ଦୁବାଇ,୨୦/୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଦିନିକିଆ କ୍ରିକେଟ୍‌ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ଟାଇଟଲ ଲଢ଼େଇରେ ମୁହାଁମୁହିଁ ହେବେ । ଏହି ମ୍ୟାଚ୍ ଆସନ୍ତା ରବିବାର ଦିନ ଖେଳାଯିବ । ଶନିବାର୨ଟି ଯାକ ସେମି ଫାଇନାଲ୍‌ରେ ବର୍ଷା ବାଧକ ସାଜିଥିଲା । ପ୍ରଥମ ସେମିରେ ଭାରତ ୮ ୱିକେଟ୍‌ରେ ଶ୍ରୀଲଙ୍କାକୁ ଏବଂ ଦ୍ୱିତୀୟ ସେମିରେ ପାକିସ୍ତାନ ୮ ୱିକେଟ୍‌ରେ ବାଂଲାଦେଶକୁ ପରାସ୍ତ କରିଥିଲା ।

ଭିହାନ, ଜର୍ଜଙ୍କ ଅର୍ଦ୍ଧଶତକ

ବର୍ଷା ବାଧାପ୍ରାପ୍ତ ଭାରତ-ଶ୍ରୀଲଙ୍କା ମ୍ୟାଚ୍ ୨୦ ଓଭର ବିଶିଷ୍ଟ ଖେଳାଯାଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇ ଶ୍ରୀଲଙ୍କା ୮/୧୩୮ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଚାମିକା ହୀନାଟିଗାଲା ୪୨, ବିମଥ ଦିନସାରା ୩୨, ବିରାନ ଚାମୁଡ଼ିଥା ୧୯, ସେଠମିକା ସେନେଭିରତ୍ନେ ୩୦ (୨ଚୌକା, ୧ଛକା) ରନ୍ କରିଥିଲେ । ଭାରତ ପକ୍ଷରୁ ହେନିଲ ପଟେଲ ଓ କନିଷ୍କ ଚୌହାନ ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ କିଷନ ସିଂହ, ଦୀପେଶ ଦେବେନ୍ଦ୍ରନ, ଖିଲାନ ପଟେଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ୧୩୯ରନ୍ ବିଜୟ ଲକ୍ଷ୍ୟର ପିଛା କରି ଭାରତ ୨୫ରନ୍ ମଧ୍ୟରେ ଓପନିଂ ଯୋଡ଼ିଙ୍କୁ ହରାଇଥିଲା । ଅଧିନାୟକ ଆୟୂଷ ମାହତ୍ରେ ୭ ଓ ବୈଭବ ସୂର୍ଯ୍ୟବଂଶୀ ୯ରନ୍ କରି ଆଉଟ୍ ହୋଇଥିଲେ । ମାତ୍ର ଆରନ ଜର୍ଜ ଓ ଭିହାନ ମାଲହୋତ୍ରା ଅର୍ଦ୍ଧଶତକ ପୂରଣ କରିବା ସହ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ । ଭିହାନ ୪୫ବଲ୍ରେ ୬୧ (୪ଚୌକା, ୨ଛକା) ଓ ଜର୍ଜ ୫୮ (୪ଚୌକା, ୧ଛକା) ରନ୍ କରିଥିଲେ । ଉଭୟ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।  

ପାକିସ୍ତାନକୁ ଜିତାଇଲେ ଅବଦୁଲ, ସମୀର

ପାକିସ୍ତାନ-ବାଂଲାଦେଶ ଦ୍ୱିତୀୟ ସେମି ମୁକାବିଲା ୨୭ ଓଭର ବିଶିଷ୍ଟ ଅନୁଷ୍ଠିତ ହୋଇଥିଲା । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୨୬.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୨୧ ରନ୍ କରିଥିଲା । ଦଳ ପକ୍ଷରୁ ସମିଉନ ବସିର ସର୍ବାଧିକ ୩୩ରନ୍ କରିଥିଲେ । ପାକିସ୍ତାନର ଅବଦୁଲ ଶୁଭାନ ୪ଟି ୱିକେଟ୍ ନେଇଥିଲେ । ଏହାର ଜବାବରେ ପାକିସ୍ତାନ ୧୬.୩ ଓଭରରେ ୨ ୱିକେଟ୍ ବିନିମୟରେ ବିଜୟ ହାସଲ କରିଥିଲା । ଓପନର ସମୀର ମିନହାସ ଅପରାଜିତ ୬୯, ଉସମାନ ଖାନ ୨୭ରନ୍ କରିଥିଲେ ।