କଟକ,୩୦/୧୧: ଡିସେମ୍ୱର ୯ ତାରିଖରେ ଖେଳାଯିବାକୁ ଥିବା ଭାରତ- ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍‌ର ଆୟୋଜନ ଓ ପ୍ରସ୍ତୁତି ସମ୍ୱନ୍ଧରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଗୁହା ପୁନମ ତାପସ କୁମାରଙ୍କ ଅଧ୍ୟକ୍ଷତାରେ ଓସିଏ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜନ କିଭଳି ସୁବ୍ୟବସ୍ଥିତ ହେବ ସେଥିପାଇଁ ସମସ୍ତ ବ୍ୟବସ୍ଥାକୁ ତ୍ରୁଟିଶୂନ୍ୟ ଭାବେ କାର୍ଯ୍ୟକାରୀ କରିବା ପାଇଁ ଆର୍‌ଡିସି ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ, ଡିସିପି ଖିଲାରି ରିଷିକେଶ ଦ୍ୟାନ୍ଦେଓ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ତଥା ଓସିଏ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମ୍ୟାଚ୍ ଆୟୋଜନର ସମସ୍ତ ପ୍ରସ୍ତୁତି ସମ୍ପର୍କରେ ଆର୍ଡିସି ସଂପୃକ୍ତ ଅଧିକାରୀ ଓ ଯନ୍ତ୍ରୀ ତଥା ଓସିଏ କାର୍ଯ୍ୟକର୍ତ୍ତାଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ଖେଳାଳିଙ୍କୁ ସ୍ୱାଗତ କରିବାକୁ ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦିଆଯାଇ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । ବିମାନବନ୍ଦରରୁ ଭୁବନେଶ୍ୱର ହୋଟେଲ ଏବଂ କଟକକୁ ଆସିବା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଓଡ଼ିଶାର ଲୋକକଳା, ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳିବ । ଯାହାଫଳରେ ଖେଳାଳିମାନେ ଏକ ନିଆରା ଅନୁଭୂତି ନେଇ ଫେରିବେ ବୋଲି ଆର୍ଡିସି ଆଶା କରିଛନ୍ତି।

ମ୍ୟାଚ୍ ପୂର୍ବରୁ ଓ ମ୍ୟାଚ୍ ସମୟରେ ପୁଲିସ୍ ପ୍ରଶାସନ ଅଧିକ ସତର୍କତା ଅବଲମ୍ୱନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସମୀକ୍ଷା ପୂର୍ବକ ଉକ୍ତ ବୈଠକରେ ସୁବ୍ୟବସ୍ଥିତ ଗ୍ରୀନ କରିଡର ଉପରେ ମଧ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଆୟୁକ୍ତ ବିସ୍ତୃତ ଆଲୋଚନା କରିଥିଲେ । ମ୍ୟାଚ୍ ସମୟରେ ଭିଡ଼ ନିୟନ୍ତ୍ରଣ, ଉଭୟ ପଡ଼ିଆ ଓ ପଡ଼ିଆ ବାହାରେ ଜରୁରୀ ଚିକିତ୍ସା ବ୍ୟବସ୍ଥା, ପାର୍କିଂ, ଟ୍ରାଫିକ ପରିଚାଳନା, ମ୍ୟାଚ୍ ଶେଷ ପରେ ଦର୍ଶକଙ୍କ ନିମନ୍ତେ ରାତ୍ରିକାଳୀନ ବସ୍ ଚଳାଚଳ ବ୍ୟବସ୍ଥା ଆଦି ସମ୍ପର୍କରେ ଗୁରୁତ୍ୱ ଦିଆଯାଇଥିଲା । ପ୍ରତ୍ୟେକ ଗ୍ୟାଲେରୀ ଓ ଷ୍ଟାଣ୍ଡ୍ କ୍ଷମତା ଅନୁଯାୟୀ ସେଠାରେ ନିର୍ଦ୍ଦିଷ୍ଟ ସଂଖ୍ୟକ ଦର୍ଶକଙ୍କୁ ବସିବା ପାଇଁ ବ୍ୟବସ୍ଥା କରାଯିବା ନେଇ ସମୀକ୍ଷା ପୂର୍ବକ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଭୁବନେଶ୍ୱର ବିମାନ ବନ୍ଦର ପ୍ରାଧିକରଣ ନିର୍ଦ୍ଦେଶକଙ୍କ ସମେତ ସିଡିଏମ୍ଓ, ଅଗ୍ନିଶମ ଅଧିକାରୀ, ଆରଟିଓ, ମହାନଗର ନିଗମ ଓ ପୂର୍ତ୍ତ ବିଭାଗୀୟ ଅଧିକାରୀ, ଓଡ଼ିଶା ଅଲିମ୍ପିକ ଆସୋସିଏସନ୍ ସମ୍ପାଦକ ଅଭିଜିତ ପାଲ୍ ଓ ଓସିଏ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବ୍ରତ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।