ନୂଆଦିଲ୍ଲୀ,୧୧/୦୮:  ପହଲଗାମ ଆତଙ୍କୀ ଆକ୍ରମଣ  ଓ ଭାରତର ଅପରେସନ ସିନ୍ଦୂର ପରେ ପ୍ରଥମଥର ଲାଗି  ଆରବ ସାଗରରେ ଭାରତ ଓ ପାକିସ୍ତାନର ନୌସେନା  ସେମାନଙ୍କ ଶକ୍ତି ଦେଖାଇବେ । ଆଜିଠୁ  ଦୁଇଦେଶର ନୌସେନା ପୃଥକ ଭାବେ ଦୁଇଦିନିଆ  ସମରାଭ୍ୟାସ କରିବେ । ଏଥିପାଇଁ ଭାରତ ପକ୍ଷରୁ ନୋଟାମ  (ନୋଟିସ୍‌ ଟୁ ଏୟାରମ୍ୟାନ୍‌) ଜାରି କରାଯାଇଛି । ଭାରତୀୟ  ନୌସେନା ପକ୍ଷରୁ ଗୁଜରାଟର ଓଖା ଓ ପୋରବନ୍ଦର  ଉପକୂଳରେ ଏହି ସମରାଭ୍ୟାସ କରାଯିବ । 

ସେହିଭଳି  ପାକିସ୍ତାନ ନୌସେନା ନିଜର ଜଳରାଶିରେ ସେହିଦିନ ଡ୍ରିଲ୍‌ କରିବାକୁ ଘୋଷଣା କରିଛି । ଉଭୟ ଦେଶର  ସମରାଭ୍ୟାସର ଦୂରତା ପ୍ରାୟ ୬୦ ନୌଟିକାଲ ମାଇଲ୍‌ ରହିବ । ତେବେ ଏକସମୟରେ ଦୁଇଦେଶର ନୌସେନା ସମାନ ଜଳରାଶିରେ ସମରାଭ୍ୟାସ କରିବା ଚର୍ଚ୍ଚାର ବିଷୟ ହୋଇଛି । ଜମ୍ମୁ-କାଶ୍ମୀରର ପହଲଗାମରେ ଏପ୍ରିଲ  ୨୨ରେ ଆତଙ୍କବାଦୀମାନେ ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା  କରିଥିଲେ । ଏହାର ପ୍ରତିଶୋଧ ନେବାକୁ ଯାଇ ଭାରତ  ମେ ୭ ତାରିଖରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ।