ନୂଆଦିଲ୍ଲୀ : ପାକିସ୍ତାନର ବଲୁଚିସ୍ତାନରେ ହୋଇଥିବା ହିଂସାତ୍ମକ ଘଟଣାରେ ଭାରତର ହାତ ଥିବା ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଛି ଭାରତ। ଏହି ଅଭିଯୋଗକୁ ‘ଭିତ୍ତିହୀନ’ ବୋଲି କହି ଭାରତୀୟ ବେଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧିର ଜୈସୱାଲ କହିଛନ୍ତି ଯେ ,ଏହା ପାକିସ୍ତାନର ଏକ ନିୟମିତ ପ୍ରୟାସ, ଯାହାକି ସେ ନିଜର ଆଭ୍ୟନ୍ତରୀଣ ସମସ୍ୟାରୁ ଦୃଷ୍ଟି ହଟେଇବାକୁ ଚେଷ୍ଟା କରୁଛି।
ବଲୁଚିସ୍ତାନରେ ଶନିବାର ବଲୁଚ ଲିବରେସନ ଆର୍ମି (BLA) ଦ୍ୱାରା ସମନ୍ୱିତ ଆକ୍ରମଣ ହୋଇଥିଲା, ଯେଉଁଥିରେ ପାକିସ୍ତାନ ସୁରକ୍ଷା ବାହିନୀର ୧୫ଜଣ ସୈନିକ ଏବଂ ୯୨ଜଣ ଲୋକ ପ୍ରାଣ ହରାଇ ଥିଲେ। ପାକିସ୍ତାନର ଅଭ୍ୟନ୍ତରୀଣ ମନ୍ତ୍ରୀ ମୋହସିନ ନକଭି ଏହି ଘଟଣାରେ ଭାରତର ସମର୍ଥନ ଥିବା ଅଭିଯୋଗ କରିଥିଲେ। ସେ କହିଥିଲେ ଶନିବାର ୩୧ ଜାନୁଆରୀରେ ୧୪ଟି ସହରରେ ୪୮ଟି ଭିନ୍ନ ଭିନ୍ନ ସ୍ଥାନରେ ଆକ୍ରମଣ ଘଟଣା ଘଟିଥିଲା। କିନ୍ତୁ ଭାରତ ଏହାକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଛି।
ଜୈସୱାଲ କହିଛନ୍ତି, “ଆମେ ପାକିସ୍ତାନର ଅଭିଯୋଗକୁ ଦୃଢ଼ ଭାବେ ପ୍ରତ୍ୟାଖ୍ୟାନ କରୁଛୁ। ଏହା ଭିତ୍ତିହୀନ ଏବଂ ପାକିସ୍ତାନର ନିଜର ଆଭ୍ୟନ୍ତରୀଣ ବିଫଳତାରୁ ଧ୍ୟାନ ହଟାଇବାର ନିୟମିତ କୌଶଳ। ପ୍ରତ୍ୟେକ ହିଂସାତ୍ମକ ଘଟଣା ପରେ ଏପରି ଅଯଥା ଅଭିଯୋଗ କରିବା ପରିବର୍ତ୍ତେ ପାକିସ୍ତାନ ନିଜ ଅଞ୍ଚଳର ଲୋକଙ୍କ ଦୀର୍ଘଦିନର ଦାବି ପୂରଣ ଉପରେ ଧ୍ୟାନ ଦେବା ଉଚିତ୍। ସେଠାରେ ଦମନ, ନିର୍ଯାତନା ଏବଂ ମାନବାଧିକାର ଉଲ୍ଲଂଘନର ଇତିହାସ ବିଷୟରେ ସମସ୍ତେ ଅବଗତ।
ସୂଚନା ଯେ, ବଲୁଚିସ୍ତାନରେ ଦୀର୍ଘଦିନ ଧରି ସ୍ୱାଧୀନତା ଏବଂ ସ୍ୱାୟତ୍ତଶାସନ ନେ ଦାବି ଉଠି ଆସୁଛି। ଏହି ପ୍ରଦେଶ ପ୍ରାକୃତିକ ସମ୍ପଦରେ ସମୃଦ୍ଧ ହେଲେ ମଧ୍ୟ ଏହା ପାକିସ୍ତାନର ସବୁଠାରୁ ଗରିବ ପ୍ରଦେଶ ମଧ୍ୟରେ ରହିଛି। ବଲୁଚ ଲୋକମାନେ ସେମାନଙ୍କର ସମ୍ପଦର ସଠିକ ବ୍ୟବହାର ଏବଂ ଅଧିକାର ପାଇଁ ଆନ୍ଦୋଳନ କରି ଆସୁଛନ୍ତି।
ଏହି ଘଟଣା ଭାରତ-ପାକିସ୍ତାନ ସମ୍ପର୍କରେ ପୁଣି ଏକ ଉତ୍ତେଜନାର ସୃଷ୍ଟି କରିଛି। ଭାରତ ପୁଣି ଥରେ ପାକିସ୍ତାନକୁ ନିଜର ଆଭ୍ୟନ୍ତରୀଣ ସମସ୍ୟା ସମାଧାନ କରିବାକୁ ପରାମର୍ଶ ଦେଇଛି ଏବଂ ଅଯଥା ଅଭିଯୋଗ କରିବା ବନ୍ଦ କରିବାକୁ କହିଛି।