ବିଶାଖାପଟ୍ଟନମ,୨୩/୧୨: ଆଜି ଘରୋଇ ଭାରତ ଓ ଶ୍ରୀଲଙ୍କା ମହିଳା କ୍ରିକେଟ୍ ଦଳ ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ଖେଳାଯିବ । ଭାରତ ୧-୦ରେ ସିରିଜ ଅଗ୍ରଣୀ ରହିଛି । ଆଜି ଦଳଗତ ପ୍ରଦର୍ଶନ ବଳରେ ଆଉ ଏକ ବିଜୟ ପାଇଁ ପ୍ରସ୍ତୁତ ରହିଛି । ଅନ୍ୟ ପଟରେ ଶ୍ରୀଲଙ୍କା ସିରିଜକୁ ଫେରିବା ପାଇଁ ପ୍ରୟାସ କରିବ । ଫଳରେ ଏହି ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି ।

ଏସିଏ-ଭିଡିସିଏ କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ଭାରତ ୮ ୱିକେଟ୍ରେ ବିଜୟ ହାସଲ କରିଥିଲା । ଜେମିମା ରୋଡ୍ରିଗ୍ସ (ଅପରାଜିତ ୬୯) ଦଳକୁ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଆଜି ଏହି ଗ୍ରାଉଣ୍ଡରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ । ଭାରତ ପୂର୍ବ ମ୍ୟାଚ୍‌ରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରିଥିଲା । ମାତ୍ର ଫିଲ୍ଡିଂରେ ଦଳ ୫ଟି କ୍ୟାଚ୍ ହାତଛଡ଼ା କରିଥିଲା । ତେଣୁ ଫିଲ୍ଡିଂରେ ଉନ୍ନତି ଆଣିବା ଜରୁରୀ ।

ଆଜି ଭାରତ ଏକାଦଶରେ ପରିବର୍ତ୍ତନ କରିବାର ସମ୍ଭାବନା ନାହିଁ । ଦୁଇ ଓପନର ସ୍ମୃତି ମନ୍ଧନା ଓ ଶେଫାଳି ବର୍ମାଙ୍କ ସମେତ ଅଲରାଉଣ୍ଡର ଦୀପ୍ତି ଶର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଶେଫାଳି ପୂର୍ବ ମ୍ୟାଚ୍‌ରେ ବିଫଳ ହୋଇଥିଲେ ।  ତାଙ୍କ ବ୍ୟାଟ୍‌ରୁ ବଡ଼ ଇନିଂସ୍ ଆଶା ରହିବ । ଦୀପ୍ତିଙ୍କୁ ଏକ ରେକର୍ଡ଼ ଅପେକ୍ଷା କରିଛି । ସେ ଆଉ ୨ ୱିକେଟ୍ ନେଲେ ୧୫୦ ୱିକେଟ୍ ପୂରଣ କରିବେ । ଶ୍ରୀଲଙ୍କା ସବୁ ବିଭାଗରେ ଦୁର୍ବଳ ପ୍ରଦର୍ଶନ କରିଥିଲା । ଭାରତକୁ ହରାଇବାକୁ ହେଲେ ସମସ୍ତଙ୍କୁ ଦାୟିତ୍ୱ ମୁଣ୍ଡାଇବାକୁ ପଡ଼ିବ । ଅଧିନାୟିକା ଚାମରି ଆଟାପଟ୍ଟୁ ୨୦୨୪ରୁ ଏପର୍ଯ୍ୟନ୍ତ ୨୪ଟି ମ୍ୟାଚ୍ ଖେଳି ୮୨୨ରନ୍ ସଂଗ୍ରହ କରି ସାରିଛନ୍ତି । ତାଙ୍କ ଉପରେ ଦଳ ନିର୍ଭରଶୀଳ ରହିଛି । ଅନ୍ୟମାନଙ୍କ ମଧ୍ୟରେ ହର୍ଷିତା ସମରବିକ୍ରମା ଓ ନୀଳକ୍ଷିକା ସିଲ୍ଭାଙ୍କ ଉପରେ ନଜର ରହିବ ।

ସମ୍ଭାବ୍ୟ ଏକାଦଶ

ଭାରତ: ଶେଫାଳି ବର୍ମା, ସ୍ମୃତି ମନ୍ଧନା, ଜେମିମା ରୋଡ୍ରିଗ୍ସ, ହର୍ମନପ୍ରୀତ କୌର (ଅଧିନାୟିକା), ରିଚା ଘୋଷ, ଦୀପ୍ତି ଶର୍ମା, ଅମନଜୋତ କୌର, ଅରୁନ୍ଧତୀ ରେଡ୍ଡୀ, କ୍ରାନ୍ତି ଗୌଡ଼, ବୈଷ୍ଣବୀ ଶର୍ମା, ଏନ୍ ଶ୍ରୀ ଚରଣୀ ।

ଶ୍ରୀଲଙ୍କା: ଚାମରି ଆଟାପଟ୍ଟୁ (ଅଧିନାୟିକା), ଭୀଷ୍ମି ଗୁଣରତ୍ନେ, ହାସିନି ପେରେରା, ହର୍ଷିତା ସମରବିକ୍ରମା, କବିଶା ଦିଲହାରି, ନୀଳକ୍ଷିକା ସିଲ୍ଭା, କୌଶିନୀ, ଇନୋକା ରଣାବୀରା, ମଲ୍କି ମଦାରା, କାବ୍ୟା କବିନ୍ଦି, ଶଶିନୀ ଗିମ୍ହାନି ।