ନୂଆଦିଲ୍ଲୀ,୧୨/୧୧: ୨୨ତାରିଖରୁ  ଆରମ୍ଭ ହେବାକୁ ଯାଉଛି ବର୍ଡର-ଗାଭାସ୍କର ଟ୍ରଫି  ଟେଷ୍ଟ ସିରିଜ । ଇତି ମଧ୍ୟରେ ଭାରତୀୟ ଦଳର କିଛି ଖେଳାଳି ଅଷ୍ଟ୍ରେଲିଆରେ ପହଞ୍ଚି ସାରିଛନ୍ତି ।  ବ୍ୟାଟିଂ କୋଚ ଅଭିଷେକ ନାୟାର ଓ ଫିଲ୍ଡିଂ କୋଚ ଟି  ଦିଲ୍ଲୀପଙ୍କ ସମେତ ଯଶସ୍ୱୀ ଜୈସ୍ୱାଲ, ସର୍ଫରାଜ ଖାନ,  ମହମ୍ମଦ ସିରାଜ, ଆକାଶ ଦୀପ, ରବିନ୍ଦ୍ର ଜାଡେଜା,  ୱାସିଂଟନ ସୁନ୍ଦର ପ୍ରମୁଖ ମୁମ୍ବାଇ ବିମାନ ବନ୍ଦରରୁ  ପର୍ଥ ଅଭିମୁଖେ ଯାତ୍ରା କରିଥିଲେ । ୨୨ ତାରିଖରୁ ପର୍ଥ  ସ୍ଥିତ ଅପ୍ଟସ ଷ୍ଟାଡିୟମ୍‌ରେ ପ୍ରଥମ ଟେଷ୍ଟ ଖେଳାଯିବ ।  ଏହା ପୂର୍ବରୁ ଭାରତୀୟ ଦଳ ବହୁ ଚର୍ଚ୍ଚିତ ୱାକା  ଗ୍ରାଉଣ୍ଡ୍‌ରେ ଅଭ୍ୟାସ କରିବାର କର୍ଯ୍ୟକ୍ରମ ରହିଛି । 

ରୋହିତଙ୍କ ଅନୁପସ୍ଥିତିରେ ବୁମରା ଅଧିନାୟକ

ଆଗାମୀ ବର୍ଡର-ଗାଭାସ୍କର ଟ୍ରଫିରେ ରୋହିତ ଶର୍ମା  ପ୍ରଥମ ଟେଷ୍ଟ ଖେଳିବା ନେଇ ଆଶଙ୍କା ରହିଛି । ତାଙ୍କ  ଅନୁପସ୍ଥିତିରେ ଯଶପ୍ରୀତ ବୁମରା ଦଳର ନେତୃତ୍ୱ  ନେବେ ବୋଲି ମୁଖ୍ୟ କୋଚ ଗୌତମ ଗମ୍ଭୀର ସ୍ପଷ୍ଟ କରିଦେଇଛନ୍ତି । ସେ କହିଛନ୍ତି, ରୋହିତ ପ୍ରଥମ  ଟେଷ୍ଟ ଖେଳିବା ନେଇ ଏପର୍ଯ୍ୟନ୍ତ ଆମ ନିକଟରେ ସ୍ପଷ୍ଟ  ସୂଚନା ନାହିଁ । ସେ ହୁଏତ ପର୍ଥ ଟେଷ୍ଟ ପୂର୍ବରୁ ଦଳ  ସହ ଯୋଗ ଦେଇପାରନ୍ତି । ନଚେତ ବୁମରା ଦଳର  ନେତୃତ୍ୱ ନେବେ । ସେ ଦଳର ଉପଅଧିନାୟକ ।  ତେଣୁ ଅଧିନାୟକଙ୍କ ଅନୁପସ୍ଥିତିରେ ନେତୃତ୍ୱ  ନେବା ଉପଅଧିନାୟକଙ୍କ ଦାୟିତ୍ୱ । ରୋହିତଙ୍କ  ସ୍ଥାନରେ ବ୍ୟାଟିଂ କରିବା ପାଇଁ ଆମ ନିକଟରେ  କେଏଲ ରାହୁଲ ଓ ଅଭିମନ୍ୟୁ ଈଶ୍ୱରନ ଅନ୍ୟ  ୨ ଓପନର ଭାବେ ରହିଛନ୍ତି । ରହୁଲ ଆବଶ୍ୟକ  ସ୍ଥଳେ ୩ନଂ କିମ୍ବା ୬ନଂ ସ୍ଥାନରେ ମଧ୍ୟ ବ୍ୟାଟିଂ  କରିବାର କ୍ଷମତା ରଖିଛନ୍ତି । ଏଭଳି ସବୁ ସ୍ଥାନରେ  ବ୍ୟାଟିଂ କରିବା ଭଳି ଖେଳାଳିଙ୍କ ସଂଖ୍ୟା ଖୁବ୍‌ କମ୍‌ ।

