ଭୁବନେଶ୍ୱର, ୧୫।୧୨: ରକ୍ତର ଜବାବ ସିନ୍ଦୂରରେ । ଜମ୍ମୁ-କାଶ୍ମୀରର ପହଲଗାମରେ ପାକିସ୍ତାନୀ ଆତଙ୍କୀମାନେ ଯେଉଁ ରକ୍ତପାତ ଘଟାଇଥିଲେ, ଭାରତ ତାହାର ଜବାବ ଅପରେସନ ସିନ୍ଦୂରରେ ଦେଲା । ସୀମା ସରହଦ ଡେଇଁ ଏମିତି ପ୍ରହାର କଲା ଯେ ପାକିସ୍ତାନ କାଳ କାଳ ମନେ ରଖିବ । ଲୁଚିଛପି ଆସି ଧର୍ମ ପଚାରି ଆତଙ୍କୀମାନେ ପହଲଗାମ୍ରେ ନିରୀହ ଲୋକଙ୍କୁ ହତ୍ୟା କରିଥିଲେ । ଜବାବରେ ଭାରତୀୟ ସେନା ପାକିସ୍ତାନ ମାଟିରେ ପଶି ଆତଙ୍କୀ ଶିବିର ଉଡ଼ାଇବା ସହ ୧୧ ବାୟୁସେନା ଘାଟି ବି ଧୂଳିସାତ୍ କରିଦେଲା । ‘ସିନ୍ଦୂର’ର ଏହି ପ୍ରଚଣ୍ଡ ପ୍ରତିଶୋଧରେ ତ୍ରାହି ତ୍ରାହି ଡାକିଥିଲା ପାକିସ୍ତାନ । ଶେଷରେ ଯୁଦ୍ଧବିରତି ପାଇଁ ହୋଇଥିଲା ନେହୁରା ।

ଧର୍ମ ପଚାରି ମାରିଲେ:

ଏପ୍ରିଲ ୨୨ ତାରିଖ । ଜମ୍ମୁ-କାଶ୍ମୀର ଉପତ୍ୟକାର ସବୁଜିମାଭରା ପହଲଗାମସ୍ଥିତ ବୈସରନ ଘାଟିରେ ଖୁସିରେ ମତୁଆଲା ଥିଲେ ପର୍ଯ୍ୟଟକ । ଏହି ସମୟରେ ସେନା ପୋଷାକ ପିନ୍ଧି ପହଞ୍ଚିଥିଲେ ଆତଙ୍କବାଦୀ । ଧର୍ମ ପଚାରି ମୁଣ୍ଡକୁ ଗୁଳିମାଡ଼ କରିଥିଲେ । ପରିବାର ଲୋକଙ୍କ ସାମ୍ନାରେ ୨୮ ପର୍ଯ୍ୟଟକଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ । ସୋସିଆଲ ମିଡିଆରେ ଭାଇରାଲ ହୃଦୟବିଦାରକ ଫଟୋ ଓ ଭିଡିଓ ଦେଖି ଦେଶବାସୀ ସ୍ତବ୍ଧ ହୋଇଥିଲେ । ପାକିସ୍ତାନଭିତ୍ତିକ ଆତଙ୍କୀ ସଂଗଠନ ଲସ୍କର-ଏ-ତଇବା (ଏଲ୍ଇଟି)ର ଏକ ଶାଖା ‘ଦ ରେଜିଷ୍ଟାଣ୍ଟ ଫ୍ରଣ୍ଟ (ଟିଆର୍ଏଫ୍)’ ଏଥିଲାଗି ନିଜକୁ ଦାୟୀ କରିଥିଲା । ବିଦାୟୀ ବର୍ଷ ୨୦୨୫ ଏଭଳି ଛାତିଥରା ଅଘଟଣ ପାଇଁ ଅପାସୋରା ରହିବ ।

ଜାତିସଂଘର ନିନ୍ଦା:

