ନୂଆଦିଲ୍ଲୀ,୩୦/୦୫: ବିଶ୍ୱ ବଜାରରେ ବିଭିନ୍ନ ପ୍ରକାର ଅନିଶ୍ଚିତତା ସତ୍ତ୍ୱେ ଭାରତ ୨୦୨୫-୨୬ରେ ଏହାର  ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମାନ୍ୟତା  ବଜାୟ ରଖିବ । ନିଜର ଉନ୍ନତ ମାକ୍ରୋ- ଅର୍ଥନୈତିକ ମାପଦଣ୍ଡ, ମଜଭୁତ ଆର୍ଥିକ  କ୍ଷେତ୍ର ଏବଂ ନିରନ୍ତର ଅଭିବୃଦ୍ଧି ପ୍ରତି ଏହାର ପ୍ରତିବଦ୍ଧତା ଯୋଗୁ ଏହା ସମ୍ଭବ ହେବ । ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)  ଏହାର ବାର୍ଷିକ ରିପୋର୍ଟରେ ଏଭଳି ପ୍ରକାଶ  କରିଛି । ବିଶ୍ୱ ଆର୍ଥିକ ବଜାରରେ ଉତ୍‌ଥାନ  ପତନ, ଭୁ-ରାଜନୈତିକ ଅସ୍ଥିରତା, ବାଣିଜ୍ୟ  ଯୁଦ୍ଧ, ଯୋଗାଣ ଶୃଙ୍ଖଳ ସମସ୍ୟା ଏବଂ  ଜଳବାୟୁଜନିତ ଅନିଶ୍ଚିତତା ମଧ୍ୟରେ ଏହି  ରିପୋର୍ଟ ପ୍ରକାଶ ପାଇଛି ।  

ଅର୍ଥନୈତିକ ଅଭିବୃଦ୍ଧି ପ୍ରତି ଏସବୁ  ସମସ୍ୟାଗୁଡ଼ିକର ଡାଉନ୍‌ସାଇଡ୍‌ ରିସ୍କ ରହିଛି  ଏବଂ ମୁଦ୍ରାସ୍ଫୀତିକୁ ଅପ୍‌ସାଇଡ୍‌ ବିପଦ ଅଛି ।  ଭାରତୀୟ ଅର୍ଥନୀତିର ମୂଳଦୁଆ ମଜଭୁତ  ରହିଛି, ଯାହାଫଳରେ ଭାରତ ଏହାର ଦୃଢ଼  ମୁକାବିଲା କରିପାରିବ ବୋଲି ଆର୍‌ବିଆଇ  ପ୍ରକାଶ କରିଛି । ୨୦୨୪-୨୫ରେ ଭାରତର  ଜିଡିପି ଅଭିବୃଦ୍ଧି ୬.୫% ରହିଥିଲା । ଏଥିସହିତ  ଭାରତ ବିଶ୍ୱର ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିର ମାନ୍ୟତା ବଜାୟ ରଖିଥିଲା । 

ଶୁକ୍ରବାର ସରକାର ୨୦୨୪-୨୫ ଆର୍ଥିକବର୍ଷ  ଏବଂ ଏହି ଆର୍ଥିକବର୍ଷର ଚତୁର୍ଥ ତ୍ରୟମାସିକ  ରିପୋର୍ଟ ଜାରି କରିବେ । ଭାରତର ପ୍ରଦର୍ଶନ ଭଲ ରହିବ ଏବଂ ଏହା ବିଶ୍ୱର ସବୁଠୁ ଦ୍ରୁତ  ଅଭିବୃଦ୍ଧିଶୀଳ ଅର୍ଥନୀତିର ମୁକୁଟ ପୁଣି ପିନ୍ଧିବ ବୋଲି ଆର୍‌ବିଆଇ ପ୍ରକାଶ କରିଛି ।

କେନ୍ଦ୍ରୀୟ ବ୍ୟାଙ୍କ ଅନୁସାରେ, ବିନିଯୋଗ  ଚାହିଦାରେ ବୃଦ୍ଧି, ସେବା କ୍ଷେତ୍ରରେ ସୁଧାର  ଓ କୃଷି ଉତ୍ପାଦନ ବୃଦ୍ଧି ସହିତ ଭାରତର  ଅର୍ଥନୈତିକ ଗତିବିଧି ବଢ଼ିଛି । ୨୦୨୫- ୨୬ରେ ଭାରତୀୟ ଅର୍ଥନୀତିର ଦୃଶ୍ୟପଟ  ଭଲ ରହିଛି । ସରକାରୀ ବ୍ୟୟ ବୃଦ୍ଧି ଏବଂ  ବିନିଯୋଗ ଚାହିଦାରେ ସୁଧାର ଯୋଗୁ ଏହା  ସମ୍ଭବ ହୋଇଛି । 

ଅର୍ଥନୀତିକୁ ନେଇ ଉପଭୋକ୍ତା ଏବଂ  ବ୍ୟବସାୟ ଜଗତ ଆଶାବାଦୀ ରହିଛନ୍ତି ।  ସର୍ବୋଚ୍ଚ ବ୍ୟାଙ୍କ ପ୍ରକାଶ କରିଛି ଯେ, ୨୦୨୫- ୨୬ ବଜେଟ୍‌ରେ ଘୋଷଣା ହୋଇଥିବା  ଜାତୀୟ ବିନିର୍ମାଣ ମିଶନ୍‌ ‘ମେକ୍‌ ଇନ୍‌  ଇଣ୍ଡିଆ’ ଅଭିଯାନକୁ ଆହୁରି ବ୍ୟାପକ  କରିବ । ବିନିର୍ମାଣ କ୍ଷେତ୍ର ବଢ଼ିବା ସହ  ନୂଆ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ । ବିଶ୍ୱ  ବାଣିଜ୍ୟରେ ଭାରତର ଭାଗିଦାରୀ ବଢୁଥିବା  ଆର୍‌ବିଆଇ ପ୍ରକାଶ କରିଛି ।