ନୂଆଦିଲ୍ଲୀ,୧୩/୦୯: ଅଲଗା ପାଲେଷ୍ଟାଇନ ଦେଶ ଗଠନକୁ ସମର୍ଥନ କରିଛି ଭାରତ । ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଆସିଥିବା ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଛି ଭାରତ । ଦୀର୍ଘ ୨ ବର୍ଷର ଯୁଦ୍ଧ ପରେ ଶେଷରେ ଇସ୍ରାଏଲ ଓ ପାଲେଷ୍ଟାଇନ ପାଇଁ ସମାଧାନର ବାଟ ଫିଟିଛି । ଜାତିସଂଘ ସାଧାରଣ ପରିଷଦ 'ନ୍ୟୁୟର୍କ ଘୋଷଣାନାମା'କୁ ସମର୍ଥନ କରିଛି, ଯେଉଁଥିରେ ସ୍ୱତନ୍ତ୍ର ଇସ୍ରାଏଲ ଏବଂ ପାଲେଷ୍ଟାଇନ ରାଷ୍ଟ୍ର ଗଠନ ଏବଂ ଗାଜାକୁ ହମାସ ମୁକ୍ତ କରାଯିବାକୁ ପ୍ରସ୍ତାବ ରହିଛି । ଏହି ପ୍ରସ୍ତାବକୁ ଭାରତ ସମେତ ୧୪୨ଟି ଦେଶ ସମର୍ଥନ କରିଛନ୍ତି । ପ୍ରସ୍ତାବ ବିରୋଧରେ ୧୦ଟି ଭୋଟ ପଡିଛି । ଯେଉଁଥିରେ ଇସ୍ରାଏଲ, ଆମେରିକା, ହେଙ୍ଗେରୀ ଓ ଆର୍ଜେଣ୍ଟିନା ପ୍ରମୁଖ ସହଯୋଗୀ ଦେଶ ରହିଛନ୍ତି । ୧୨ଟି ଦେଶ ଭୋଟ ଦାନ ପ୍ରକ୍ରିୟାରେ ସାମିଲ ହୋଇନାହାନ୍ତି ।
ଭାରତ ୧୪୨ଟି ଦେଶରେ ସାମିଲ ହୋଇଛି । ଯେଉଁଥିରେ ପାଲେଷ୍ଟାଇନ ସମସ୍ୟା ଓ ଦୁଇ-ରାଷ୍ଟ୍ର ସମାଧାନ ଲାଗୁ କରିବାକୁ ନ୍ୟୁୟର୍କ ଘୋଷଣାପତ୍ର ପ୍ରସ୍ତାବ ଦିଆଯାଇଥିଲା । ଜାତିସଂଘ ପ୍ରସ୍ତାବରେ ହମାସ କାର୍ଯ୍ୟକୁ ଦୃଢ ନିନ୍ଦା କରାଯାଇଛି । ଏହାକୁ ଅସ୍ତ୍ରଶସ୍ତ୍ର ସମର୍ପଣ କରିବାକୁ କୁହାଯାଇଛି । ଅକ୍ଟୋବର ୭, ୨୦୨୩ରେ ଇସ୍ରାଏଲ ଉପରେ ହମାସ ଆକ୍ରମଣକୁ ନିନ୍ଦା ନ କରାଯିବକୁ ନେଇ ଜାତିସଂଘ ଉପରେ ଇସ୍ରାଏଲ ଖପ୍ପା ରହିଥିବାରୁ ଘୋଷଣାନାମାରେ ସେହି ଦିଗକୁ ଧ୍ୟାନ ଦିଆଯାଇଛି । ପାଲେଷ୍ଟାଇନ ପ୍ରସଙ୍ଗରେ ଶାନ୍ତିପୂର୍ଣ୍ଣ ସମାଧାନ ଏବଂ ଦୁଇ-ରାଷ୍ଟ୍ର ଗଠନ କାର୍ଯ୍ୟକାରୀ କରିବା ଉପରେ ନ୍ୟୁୟର୍କ ଘୋଷଣାନାମରେ ଗୁରୁତ୍ୱ ଦିଆଯାଇଛି । ଘୋଷଣାନାମାକୁ ୧୭ ସଦସ୍ୟ ରାଷ୍ଟ୍ର ସମର୍ଥନ କରିଛନ୍ତି । ହମାସକୁ ନିନ୍ଦା କରିବା ସହିତ ଗାଜାରେ ଶାସନ ସମାପ୍ତ କରି ପାଲେଷ୍ଟାଇନ କର୍ତ୍ତୃପକ୍ଷଙ୍କ ନିକଟରେ ଅସ୍ତ୍ରଶସ୍ତ୍ର ସମର୍ପଣ କରିବାକୁ କୁହାଯାଇଛି । ଯାହା ଦ୍ୱାରା ପାଲେଷ୍ଟାଇନ ଏକ ସାର୍ବଭୌମ ଏବଂ ସ୍ୱାଧୀନ ରାଷ୍ଟ୍ରରେ ପରିଣତ ହୋଇପାରିବ । ଜାତିସଂଘ ମହାସଭାରେ ହୋଇଥିବା ଭୋଟିଂକୁ ନେଇ ଇସ୍ରାଏଲ କଡା ପ୍ରତିକ୍ରିୟା ଦେଇଛି । ପ୍ରସ୍ତାବକୁ ନିନ୍ଦା କରିବା ସହିତ ହମାସ ପରି ଆତଙ୍କୀଙ୍କୁ ଯୁଦ୍ଧ ଜାରି ରଖିବାକୁ ଏହା ପ୍ରୋତ୍ସାହିତ କରିବ ବୋଲି ଇସ୍ରାଏଲ ପକ୍ଷରୁ କୁହାଯାଇଛି ।
ସେପ୍ଟେମ୍ବର ୨୨ରେ ହେବାକୁ ଥିବା ଜାତିସଂଘ ସମ୍ମିଳନୀରେ ରିୟାଦ ଓ ପ୍ୟାରିସ ଅଧ୍ୟକ୍ଷତା କରିବେ । ପାଲେଷ୍ଟାଇନକୁ ବିଧିବଦ୍ଧ ଭାବେ ରାଷ୍ଟ୍ର ମାନ୍ୟତା ଦିଆଯିବାକୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ପ୍ରତିଶ୍ରୁତି ଦେଇଛନ୍ତି ।