ନୂଆଦିଲ୍ଲୀ, ୨୦।୪: ପାକିସ୍ତାନର ଇସଲାମାବାଦରେ ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତି ଆଲୋଚନା ଜାରି ରହିଛି । ଅନ୍ୟପଟେ ଆଜିଠାରୁ ୱାଶିଂଟନରେ ଭାରତ ଏବଂ ଆମେରିକା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ବୈଠକ ଆରମ୍ଭ ହେବାକୁ ଯାଉଛି । ଏପ୍ରିଲ ୨୦ରୁ ୨୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ୩ ଦିନିଆ ଆଲୋଚନାରେ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ଅକ୍ଟୋବର ୨୦୨୫ ପରେ ପ୍ରଥମ ଥର ପାଇଁ ଭାରତ ଓ ଆମେରିକା ମଧ୍ୟରେ ମୁହାଁମୁହିଁ ଆଲୋଚନା ହେଉଛି । ଭାରତର ମୁଖ୍ୟ ବାର୍ତ୍ତାକାର ଦର୍ପଣ ଜୈନଙ୍କ ନେତୃତ୍ୱରେ ଏକ ୧୨ ଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆମେରିକାରେ ପହଞ୍ଚିଛନ୍ତି । ଏଥିରେ ବାଣିଜ୍ୟ, ସୀମା ଶୁଳ୍କ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ସାମିଲ ଅଛନ୍ତି ।

ଭାରତ-ଆମେରିକା ବାଣିଜ୍ୟିକ ଚୁକ୍ତିର ୧୦ଟି ପ୍ରମୁଖ ଦିଗ:

ଫେବୃଆରୀ ମାସରେ ଶୁଳ୍କ ବିବାଦ ଯୋଗୁଁ ସ୍ଥଗିତ ରହିଥିବା ଆଲୋଚନା ଏବେ ଏକ ନୂଆ ରୂପରେ ଆରମ୍ଭ ହେଉଛି । ନିକଟରେ ଆମେରିକା ସୁପ୍ରିମକୋର୍ଟ 'ଆନ୍ତର୍ଜାତୀୟ ଜରୁରୀକାଳୀନ ଅର୍ଥନୈତିକ ଶକ୍ତି ଅଧିନିୟମ' (IEEPA) ଅଧୀନରେ ଲାଗୁ ହୋଇଥିବା ଟ୍ୟାରିଫକୁ ରଦ୍ଦ କରିଦେଇଛନ୍ତି, ଯାହା ବ୍ୟାପାରିକ ସମୀକରଣ ବଦଳାଇ ଦେଇଛି । ୱାଶିଂଟନ ପକ୍ଷରୁ ଫେବୃଆରୀ ୨୪ରୁ ଜୁଲାଇ ୨୩ ପର୍ଯ୍ୟନ୍ତ ସମସ୍ତ ଦେଶ ପାଇଁ ୧୦% ଅସ୍ଥାୟୀ ଟ୍ୟାରିଫ ଲାଗୁ କରାଯାଇଛି । ପୂର୍ବରୁ ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ୫୦% ରୁ ହ୍ରାସ ପାଇ ୧୮% ହେବାର ଥିଲା । ଏଥିରେ ରୁଷରୁ ତୈଳ କ୍ରୟ ପାଇଁ ଲାଗୁଥିବା ୨୫% ଜୋରିମାନା ହଟାଇବା ପ୍ରସ୍ତାବ ମଧ୍ୟ ଥିଲା, ଯାହା ଏବେ ସଙ୍କଟରେ । ଚୁକ୍ତିରେ ଏ ପର୍ଯ୍ୟନ୍ତ ସ୍ୱାକ୍ଷର ହୋଇନଥିବାରୁ ଭାରତ ନିଜ ସର୍ତ୍ତ ଗୁଡ଼ିକ ଉପରେ ପୁନର୍ବିଚାର କରିବାର ସୁଯୋଗ ପାଇଛି ।