ପହଲଗାମ ଆତଙ୍କୀ ଆକ୍ରମଣ ଘଟଣାକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଥିଲା । ଆମେରିକା, ରୁଷ୍, ବ୍ରିଟେନ, ଇଟାଲୀ ଭଳି ବଡ଼ ଦେଶର ନେତୃବୃନ୍ଦ ଶୋକବ୍ୟକ୍ତ କରିବା ସହ ସମବେଦନା ଜଣାଇଥିଲେ । ପରେ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି) ପକ୍ଷରୁ ମଧ୍ୟ କଡ଼ା ନିନ୍ଦା କରାଯାଇଥିଲା । ତମାମ ପ୍ରମୁଖ ଦେଶର ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରି ଏବଂ ‘ଏକ୍ସ’ ଜରିଆରେ ସମବେଦନା ଜଣାଇଥିଲେ । ୟୁଏନ୍ଏସ୍‌ସିର ସଦସ୍ୟମାନେ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦନୀୟ ଦର୍ଶାଇବା ସହ ଅପରାଧୀ, ଷଡ଼ଯନ୍ତ୍ରକାରୀ, ଆତଙ୍କବାଦ ପାଣ୍ଠି ଯୋଗାଣକାରୀ ଓ ପ୍ରାୟୋଜକଙ୍କୁ ଆଇନର କାଠଗଡ଼ାକୁ ଅଣାଯିବା ଉଚିତ୍ ବୋଲି ଦର୍ଶାଇଥିଲେ ।

ୱାଟର ଷ୍ଟ୍ରାଇକ୍:

ପହଲଗାମ ହମଲାର ପ୍ରତିଶୋଧ ସ୍ୱରୂପ ପାକ୍ ଉପରେ ହୋଇଥିଲା ୱାଟର ଷ୍ଟ୍ରାଇକ୍ । ଐତିହାସିକ ସିନ୍ଧୁ ଜଳ ଚୁକ୍ତି ରଦ୍ଦ କରିଥିଲା ଭାରତ । ଝେଲମ୍ ନଦୀରେ ଅଚାନକ ପାଣି ଛଡ଼ାଯାଇଥିଲା । ଭାରତ ଆଗୁଆ ସୂଚନା ନ ଦେଇ ଝେଲମ୍‌ରେ ପାଣି ଛାଡ଼ିଦେବାରୁ ପାକିସ୍ତାନରେ ଅଦିନିଆ ବନ୍ୟା ଆସିଥିଲା । ଏହାକୁ ପାକ୍ ଉପରେ ଭାରତର ୱାଟର ଷ୍ଟ୍ରାଇକ୍ କୁହାଯାଇଥିଲା । ମୁଜାଫରାବାଦରେ ଜଳସ୍ତର ବଢ଼ିବାକୁ ଲାଗିଥିଲା । ପାକ୍ ଅଧିକୃତ କାଶ୍ମୀର (ପିଓକେ)ର କିଛି ଅଂଶରେ ଝେଲମ୍ ପ୍ରବାହିତ ହେଉଥିବାରୁ ଏହାର ଆଖପାଖ ଅଞ୍ଚଳରେ ବନ୍ୟା ଜଳ ପଶିଥିଲା । ଏହାପରେ ଚେନାବ ନଦୀ ପାଣି ରୋକି ପାକିସ୍ତାନର ନିଦ ହଜାଇ ଦେଇଥିଲା ଭାରତ । ଚେନାବ ନଦୀ ଉପରେ ନିର୍ମିତ ବାଗଲିହାର ଡ୍ୟାମ୍‌କୁ ବନ୍ଦ କରାଯାଇଥିଲା । କିଶନଗଙ୍ଗା ବନ୍ଧ ବି ବନ୍ଦ ରହିଥିଲା । ଶେଷରେ ମେ ମାସର ପ୍ରବଳ ତାତିରେ ପାକିସ୍ତାନ ଜଳାଭାବର ସମ୍ମୁଖୀନ ହୋଇ ତ୍ରାହି ତ୍ରାହି ଡାକିଥିଲା ।

ଡିଜିଟାଲ ଷ୍ଟ୍ରାଇକ୍:

