ଭାରତର ପ୍ରତିରକ୍ଷା କ୍ଷେତ୍ର ହେବ ଆହୁରି ମଜବୁତ। ଖୁବ୍ ଶୀଘ୍ର ସେନାରେ ସାମିଲ ହେବ ନୂତନ ଯୁଦ୍ଧ ବିମାନ, ବୁଡ଼ାଜାହାଜ, ହେଲିକପ୍ଟର ଏବଂ ତୋପ । ୩୧ ମାର୍ଚ୍ଚରେ ଶେଷ ହେବାକୁ ଯାଉଛି ଚଳିତ ଆର୍ଥିକ ବର୍ଷ। ତା ପୂର୍ବରୁ ୪ଟି ପ୍ରମୁଖ ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ କରିବାକୁ ମୋଦି ସରକାରଙ୍କ ରହିଛି ଯୋଜନା।

ଭାରତୀୟ ସେନା ହେବେ ଶକ୍ତିଶାଳୀ। ଶତ୍ରୁ ରାଷ୍ଟ୍ରକୁ ଦେବେ କଡ଼ା ଟକ୍କର। ଆଗାମୀ ଦିନରେ ସେନାରେ ସାମିଲ ହେବାକୁ ଯାଉଛି ନୂତନ ଯୁଦ୍ଧାସ୍ତ୍ର। ଏହା ମଧ୍ୟରେ ରହିଛି ଯୁଦ୍ଧ ବତମାନ, ବୁଡାଜାହଜ, ହେଲିକପ୍ଟର ଏବଂ ତୋପ। ଏଥିପାଇଁ ୧.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ହେବ ଡିଲ୍। ଏହା ଭାରତର ସଶସ୍ତ୍ର ବାହିନୀର ଫାୟର ପାଓ୍ବାର ଓ କମ୍ବାଟ କ୍ଷମତାକୁ ବଢାଇବ। ଫ୍ରାନ୍ସ ସହିତ ଭାରତ ଖୁବ୍ ଶୀଘ୍ର କରିବାକୁ ଯାଉଛି ବଡ଼ ଡିଲ୍। ବିଦେଶରୁ ଆସିବ ୨୬ ରାଫେଲ- ମରିନ୍ ଫାଇଟର ଜେଟ୍ । ଏଥିପାଇଁ କରାଯିବ ୬୩ ହଜାର କୋଟି ଟଙ୍କାର ଚୁକ୍ତି। ଏହି ଚୁକ୍ତିରେ ନୌସେନା ପାଇଁ ୨୨ ସିଙ୍ଗଲ ସିଟ୍ ମ୍ୟାରିଟାଇମ୍ ଜେଟ ଓ ଚାରୋଟି ଟ୍ବିନ୍-ସିଟ୍ ଟ୍ରେନର ସହ ହତିଆର,ସିମୁଲେଟର, ଟ୍ରେନିଂ ଓ ୫ ବର୍ଷ ପାଇଁ ଲଜିଷ୍ଟିକ୍ ସପୋର୍ଟ ରହିବ। ଏହା ସହ ଭାରତୀୟ ବାୟୁସେନାରେ ସାମିଲ ହେବାକୁ ଥିବା ୩୬ ରାଫେଲର ସ୍ପେୟାର ପାର୍ଟ କିଣା ମଧ୍ୟ ଏହି ଡିଲ୍ରେ ଅଂଶ ରହିଛି। ଡ୍ରାଫ୍ଟ ଉପରେ ପିଏମ୍ ମୋଦିଙ୍କ ନେତୃତ୍ବାଧୀନ କ୍ୟାବିନେଟ୍ କମିଟିର ଅନ୍ତିମ ମଞ୍ଜୁରୀକୁ ଅପେକ୍ଷା ରହିଛି।

ପ୍ରଧାନମନ୍ତ୍ରୀ ମୋଦୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ଫେବୃଆରୀ ୧୧ ଏବଂ ୧୨ରେ ଫ୍ରାନ୍ସ ଗସ୍ତ କରିବେ। ଏହି ସମୟ ମଧ୍ୟରେ ସେ ଫ୍ରାନ୍ସ ସହିତ ୩୮,୦୦୦ କୋଟି ଟଙ୍କାର ଆଉ ଏକ ଚୁକ୍ତି ସ୍ୱାକ୍ଷର କରିବେ। ଏହି ଚୁକ୍ତି ଅନୁଯାୟୀ, ଭାରତ ପାଣି ତଳେ ଅଧିକ ସମୟ ଧରି ରହିବା ପାଇଁ ତିନୋଟି ଅତିରିକ୍ତ ସ୍କର୍ପିନ୍ ଡିଜେଲ-ଇଲେକ୍ଟ୍ରିକ୍ ବୁଡ଼ାଜାହାଜ ଏବଂ ଏୟାର-ଇଣ୍ଡିପେଣ୍ଡେଣ୍ଟ ପ୍ରପଲ୍ସନ୍ ଅଧିଗ୍ରହଣ କରିବ।। ଏହା ମୁମ୍ବାଇର ମାଜାଗାଓଁ ଡକ୍ସରେ ନିର୍ମିତ ହେବ। ଏହାକୁ ୨୦୩୧ ସୁଦ୍ଧା କାର୍ଯ୍ୟକ୍ଷମ କରାଯିବ। ଏହାଛଡା ଭାରତ ସରକାର ୧୫୬ ସ୍ବଦେଶୀ ପ୍ରଚଣ୍ଡ ଲାଇଟ୍ କମ୍ବାଟ ହେଲିକପ୍ଟର କିଣିବେ। ଏଥିପାଇଁ ୫୩ ହଜାର କୋଟି ଖର୍ଚ୍ଚ ହେବ। ସେଭଳି ୩୦୭ ସ୍ବଦେଶୀ ଆଡଭାନ୍ସଡ ଟୋଡ୍ ଆର୍ଟିଲାରୀ ଗନ୍ ସିଷ୍ଟମ୍ ପାଇଁ ୮ ହଜାର ୫୦୦ କୋଟିର ଚୁକ୍ତି କରିବାକୁ ଯାଉଛନ୍ତି।