ଭାରତ ପାଇଁ ମୁଖ୍ୟ ଲକ୍ଷ୍ୟ ହେଉଛି ଆମେରିକୀୟ ବଜାରରେ ନିଜର 'କୋଷ୍ଟ ଆଡଭାଣ୍ଟେଜ' ବଜାୟ ରଖିବା । ପୂର୍ବରୁ ଭାରତ ଆମେରିକୀୟ ଶିଳ୍ପ ସାମଗ୍ରୀ, କୃଷିଜାତ ଦ୍ରବ୍ୟ ଯଥା- ସୋୟାବିନ୍ ତେଲ, ଫଳ, ମଦ ଉପରେ ଶୁଳ୍କ କମାଇବାକୁ ରାଜି ହୋଇଥିଲା, ଯାହାକୁ ଏବେ ପୁଣି ଯାଞ୍ଚ କରାଯିବ । ଭାରତ ପୂର୍ବରୁ ଆମେରିକାରୁ ୫୦୦ ଅରବ ଡଲାରର ଶକ୍ତି, ବିମାନ ଓ ସେମିକଣ୍ଡକ୍ଟର ସାମଗ୍ରୀ କିଣିବାକୁ ଯୋଜନା କରିଥିଲା । ଏହି ଯୋଜନାର ପୁନଃ ମୂଲ୍ୟାଙ୍କନ ହୋଇପାରେ । ଆମେରିକା ଭାରତର ମ୍ୟାନୁଫ୍ୟାକ୍ଚରିଂ କ୍ଷମତାକୁ ନେଇ କରୁଥିବା ତଦନ୍ତକୁ ଭାରତ ବିରୋଧ କରୁଛି ଏବଂ ଏହାକୁ ପ୍ରତ୍ୟାହାର କରିବାକୁ ଚାପ ପକାଉଛି । ଏହି ବୈଠକ ସମ୍ପୂର୍ଣ୍ଣ ବଦଳି ଯାଇଥିବା ବିଶ୍ୱ ଅର୍ଥନୈତିକ ପରିବେଶରେ ଅନୁଷ୍ଠିତ ହେଉଛି ।

ଚୀନ ସାଜିଛି ବଡ଼ ବାଣିଜ୍ୟିକ ସହଭାଗୀ:

ଏହି ଆଲୋଚନା ଏପରି ଏକ ସମୟରେ ହେଉଛି ଯେତେବେଳେ ଚୀନ, ଆମେରିକାକୁ ପଛରେ ପକାଇ ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ସବୁଠାରୁ ବଡ଼ ବାଣିଜ୍ୟିକ ସହଭାଗୀ ହୋଇପାରିଛି । ଆମେରିକା ସହ ଭାରତର ରପ୍ତାନି ମାତ୍ର ୦.୯୨% ବଢ଼ିଥିବା ବେଳେ ଆମଦାନୀ ୧୫.୯୫% ବୃଦ୍ଧି ପାଇଛି, ଯାହା ଫଳରେ ଭାରତର ଟ୍ରେଡ୍ ସରପ୍ଲସ୍ ହ୍ରାସ ପାଇଛି । ଏହି ତିନି ଦିନିଆ ବୈଠକ ଭାରତୀୟ ରପ୍ତାନିକାରୀଙ୍କ ପାଇଁ ଏବଂ ଦୁଇ ଦେଶର ଆର୍ଥିକ ସମ୍ପର୍କ ପାଇଁ ଅତ୍ୟନ୍ତ ନିର୍ଣ୍ଣାୟକ ହେବାକୁ ଯାଉଛି । ଅଧିକାରୀଙ୍କ କହିବା ଅନୁସାରେ, ଭାରତର ସ୍ୱାର୍ଥ ଯେପରି କ୍ଷୁର୍ଣ୍ଣ ନହୁଏ, ସେଥିପାଇଁ ଚୁକ୍ତିକୁ ପୁଣି ଥରେ ପରଖାଯିବ ।

ଆହୁରି ପଢ଼ନ୍ତୁ... ଭାରତ-ରୁଷ ପ୍ରତିରକ୍ଷା ବୁଝାମଣା ଲାଗୁ, ଏଣିକି ଉଭୟେ ପରସ୍ପର ଦେଶରେ ମୁତୟନ କରିବେ ୩ ହଜାର ସୈନ୍ୟ