ପାକିସ୍ତାନ ବିରୋଧରେ ୱାଟର ଷ୍ଟ୍ରାଇକ୍ ପରେ ହୋଇଥିଲା ଡିଜିଟାଲ ଷ୍ଟ୍ରାଇକ୍ । ମିଥ୍ୟା ଖବର ପ୍ରସାରଣ ଅଭିଯୋଗରେ ପାକିସ୍ତାନଭିତ୍ତିକ ୧୬ଟି ୟୁଟ୍ୟୁବ୍ ଚ୍ୟାନେଲକୁ ବନ୍ଦ କରି ଦିଆଯାଇଥିଲା । ଏଥିରେ ପୂର୍ବତନ ପାକ୍ କ୍ରିକେଟର ଶୋଏବ ଅଖ୍ତରଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ ସାମିଲ ଥିଲା । ଏହାଛଡ଼ା ଡନ୍ ନ୍ୟୁଜ୍, ସମା ଟିଭି ଏବଂ ଜିଓ ନ୍ୟୁଜ୍ ଭଳି ସଂସ୍ଥାର ଚ୍ୟାନେଲକୁ ବି ବନ୍ଦ କରାଯାଇଥିଲା । ମୁନିବ ଫାରୁକ, ସୁନୋ ନ୍ୟୁଜ୍ ଏଚ୍ଡି ଓ ରାଜି ନାମା ଆଦି ବି ବନ୍ଦ ହୋଇଥିଲା । ଶୋଏବଙ୍କ ଚ୍ୟାନେଲ ବ୍ୟାନ୍ ହୋଇଯିବା ଯୋଗୁ ତାଙ୍କୁ ବଡ଼ ଝଟକା ଲାଗିଥିଲା । ଭାରତରେ ତାଙ୍କ ଚ୍ୟାନେଲ୍ର ଅନେକ ସଂଖ୍ୟକ ଦର୍ଶକ ଅଛନ୍ତି ।

ଭୟଙ୍କର ହେଲା ଅପରେସନ ସିନ୍ଦୂର:

ପହଲଗାମ ଆକ୍ରମଣର ପ୍ରତିଶୋଧ ପାଇଁ ‘ଅପରେସନ ସିନ୍ଦୂର’ ପ୍ରସ୍ତୁତ ହୋଇଥିଲା । ଶେଷରେ ବାୟୁସେନା ମେ ୭ ବିଳମ୍ବିତ ରାତି ପ୍ରାୟ ୧ଟା ୫ ମିନିଟ୍‌ରେ ପାକିସ୍ତାନ ଏବଂ ପିଓକେରେ ଜୋରଦାର ଏୟାର ଷ୍ଟ୍ରାଇକ୍ କରିଥିଲା । ମାତ୍ର ୨୫ ମିନିଟ୍ ଧରି ଚାଲିଥିବା ଅପରେସନ ସିନ୍ଦୂରରେ ପାକିସ୍ତାନର ୭ଟି ସହରରେ ୯ଟି ଆତଙ୍କୀ ଶିବିର ଧ୍ୱଂସ ହୋଇଯାଇଥିଲା । ଭାରତର ଗୁଇନ୍ଦା ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ୍ ୨୧ଟି ଆତଙ୍କୀ ଶିବିରର ତାଲିକା ଦେଇଥିଲା । ଏହା ଉପରେ ଭଲ ଭାବେ ତର୍ଜମା କରାଯାଇ ଶେଷରେ ୯ଟି ଚୟନ ହୋଇଥିଲା ।

ମାଟିରେ ମିଶିଲା ୯ ଆତଙ୍କୀ ଶିବିର:

