ନୂଆଦିଲ୍ଲୀ,୧୩।୭: ଭାରତୀୟ ସେନାରେ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ସାମରିକ ସୁଧାର ନେଇ ହେଉଛି ବଡ଼ ଧରଣର ପ୍ଳାନିଂ। ୨୦ ବର୍ଷ ତଳର ସ୍ବପ୍ନ ହେବାକୁ ଯାଉଛି ସାକାର। ଇଣ୍ଟିଗ୍ରେଟେଡ୍ ଥିଏଟର କମାଣ୍ହକୁ ନେଇ ଖୁବ୍ ଶୀଘ୍ର ହୋଇପାରେ ବଡ଼ ନିଷ୍ପତ୍ତି। ନୂଆ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ଏନ୍ଏସ୍ ରାଜା ସୁବ୍ରମଣି ଏହି କାମକୁ ଦୃତ ଗତିରେ ଆଗକୁ ବଢାଉଛନ୍ତି। ଖୁବ୍ ଶୀଘ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାକୁ ଦେଲେ ଗ୍ରୀନ୍ ସିଗନାଲ। ଏହି ଯୋଜନା ପ୍ରାୟ ୨୦ ବର୍ଷ ପୂର୍ବରୁ ଚାଲି ଆସିଥିଲା ଓ ଏବେ ନିଷ୍ପତ୍ତି ହେବାକୁ ଯାଉଛି।
‘ଥିଏଟର କମାଣ୍ଡ’ର ଅର୍ଥ ଗୋଟିଏ ସ୍ଥାନରେ ତିନି ସେନାକୁ ଜଣେ କମାଣ୍ଡରଙ୍କ ଅଧିନରେ ରଖାଯିବ। ଏବେ ତିନି ବଡ କମାଣ୍ଡ ତିଆରି କରିବାର ଯୋଜନା ରହିଛି। ଗୋଟିଏ ଉତ୍ତରରେ ଚୀନ୍ ସୀମା ପାଇଁ, ଦ୍ବିତୀୟଟି ପଶ୍ଚିମରେ ପାକିସ୍ତାନ ପକ୍ଷରୁ ଏବଂ ତୃତୀୟ ହେଉଛି ସମୁଦ୍ର କମାଣ୍ଡ, ଯାହାକି ସମୁଦ୍ରର ସୁରକ୍ଷା କରିବ। ପ୍ରତି କମାଣ୍ଡର ଦାୟିତ୍ବ ୪ ଷ୍ଟାର ଥିବା ଅଧିକାରୀ ସମ୍ଭାଳିବେ। ଏହାଦ୍ବାରା ଯୁଦ୍ଧ ସମୟରେ ତିନି ସେନା ଏକାଠି ଓ ଦୃତ ଗତିରେ କାମ କରିପାରିବେ। ଜଳ, ସ୍ଥଳ ଓ ଆକାଶରେ ଏକାଠି ଲଢିବା ସହଜ ହେବ। ପୁରୁଣା ବ୍ୟବସ୍ଥାରେ ସମୟ ଅଧିକ ଲାଗୁଥିଲା।
ନୂଆ ପ୍ଳାନ୍ରେ କ’ଣ କ’ଣ ଚ୍ୟାଲେଞ୍ଜ ?
ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ ଏହି ପରିବର୍ତ୍ତନ ସହଜ ନୁହେଁ। ସେନାର ନିଜର ନିୟମ, ବଜେଟ୍ ଓ ପଦ୍ଧତି ସବୁକିଛି ଅଲଗା ଅଲଗା ରହିଛି। କିଏ କ’ଣ କାମ କରିବ, ଟଙ୍କା କିଭଳି ବଣ୍ଟା ଯିବ ଓ କମାଣ୍ଡ କାହାର ହେବ, ଏହି ସବୁ ପ୍ରଶ୍ନ ଉପରେ ଏବେ ବି ଆଲୋଚନା ଚାଲିଛି। କାର୍ଗିଲ ଯୁଦ୍ଧ ପରେ ଏହି ବିଚାର ଚାଲିଥିଲା। ୨୦୧୯ ରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ପଦ ଗଠନ କରାଯାଇଥିଲା। ଏବେ ଜେନେରାଲ ସୁବ୍ରମଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଡିବା, ଆତ୍ମନିର୍ଭରତା ଓ ନୂଆ ଟେକ୍ନୋଲୋଜିର ବିକାଶ ଉପରେ ବିଚାର କରୁଛନ୍ତି। ଏହି ସ୍ବାଧିନତା ପରେ ସେନାରେ ସବୁଠାରୁ ବଡ଼ ପରିବର୍ତ୍ତନ ହୋଇପାରେ।
ସେନା ପାଇଁ ବର୍ତ୍ତମାନ ସମୟର ଆବଶ୍ୟକତା
ଯଦି କ୍ୟାବିନେଟ୍ କମିଟି ଏହି ଯୋଜନାକୁ ମଞ୍ଜୁରୀ ଦେଉଛି ତେବେ ଆମେରିକା ଓ ଚୀନ୍ ଭଳି ଇଣ୍ଟିଗ୍ରେଟେଡ୍ ସେନା ଥିବା ଦେଶ ପାଲଟି ଯିବ ଭାରତ। ଏଥିରେ କିଛି ବର୍ଷ ଲାଗିପାରେ, କାରଣ ନୂଆ କମାଣ୍ଡ ତିଆରି , ଲୋକଙ୍କୁ ନୂଆ ଜାଗାକୁ ପଠାଇବା ଓ ନୂଆ ନିୟମ ତିଆରି କରିବାକୁ ପଡିବ। ହାରାହାରି ୧୮ ରୁ ୨୪ ମାସ ଲାଗିପାରେ। ଏବେ ପ୍ରତିରକ୍ଷା ମନ୍ତ୍ରୀଙ୍କ ନିଷ୍ପତ୍ତି ଉପରେ ସମସ୍ତର ନଜର ରହିଛି। ଯଦି ଏହା ଲାଗୁ ହେବ ତେବେ ଭାରତର ସୁରକ୍ଷା ଆହୁରି ମଜବୁତ ହୋଇଯିବ। ସାଧାରଣ ଲୋକ ବି ବୁଝିପାରିବେ, ଯେ ଆମର ସେନା ଆହୁରି ଭଲ ଭାବରେ ଦେଶର ରକ୍ଷା କରିପାରିବ। ବର୍ତ୍ତମାନ ଏହି କଥା ଉପରେ ଗଭୀରତାର ସହ ବିଚାର କରାଯାଉଛି।