ନୂଆଦିଲ୍ଲୀ,୨୫/୦୯: ଡିସେମ୍ବର ସୁଦ୍ଧା ଆଉ  ୮-୧୦ଟି ଆଫ୍ରିକୀୟ ଚିତାଙ୍କୁ ସ୍ୱାଗତ  କରିବାକୁ ପ୍ରସ୍ତୁତି ହେଉଛି ଭାରତ । ଏଥିଲାଗି  ନାମ୍ବିଆ, ବୋତ୍ସୱାନା, କେନିୟା  ସହ ଆଲୋଚନା ଚାଲିଛି ।

୨୦୨୨  ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦିଙ୍କ ଜନ୍ମଦିନରେ ପ୍ରୋଜେକ୍ଟ  ଚିତାର ଶୁଭାରମ୍ଭ କରାଯାଇଥିଲା ।  ସେତେବେଳେ ନାମ୍ବିଆରୁ ୮ଟି ଚିତାଙ୍କୁ ମଧ୍ୟପ୍ରଦେଶର କୁନୋ ଜାତୀୟ ପାର୍କରେ  ଛଡ଼ାଯାଇଥିଲା । ପରେ ଫେବ୍ରୁଆରୀ ୨୦୨୩ରେ ଦକ୍ଷିଣ ଆଫ୍ରିକାରୁ ଆଉ  ୧୨ଟି ଚିତା ଆସିଥିଲେ । ସ୍ଥାନାନ୍ତରିତ ହୋଇଥିବା ମୋଟ ୨୦ଟି ଚିତାଙ୍କ ମଧ୍ୟରୁ  ଅଦ୍ୟାବଧି ୧୧ଟି ବଞ୍ଚିଛନ୍ତି । ସେଥିରେ  ନାମ୍ବିଆରୁ ଆସିଥିବା ୩ ଓ ଦକ୍ଷିଣ  ଆଫ୍ରିକାରୁ ଆସିଥିବା ୮ ଚିତା ରହିଛନ୍ତି ।ସବୁଠାରୁ  ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି କାର୍ଯ୍ୟକ୍ରମକୁ ଉତ୍ସାହଜନକ  ପ୍ରଜନନ ସଫଳତା ମିଳିଛି । ଭାରତରେ ମୋଟ ୨୬ ଚିତା  ଶାବକ ଜନ୍ମ ହୋଇଛନ୍ତି । ସେଥିମଧ୍ୟରୁ ୧୬ଟି ଶାବକ ଜୀବିତ  ଅଛନ୍ତି । ଏହାଦ୍ୱାରା ଭାରତୀୟ ପରିବେଶରେ ଚିତା ତିଷ୍ଠିବା ହାର  ୬୧.୦୫% ହୋଇଯାଇଛି । ଯାହାକି ବୈଶ୍ୱିକ ହାର ୪୦ ଧରୁ  ବହୁ ଅଧିକ । ବର୍ତ୍ତମାନ ପ୍ରୋଜେକ୍ଟ ଚିତା ଅନୁସାରେ ଭାରତରେ  ମୋଟ ୨୭ଟି ଚିତା ରହିଛନ୍ତି । ସେଥିମଧ୍ୟରୁ ୧୫ଟି ଚିତା କୁନୋରେ  ମୁକ୍ତ ଭାବେ ବୁଲୁଛନ୍ତି । ଅଧିକାରୀମାନଙ୍କ ଅନୁସାରେ, ପ୍ରଥମ  ବର୍ଷ ବୟସ୍କ ଚିତାମାନଙ୍କର ଜୀବିତ ରହିବାର ହାର ୭୦%  ଥିଲା । ଦ୍ୱିତୀୟ ବର୍ଷ ତାହା ୮୫.୭୧%କୁ ବୃଦ୍ଧି ପାଇଥିଲା । ଏହା  ଭାରତୀୟ ପରିସ୍ଥିତି ପ୍ରତି ଗ୍ରହଣୀୟତାକୁ ସୂଚାଉଛି । ସେହିପରି  ବର୍ତ୍ତମାନ ସବୁ ଚିତାକୁ ରେଡିଓ କଲାର ମାଧ୍ୟମରେ ଅନୁଧ୍ୟାନ  କରାଯାଉଥିବା ସେମାନେ ପ୍ରକାଶ କରିଛନ୍ତି ।