ଅପରେସନ ସିନ୍ଦୂରରେ ଭାରତୀୟ ସେନା ପ୍ରଥମେ ପାକିସ୍ତାନ ଭିତରେ ପଶି ଆତଙ୍କୀ ଶିବିରକୁ କରିଥିଲା ଟାର୍ଗେଟ୍ । ଭୀଷଣ ଏୟାରଷ୍ଟ୍ରାଇକ୍ରେ ଥରି ଉଠିଥିଲା ଆତଙ୍କୀ ଗଡ଼ । ରାତି ୧ଟା ୫ରୁ ୧.୩୦ ପର୍ଯ୍ୟନ୍ତ ମାତ୍ର ୨୫ ମିନିଟ୍ ପାଇଁ ପରାକ୍ରମୀ ଭାରତୀୟ ଯବାନ ଘନଘନ ମିସାଇଲ୍ ଓ ବୋମା ମାଡ଼ କରିଥିଲେ । ଚାହୁଁ ଚାହୁଁ ୯ଟି ଆତଙ୍କୀ ଶିବିର ଛାରଖାର ହୋଇଯାଇଥିଲା । ଜୈଶ-ଏ-ମହମ୍ମଦର ମୁଖ୍ୟ ମୌଲାନା ମସୁଦ ଆଝାର ପରିବାରର ୧୦ ସଦସ୍ୟ, ୪ ସହଯୋଗୀଙ୍କ ସମେତ ପ୍ରାୟ ଶତାଧିକ ଆତଙ୍କୀ ମରି ଶୋଇଥିଲେ । ଏହାକୁ ନେଇ ଆତଙ୍କୀ ଆଡ୍ଡାଠାରୁ ଆଇଏସ୍ଆଇ ଏବଂ ପାକ୍ ସେନା ପର୍ଯ୍ୟନ୍ତ ଶୋକର ଛାୟା ଖେଳିଯାଇଥିଲା । ଭାରତର ଏହି ଭୟଙ୍କର ହମଲାରେ ବହାବଳପୁରସ୍ଥିତ ଜେଇଏମ୍ର ମର୍କଜ ସୁଭାନ ଅଲ୍ଲା, ମୁରିଦକେରେ ଥିବା ଏଲ୍ଇଟିର ମର୍କଜ ତୟାବା, ଜେଇଏମ୍ର ତେହରା କଲାନସ୍ଥିତ ସର୍ଜଲ, ସିଆଲକୋଟସ୍ଥିତ ହିଜବୁଲ୍ ମୁଜାହିଦ୍ଦିନର ମହମୁନା ଜୋୟା, ଏଲ୍ଇଟିର ବର୍ନାଲାସ୍ଥିତ ମର୍କଜ ଆହଲେ ହଦିସ, ଜେଇଏମ୍‌ର କୋଟଲୀସ୍ଥିତ ମର୍କଜ ଅବାସ, ହିଜବୁଲ ମୁଜାହିଦ୍ଦିନ୍ର କୋଟଲୀସ୍ଥିତ ମସ୍କର ରହୀଲ ଶାହିଦ, ଏଲ୍ଇଟିର ମୁଜାଫରାବାଦର ସୱାଇ ନାଲା ଶିବିର ଏବଂ ଜେଇଏମ୍ର ମୁଜାଫରାବାଦର ସେଦ୍ନା ବିଲାଲ ଶିବିର ଧ୍ୱଂସ ହୋଇଯାଇଥିଲା ।

୩ ଆତଙ୍କୀ ନିପାତ:

‘ଅପରେସନ ମହାଦେବ’ରେ ଭାରତର ସୁରକ୍ଷା ବଳ ପହଲଗାମ ହମଲାର ପ୍ରତିଶୋଧ ନେଇଥିଲେ । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନିଜେ ସଂସଦରେ ଏହା ଖୁଲାସା କରିଥିଲେ । ଲୋକସଭାରେ ‘ଅପରେସନ ସିନ୍ଦୂର’ ପ୍ରସଙ୍ଗରେ ଶାହ ୧ ଘଣ୍ଟା ୧୪ ମିନିଟ୍ ଧରି ଭାଷଣ ଦେଇଥିଲେ । ଭାଷଣର ପ୍ରାରମ୍ଭରେ ସେ ୩ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସୁରକ୍ଷା ବଳ ନିପାତ କରିଥିବା କହିଥିଲେ । ଏହି ୩ ଆତଙ୍କୀଙ୍କ ନାମ ସୁଲେମାନ, ଆଫଗାନ ଓ ଜିବ୍ରାନ । ଏ ନେଇ ସ୍ୱରାଷ୍ଟ୍ର ମନ୍ତ୍ରୀ ୩ଟି ପ୍ରମାଣ ବି ଦେଇଥିଲେ । ଆତଙ୍କୀଙ୍କୁ ସହାୟତା କରିଥିବା ଅନ୍ୟ ୨ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ୩ ଆତଙ୍କୀଙ୍କୁ ନିପାତ କରାଯିବା ପରେ ସେମାନଙ୍କ ମୃତଦେହ ଶ୍ରୀନଗର ଅଣାଯାଇଥିଲା । ସେମାନେ ପାକିସ୍ତାନୀ ବୋଲି ସ୍ପଷ୍ଟ ହୋଇଥିଲା ।