ପର୍ଥରେ ଖେଳିପାରନ୍ତି ନୀତିଶ

ନୂଆ କରି ଟେଷ୍ଟ ଦଳରେ ସ୍ଥାନ ପାଇଥିବା  ଯୁବ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀ  ପର୍ଥରେ ପଦାର୍ପଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ସୋମବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ  ମୁଖ୍ୟ କୋଚ ଗୌତମ ଗମ୍ଭୀର କହିଛନ୍ତି,  ନୀତିଶଙ୍କ ଖେଳ ବେଶ ପ୍ରଭାବିତ କରିଛି । ଟି-ଟ୍ୱେଣ୍ଟିରେ ତାଙ୍କ ପ୍ରଦର୍ଶନ ଚମତ୍କାର ରହିଥିଲା ।  ସେ ବେଶ ପ୍ରତିଭାବାନ । ତାଙ୍କ ଉପରେ ମୋର  ଯଥେଷ୍ଟ ଭରସା ରହିଛି । ଅଷ୍ଟ୍ରେଲିଆରେ ସେ  ସଫଳ ହେବେ ବୋଲି ମୋର ଆଶା ରହିଛି । ବାଂଲାଦେଶ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରେ ନୀତିଶ  ଅଲରାଉଣ୍ଡ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଭରସା  ଜିତିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଟେଷ୍ଟ ଦଳରେ ସ୍ଥାନ  ମିଳିଥିଲା । ସ୍ଥାନୀୟ ଜଳବାୟୁ ସହ ଖାପ ଖୁଆଇବା ପାଇଁ ତାଙ୍କୁ ଭାରତ ଏ' ଦଳ ସହ ଆଗୁଆ ଅଷ୍ଟ୍ରେଲିଆ  ପଠାଯାଇଛି । ଅଷ୍ଟ୍ରେଲିଆ ଏ' ଦଳ ବିପକ୍ଷରେ  ସେ ଉଭୟ ଅନଫିସିଆଲ ଟେଷ୍ଟ ଖେଳିଛନ୍ତି । 

ସୂଚନାଯୋଗ୍ୟ, ଭାରତର ଏକମାତ୍ର ପେସ  ବୋଲିଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟ ଟେଷ୍ଟ କ୍ରିକେଟ  ପ୍ରତି ଆଗ୍ରହ ଦେଖାଉ ନାହାନ୍ତି । ବାରମ୍ବାର ଆହତ  ହେଉଥିବାରୁ ସେ ଛୋଟ (ଟି-ଟ୍ୱେଣ୍ଟି) ଫର୍ମାଟରେ  ସୀମିତ ରହୁଛନ୍ତି । ତେଣୁ ବିସିସିଆଇ ବ୍ୟାକୁଳତାର  ସହ ଜଣେ ପେସ ବୋଲିଂ ଅଲରାଉଣ୍ଡର ସନ୍ଧାନରେ  ରହିଥିଲା । ଭାଗ୍ୟକୁ ଗତ ଆଇପିଏଲରେ ନୀତିଶ  ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିବାକୁ ସୁଯୋଗ ପାଇଥିଲେ ଓ ଦର୍ଶନୀୟ ପ୍ରଦର୍ଶନ କରି  ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପର୍ଥ ପିଚ ପାରମ୍ପରିକ ଭାବେ ପେସ ବୋଲରଙ୍କୁ  ସହାୟତା କରିଆସୁଛି । ଏଠାରେ ପିଚରୁ ଅତିରିକ୍ତ  ବାଉନ୍ସ ମିଳେ ଓ ନୂଆ ବଲ୍‌ ମାତ୍ରାଧିକ ସୁଇଂ ହୁଏ ।  ପଶ୍ଚିମ ଅଷ୍ଟ୍ରେଲିଆର ମାଳ ଅଞ୍ଚଳରେ ଷ୍ଟାଡ଼ିୟମ  ରହିଥିବାରୁ ଅପରାହ୍ଣରେ ପୁରୁଣା ବଲ୍‌ ରିଭର୍ସ ସୁଇଂ  ହୋଇଥାଏ । ତେଣୁ ଭାରତ ଏଠାରେ ଅତିରିକ୍ତ ପେସ ବୋଲର ନେଇ ଖେଳିବା ନିଶ୍ଚତ । ଏଭଳି ସ୍ଥଳେ  ନୀତିଶ ଦଳର ଶକ୍ତି ବୃଦ୍ଧି କରିପାରିବ ।