାରତ ଓ ଇଟାଲୀ ଏହି ଦୃଷ୍ଟିକୋଣକୁ ବାସ୍ତବ ରୂପ ଦେବାପାଇଁ ଅନ୍ୟ ଅଂଶୀଦାର ଦେଶମାନଙ୍କ ସହିତ ମିଶି କାମ କରିବାକୁ ସଂକଳ୍ପବଦ୍ଧ ଅଛନ୍ତି ।

ଦୁଇ ଦେଶ ମଧ୍ୟରେ ଗଭୀର ସମ୍ପର୍କ ଏବଂ ଲମ୍ବା ସାଂସ୍କୃତିକ ସଂଲଗ୍ନତା ଆଧାରରେ ଆମେ ଆମ ସହଭାଗୀ ସମସ୍ୟାର ସମାଧାନ କରିପାରିବା । ଭାରତୀୟ ସଂସ୍କୃତିରେ "ଧର୍ମ'ର ବିଚାର ସେହି ଉତ୍ତରଦାୟୀ ଭାବନାକୁ ଦର୍ଶାଇଥାଏ ଯାହା ଆମ କାର୍ଯ୍ୟକୁ ମାର୍ଗଦର୍ଶନ କରିବା ଉଚିତ୍ । ସେହିପରି "ବସୁଧୈବ କୁଟୁମ୍ବକମ୍' ଅର୍ଥାତ୍ "ସାରା ବିଶ୍ୱ ଏକ ପରିବାର'ର ସିଦ୍ଧାନ୍ତ ବର୍ତ୍ତମାନ ପରସ୍ପର ସହ ଜଡ଼ିତ ଡିଜିଟାଲ ଯୁଗରେ ଆହୁରି ଅଧିକ ପ୍ରାସଙ୍ଗିକ ପ୍ରତୀୟମାନ ହେଉଛି ।

ଏହି ମୂଲ୍ୟବୋଧ ନବଜାଗରଣ କାଳରେ ସୃଷ୍ଟି ହୋଇଥିବା ଇଟାଲୀର ମାନବତାବାଦୀ ପରମ୍ପରା ସହ ମଧ୍ୟ ମେଳ ଖାଉଛି । ଏହି ପରମ୍ପରା ପ୍ରତ୍ୟେକ ବ୍ୟକ୍ତିଙ୍କ ମର୍ଯ୍ୟାଦା ଏବଂ ସଂସ୍କୃତିର ସେହି ଶକ୍ତି ଉପରେ ଗୁରୁତ୍ୱାରୋପ କରିଥାଏ, ଯାହା ସମାଜ ଓ ଲୋକମାନଙ୍କୁ ଏକଜୁଟ କରିପାରେ । ସେଥିପାଇଁ ଲୋକମାନଙ୍କୁ କେନ୍ଦ୍ରରେ ରଖି ଭାରତ-ଇଟାଲୀ ସମ୍ପର୍କକୁ ଅଧିକ ସୁଦୃଢ଼, ଆଧୁନିକ ଏବଂ ଭବିଷ୍ୟ ଉନ୍ମୁଖୀ ଆଧାର ପ୍ରଦାନ କରିବା ଆମ ସହଭାଗୀ ଦୃଷ୍ଟିକୋଣର ଉଦ୍ଦେଶ୍ୟ ।