ପାକ୍‌ର ଡ୍ରୋନ, ମିସାଇଲ ମାଡ଼:

ଆତଙ୍କୀ ଶିବିର ଉପରେ ଭାରତର ଆକ୍ରମଣ ପରେ ପାକ୍ ସେନା ଜବାବ ଦେଇଥିଲା । ଲଗାତର ୩ ଦିନ ଧରି ହମଲା କରିଥିଲା । ଏଥିରେ ମିସାଇଲ୍ ଓ ଡ୍ରୋନ ବ୍ୟବହାର ହୋଇଥିଲା । ରାତିରେ ଜମ୍ମୁକାଶ୍ମୀର, ରାଜସ୍ଥାନ, ପଞ୍ଜାବ ଓ ଗୁଜରାଟର ୨୬ ସହର ଉପରେ ଡ୍ରୋନ ହମଲା କରିଥିଲା ପାକ୍ । ପଞ୍ଜାବର ଫିରୋଜପୁରରେ ମିସାଇଲ ଆକ୍ରମଣ କରିଥିଲା । ରାଜସ୍ଥାନର ପୋଖରାନ, ଜମ୍ମୁର ସାମ୍ବା, ଗୁଜରାଟର କଚ୍ଛ ଓ ପଞ୍ଜାବର ପଠାନକୋଟରେ ଡ୍ରୋନ ଆକ୍ରମଣ ମଧ୍ୟ କରିଥିଲା । ହେଲେ ସବୁ ଆକ୍ରମଣକୁ ଭାରତୀୟ ସେନା ନିଷ୍ଫଳ କରିଦେଇଥିଲା । ଭାରତୀୟ ସେନା ସମ୍ପୃକ୍ତ ଅଞ୍ଚଳରେ ଏୟାର ଡିଫେନ୍ସ ସିଷ୍ଟମକୁ ସକ୍ରିୟ କରିଦେଇଥିଲା । ଏହାପରେ ଅଧ ରାତିରେ ଭାରତୀୟ ସେନା ପାକିସ୍ତାନ ଉପରେ ଜୋରଦାର ଜବାବୀ କାର୍ଯ୍ୟାନୁଷ୍ଠାନ ନେଇଥିଲା । ଅନେକ ସ୍ଥାନରେ ଡ୍ରୋନ୍ ଦ୍ୱାରା ଆକ୍ରମଣ କରାଯାଇଥିଲା । ଦୁଇ ଦେଶ ମଧ୍ୟରେ ଏଭଳି ଯୁଦ୍ଧ ଘନଘଟା ଦେଖି ସୀମାବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଲୋକେ ଆତଙ୍କିତ ହୋଇପଡ଼ିଥିଲେ ।

୧୧ ବାୟୁସେନା ଘାଟି ଧ୍ୱସ୍ତ:

ଅପରେସନ ସିନ୍ଦୂରରେ ପ୍ରଥମେ ଆତଙ୍କବାଦୀ ଶିବିର ଉପରେ ହମଲା ହୋଇଥିଲା । ଏହାପରେ ଅଧିକ ଆକ୍ରମଣ ପାଇଁ ଯୋଜନା ନ ଥିଲା । କିନ୍ତୁ ପାକ୍ ସେନା ସୀମାବର୍ତ୍ତୀ ଅଞ୍ଚଳରେ ଆକ୍ରମଣ କରିବାରୁ ପୁଣି ଅପରେସନ ସିନ୍ଦୂର ତୀବ୍ର ରୂପ ନେଇଥିଲା । ମେ ୮ରୁ ୧୦ ଲଗାତର ତିନିଦିନ ଧରି ଭାରତୀୟ ବାୟୁସେନା ପାକିସ୍ତାନ ଉପରେ ପ୍ରଚଣ୍ଡ ଷ୍ଟ୍ରାଇକ୍ କରିଥିଲା । ଏଥିରେ ପାକିସ୍ତାନର ୧୧ଟି ବାୟୁସେନା ଘାଟି ଧ୍ୱଂସ ହୋଇଯାଇଥିଲା । ନୁର ଖାନ୍, ରଫିକି, ମୁରିଦ, ସୁକ୍କୁର, ସିଆଲକୋଟ, ପସରୁର, ଚୁନିଆନ, ସରଗୋଦା, ସ୍କାର୍ଦୁ, ଭୋଲାରି ଓ ଜାକୋବାବାଦରେ ଏହି ଘାଟିଗୁଡ଼ିକ ରହିଥିଲା । ଏଠାରେ ପାକିସ୍ତାନର ଡ୍ରୋନ ୱାରଫେୟାର କମାଣ୍ଡ ସେଣ୍ଟର, ଏୟାର ଡିଫେନ୍ସ ସିଷ୍ଟମ୍ ଓ ଯୁଦ୍ଧ ବିମାନ ହବ୍ ଥିଲା । ଭାରତର ଭୀଷଣ ଆକ୍ରମଣ ଯୋଗୁ ଏଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିଲା । ଭାରତର ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ସାମ୍ବାଦିକ ସମ୍ମିଳନୀରେ ଏହା ସ୍ପଷ୍ଟ କରିଥିଲେ ।

