ଭୋଗରାଇ,୧୩/୦୭; ପଶ୍ଚିମବଙ୍ଗର ନିଖୋଜ ମାଛଧରା ଟ୍ରଲର୍ 'FB ମା' କାଳୀ'କୁ ନେଇ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ୨ ତାରିଖରୁ ନିଖୋଜ ଥିବା ବୋଟ୍ ମିଳିଛି । ସମୁଦ୍ରରୁ ଉଦ୍ଧାର ହୋଇଥିବା ଏହି ଟ୍ରଲରରୁ ଏପର୍ଯ୍ୟନ୍ତ ୯ ଜଣ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟ ୬ ଜଣ ଏବେ ମଧ୍ୟ ନିଖୋଜ ଅଛନ୍ତି । ସମୁଦ୍ରରେ ବୋଟ୍ଟି ଓଲଟି ପଡ଼ିଥିବାରୁ ସେମାନଙ୍କର ବି ମୃତ୍ୟୁ ଆଶଙ୍କା କରାଯାଉଛି । ଗତ ଜୁଲାଇ ୨ ତାରିଖରେ ୧୫ ଜଣ ମତ୍ସ୍ୟଜୀବୀଙ୍କୁ ନେଇ ମେଦିନୀପୁରର ଶଙ୍କରପୁରରୁ ଏହି ଟ୍ରଲରଟି ଇଲିସି ମାଛ ଧରିବା ପାଇଁ ସମୁଦ୍ରକୁ ବାହାରିଥିଲା । ମାତ୍ର ଦୁଇ ଦିନ ପରେ ଟ୍ରଲର ସହ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ରିପୋର୍ଟ ଲେଖାଯିବ ସୁଦ୍ଧା ୯ ଜଣଙ୍କର ମୃତଦେହ ମିଳିଛି । ଆଉ ୬ ଜଣଙ୍କର ସନ୍ଧାନ ନମିଳିବା ଚିନ୍ତା ବଢାଇଛି
ପରବର୍ତ୍ତୀ ସମୟରେ ବକଖାଲିଠାରୁ ପ୍ରାୟ ୧୬ କିଲୋମିଟର ଦୂର ରକ୍ତାଚର ଦୀପ ନିକଟରୁ ଏହି ଟ୍ରଲରକୁ ଠାବ କରାଯାଇଥିଲା । ଗତକାଲି ଅପରାହ୍ନରେ ଦକ୍ଷିଣ ୨୪ ପରଗନା ଜିଲ୍ଲାର ଗୋବର୍ଦ୍ଧନପୁର ଥାନା ପୁଲିସ, ବନ ବିଭାଗ ଏବଂ ଭାରତୀୟ ତଟରକ୍ଷୀ ବାହିନୀ ମିଳିତ ଭାବରେ ଏହି ଟ୍ରଲରକୁ ଚିହ୍ନଟ କରିଥିଲେ । ଏହାପରେ ଟ୍ରଲରକୁ ଗୋବର୍ଦ୍ଧନପୁରର ସୀତାରାମପୁରକୁ ଅଣାଯାଇଥିଲା ଏବଂ ସେଠାରେ ରାତାରାତି ବ୍ୟାପକ ଖୋଜାଖୋଜି କରାଯାଇଥିଲା । ଏହି ସର୍ଚ୍ଚ ଅପରେସନ ସମୟରେ ଏବେ ସୁଦ୍ଧା ୯ ଜଣ ମତ୍ସ୍ୟଜୀବୀଙ୍କ ମୃତଦେହ ମିଳିସାରିଛି । ଉଦ୍ଧାର ହୋଇଥିବା ସମସ୍ତ ମୃତଦେହ ବ୍ୟବଚ୍ଛେଦ ପାଇଁ କାକଦ୍ୱୀପ ସବଡିଭିଜନ ହସ୍ପିଟାଲକୁ ପଠାଯାଇଛି । ଅନ୍ୟପଟେ ବାକି ୬ ଜଣ ନିଖୋଜ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି । ସମୁଦ୍ରର ବିଭିନ୍ନ ଅଞ୍ଚଳରେ ତଲାସୀ ଜାରି ରହିଛି ।
ସେପଟେ ଏହି ଖବର ଶୁଣିବା ପରେ ନିଖୋଜ ପରିବାର ଲୋକଙ୍କ ଭିତରେ ଶୋକ ଓ ଆଶଙ୍କାର ପରିବେଶ ସୃଷ୍ଟି ହୋଇଛି । ପରିବାରରେ କାନ୍ଦ ବୋବାଳି ପଡିଛି । ନିଖୋଜଙ୍କ ମଧ୍ୟରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକର ଉଲୁଡା ଗାଁର ୩ ଭାଇ ରବୀନ୍ଦ୍ର ମାଝୀ, ଜଗନ୍ନାଥ ମାଝୀ ଓ ଜୟରାମ ମାଝୀଙ୍କୁ ନେଇ ପରିବାର ଲୋକେ ଗଭୀର ଚିନ୍ତାରେ ପଡ଼ିଛନ୍ତି ।
ଏହା ବି ପଢନ୍ତୁ...ଉଦ୍ଧାର ହେଲା ନିଖୋଜ ଥିବା ଟ୍ରଲର, ଭିତରେ ରହିଛି ମତ୍ସ୍ୟଜୀବୀଙ୍କ ମୃତଦେହ