ବ୍ରହ୍ମୋସର ବଜ୍ର ପ୍ରହାର:

ଅପରେସନ ସିନ୍ଦୂରରେ ମାଟି କାମୁଡ଼ିଥିଲା ପାକିସ୍ତାନ । ଭାରତର ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲର ଶକ୍ତି ସାରା ବିଶ୍ୱ ଦେଖିଥିଲା । ଘନଘନ ମିସାଇଲ ମାଡ଼ରେ ଥରିଉଠିଥିଲା ପାକିସ୍ତାନ । ଆତଙ୍କୀ ଗଡ଼ଠାରୁ ପାକ୍ ବାୟୁସେନା ଘାଟି ପର୍ଯ୍ୟନ୍ତ ସବୁ ଛାରଖାର ହୋଇଯାଇଥିଲା । ରୁଷ୍ଠାରୁ ଅଣାଯାଇଥିବା ଏସ୍-୪୦୦ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏବଂ ଭାରତରୁଷର ମିଳିତ ଭାଗୀଦାରିରେ ନିର୍ମିତ ବ୍ରହ୍ମୋସ ଅପରେସନ ସିନ୍ଦୂରରେ ଏକସଙ୍ଗେ ବ୍ୟବହୃତ ହୋଇଥିଲା । ଏସ୍-୪୦୦ ପାକିସ୍ତାନର ସମସ୍ତ ମିସାଇଲ୍, ଡ୍ରୋନ୍ ଏବଂ ବୋମା ଆକ୍ରମଣକୁ ରୋକିଥିଲା । ବ୍ରହ୍ମୋସ ପାକ୍ ଭିତରେ ପଶି ଖୋଜି ଖୋଜି ମାରିଥିଲା । ଡ୍ରୋନ୍ ରୋଧୀ ‘ଆକାଶତୀର’ ମଧ୍ୟ ପ୍ରଭାବୀ ପ୍ରମାଣିତ ହୋଇଥିଲା । ଅପରେସନ ସିନ୍ଦୂର ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଆତ୍ମନିର୍ଭରତା, ରଣନୀତିକ ଦୂରଦର୍ଶିତା ଏବଂ ସ୍ୱଦେଶୀ ଶକ୍ତିର ପ୍ରମାଣ ଦେଇଥିଲା । ଏହାପରେ ଭାରତର ପ୍ରତିରକ୍ଷା ସରଞ୍ଜାମର ଚାହିଦା ବଢ଼ିବାକୁ ଲାଗିଥିଲା । 

‘ଖୋଜି ଖୋଜି ମାରିବୁ’

ପହଲଗାମ ଆତଙ୍କୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଭିମୁଖ୍ୟ ଅତ୍ୟନ୍ତ କଠୋର ହୋଇଥିଲା । ପାକ୍ ଆତଙ୍କୀଙ୍କୁ କଡ଼ା ଚେତାବନୀ ଦେଇଥିଲେ ସେ । କହିଥିଲେ, ଦୋଷୀ ଆତଙ୍କୀଙ୍କୁ ଛଡ଼ାଯିବ ନାହିଁ । ସେମାନଙ୍କୁ ଖୋଜି ଖୋଜି ମାରିବୁ । ତାଙ୍କର ଏଭଳି ରଣହୁଙ୍କାରରେ ପାକ୍‌ରେ ଥିବା ଆତଙ୍କୀ ଶିବିର ଥରିବାକୁ ଲାଗିଥିଲା । ଶେଷ ସୀମା ପର୍ଯ୍ୟନ୍ତ ଯାଇ ପ୍ରତ୍ୟେକ ଆତଙ୍କୀଙ୍କୁ ମରାଯିବ ଏବଂ କଳ୍ପନାଠାରୁ ଆହୁରି ବଡ଼ ଦଣ୍ଡ ଦିଆଯିବ ବୋଲି କହିଥିଲେ ମୋଦି । ତାଙ୍କର ଏଭଳି ବୟାନ ପହଲଗାମ ପୀଡ଼ିତଙ୍କ ପରିବାରକୁ ଆଶ୍ୱସ୍ତ କରିଥିଲା । ପହଲଗାମ ପୀଡ଼ିତଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିବାକୁ ସବୁ ବଳ ଲଗାଇଦେବୁ ବୋଲି କହିଥିଲେ ମୋଦି ।

‘ହନୁମାନ ଆଦର୍ଶ ମାନିଛୁ’ 

ଅପରେସନ ସିନ୍ଦୂର ବାବଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଥିଲା । ରାଜନାଥ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ଭାରତୀୟ ସେନା ଦେଶର ମସ୍ତକ ଉଚ୍ଚା କରିଦେଇଛି । ଭାରତୀୟ ସେନା ନିଜ ଶୌର୍ଯ୍ୟ ଓ ପରାକ୍ରମର ପରିଚୟ ଦେଇ ନୂଆ ଇତିହାସ ଲେଖିଛି । ଭାରତର ସେନା ସଠିକତା, ସତର୍କତା ଓ ସମ୍ବେଦନଶୀଳତା ସହ କାର୍ଯ୍ୟାନୁଷ୍ଠାନ ନେଇଛି । ଆମେ ଯେଉଁ ଲକ୍ଷ୍ୟ ସ୍ଥିର କରିଥିଲୁ, ତାହା ଯୋଜନାନୁସାରେ କାର୍ଯ୍ୟକାରୀ ହୋଇଛି । ଆତଙ୍କୀ ଶିବିର ଧ୍ୱଂସ ହୋଇଯାଇଛି । ଆମେ ହନୁମାନଜୀଙ୍କ ସେହି ଆଦର୍ଶକୁ ପାଳନ କରିଛୁ, ଯାହା ସେ ଅଶୋକ ବାଟିକା ଉଜାଡ଼ିବା ବେଳେ କରିଥିଲେ । ଅର୍ଥାତ୍ କେବଳ ସେହି ଅପରାଧୀଙ୍କୁ ନିପାତ କରାଯାଇଛି ଯେଉଁମାନେ ନିରୀହଙ୍କୁ ଅତି ନିଷ୍ଠୁର ଭାବେ ହତ୍ୟା କରିଥିଲେ ।

‘ଶିରାରେ ଗରମ ସିନ୍ଦୂର ପ୍ରବାହିତ’

ଭାରତ ବିରୋଧରେ ପାକିସ୍ତାନ ଗୋଟିଏ ବି ଯୁଦ୍ଧ ଜିତିପାରିବ ନାହିଁ । ସେଥିପାଇଁ ଆତଙ୍କବାଦକୁ ଭାରତ ବିରୋଧରେ ଅସ୍ତ୍ର ବନାଇଛି । କିନ୍ତୁ ଏହା ଗୋଟିଏ କଥା ଭୁଲିଯାଉଛି ଯେ, ଏବେ ମାଆ ଭାରତୀର ସେବକ ମୋଦି ଏଠାରେ ଛାତି ଫୁଲାଇ ଛିଡ଼ା ହୋଇଛି । ମୋଦିର ମନ ଶାନ୍ତ । କିନ୍ତୁ ରକ୍ତ ଗରମ । ଏବେ ମୋଦିର ଶିରାରେ ରକ୍ତ ନୁହେଁ, ବରଂ ଗରମ ସିନ୍ଦୂର ପ୍ରବାହିତ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇ ଏଭଳି କହିଥିଲେ । 

‘ରକ୍ତ ଓ ପାଣି ଏକସଙ୍ଗେ ବହିବନି’ 

ଅପରେସନ ସିନ୍ଦୂର ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇ କହିଥିଲେ, ରକ୍ତ ଓ ପାଣି ଏକସଙ୍ଗେ ବହିବ ନାହିଁ । ମୋଦିଙ୍କର ଏହି ବାକ୍ୟ କେବଳ କୂଟନୈତିକ ବକ୍ତବ୍ୟ ନ ଥିଲା, ବରଂ ଭାରତର ରାଷ୍ଟ୍ରୀୟ ସୁରକ୍ଷା ନୀତି ଏବଂ ପାକିସ୍ତାନର ଦୋମୁହାଁ ନୀତି ବିରୋଧରେ ସ୍ପଷ୍ଟ ବାର୍ତ୍ତା ଥିଲା । ମୋଦି କହିଥିଲେ, ଦିନ ଥିଲା ରକ୍ତ ବହିବା ପରେ ବି ଭାରତ ପାଣି ବହିବାକୁ ଦେଉଥିଲା । କିନ୍ତୁ ଏବେ ତାହା ସମ୍ଭବ ନୁହେଁ । ଭାରତ ଏବେ କେବଳ ଶୁଣୁନାହିଁ, ଜବାବ ବି ଦେଉଛି । ତା’ ପୁଣି ନିଜ ତରିକାରେ ।

ଦେଶବ୍ୟାପୀ ମକ୍‌ଡ୍ରିଲ୍:

ଭାରତ ପହଲଗାମ ଆତଙ୍କୀ ହମଲାର ପ୍ରତିଶୋଧ ନେବା ପରେ ବଡ଼ ଯୁଦ୍ଧ ଆଶଙ୍କା ଘନେଇଥିଲା । ପାକିସ୍ତାନ ସେନା ଯଦି ଭାରତର ଅପରେସନ ‘ସିନ୍ଦୂର’ର ପ୍ରତିଶୋଧ ନେବାକୁ ଚେଷ୍ଟା କରେ, ତେବେ ବଡ଼ ଯୁଦ୍ଧର ସୂତ୍ରପାତ ହେବା ଆଶଙ୍କା ଉପୁଜିଥିଲା । ଏଭଳି ସ୍ଥିତିରେ ଦେଶବ୍ୟାପୀ ମକ୍‌ଡ୍ରିଲ୍ ଓ ବ୍ଲାକଆଉଟ୍ ହୋଇଥିଲା । ସମ୍ଭାବ୍ୟ ଯୁଦ୍ଧ ସ୍ଥିତିରେ କେମିତି ସୁରକ୍ଷିତ ରହିହେବ ସେଥିପାଇଁ ଲୋକଙ୍କୁ ଆତ୍ମରକ୍ଷା ତାଲିମ ଦିଆଯାଇଥିଲା ।

ପରମାଣୁ ଯୁଦ୍ଧ ଭୟ:

ପହଲଗାମ ହମଲାର ଭାରତ ପ୍ରତିଶୋଧ ନେବା ପରେ ପାକିସ୍ତାନକୁ ଶକ୍ତ ଧକ୍କା ଲାଗିଥିଲା । ପାକ୍ ଏହାର ଜବାବ ଦେବାକୁ ଯାଇ ବଡ଼ ଆକ୍ରମଣ କରିବା ଆଶଙ୍କା ଉପୁଜିଥିଲା । ଏଭଳି ଘଟଣା ମଧ୍ୟରେ ପରମାଣୁ ଯୁଦ୍ଧ ଭୟ ଘାରିଥିଲା । ବିଲାୱଲ ଭୁଟ୍ଟୋ ଓ ମରିୟମ୍ ନୱାଜଙ୍କ ଭଳି ପ୍ରମୁଖ ନେତା ବାରମ୍ବାର ପରମାଣୁ ଆକ୍ରମଣ ଧମକ ଦେଇଥିଲେ ।