ନୂଆଦିଲ୍ଲୀ,୦୮/୦୭; ଟି-ଟ୍ୱେଣ୍ଟି ବିଶ୍ୱକପ ବିଜୟୀ ଟିମ୍ । ଶକ୍ତିଶାଳୀ ଦଳ । ନୂଆ ନେତୃତ୍ୱ ନୂଆ ଖେଳାଳି । ତଥାପି ଦଳର ଅବସ୍ଥା ଶୋଚନୀୟ । ଆୟର୍ଲାଣ୍ଡ ପରି ଦୁର୍ବଳ ଦଳଠାରୁ ଟି-ଟ୍ୱେଣ୍ଟି ସିରିଜ ହାରିବା ପରେ ଏବେ ଇଂଲଣ୍ଡ ଆଗରେ ବି ଟଳମଳ । ଚାମ୍ପିଅନ ଦଳ ଭାରତର କଣ ହୋଇଛି ? କେଉଁଠି ରହୁଛି ତ୍ରୁଟି ? ୭୦ ବଲର ସାମ୍ନା କରି ମାତ୍ର ୭୬ ରନରେ ଅଲଆଉଟ୍ । ଟମ୍ ଇଣ୍ଡିଆର ସବୁଠୁ ବଡ଼ ପରାଜୟ । ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଅନୁଷ୍ଠିତ ତୃତୀୟ ଟି-ଟ୍ୱେଣ୍ଟି ମୁକାବିଲାରେ ଇଂଲଣ୍ଡ ୧୨୫ ରନ୍ର ବିଜୟ ହାସଲ କରି ୨-୦ରେ ସିରିଜ ଅଗ୍ରଣୀ ହାସଲ କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଦଳ ୭ ୱିକେଟ୍ ବିନିମୟରେ ୨୦୧ ରନ ସଂଗ୍ରହ କରିଥିଲା । ଜବାବରେ ଭାରତ ୧୧.୪ ଓଭରରେ ୭୬ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲା ।
ଟସ୍ ଜିତି ଭାରତ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ପୂର୍ବ ଏକାଦଶରେ ଦଳ ଗୋଟିଏ ପରିବର୍ତ୍ତନ କରିଥିଲା । ରବି ବିଷ୍ଣୋଇଙ୍କ ସ୍ଥାନରେ ପ୍ରିନ୍ସ ଯାଦବ ଏକାଦଶରେ ସ୍ଥାନ ପାଇଥିଲେ । ଇଂଲଣ୍ଡ ଓପନର ଜୋସ ବଟଲର ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ଅନ୍ୟ ପଟରେ ସଲ୍ଟ ସତର୍କତାର ସହ ବ୍ୟାଟିଂ କରିଥିଲେ । ପ୍ରଥମ ୱିକେଟ୍ରେ ୪୩ ରନ ସଂଗୃହୀତ ହୋଇଥିଲା । ଷଷ୍ଠ ଓଭର ବୋଲିଂ କରିବାକୁ ଆସି ପ୍ରିନ୍ସ ଯୋଡ଼ି ଭାଙ୍ଗିଥିଲେ । ବଟଲର ୨୧ଟି ବଲ୍ରେ ୪ଚୌକା ଓ ୨ ଛକା ବଳରେ ୩୬ ରନ କରିଥିଲେ । ପ୍ରିନ୍ସ ତାଙ୍କୁ ବୋଲ୍ଡ ଆଉଟ୍ କରିଥିଲେ । ସଲ୍ଟଙ୍କ ସହ ହ୍ୟାରୀ ବ୍ରୁକ ମିଶି ଆଉ ୨୮ ରନ ଯୋଗ କରିଥିଲେ । ଦଳୀୟ ସ୍କୋର ୭୧ ବେଳେ ବ୍ରୁକ୍ (୧୬)ଙ୍କୁ ଆଉଟ୍ କରିଥିଲେ ପ୍ରିନ୍ସ । ପରେ ପରେ ଜାକବ ବେଥେଲ ୧୩ ଓ ଟମ ବାଣ୍ଟନ କୌଣସି ରନ ନ କରି ପାଭିଲିୟନ ଫେରିଥିଲେ । ସଲ୍ଟ ଗୋଟିଏ ପଟେ ଲଢୁଆ ବ୍ୟାଟିଂ ଜାରି ରଖିଥିଲେ । ସାମ କୁରାନ ଗ୍ରାଉଣ୍ଡକୁ ଓହ୍ଲାଇବା ପରେ ବାଜି ପଲଟିଥିଲା । ଉଭୟ ୪୭ ରନର ଭାଗିଦାରୀ ଗଠନ କରିବା ଫଳରେ ଦଳୀୟ ସ୍କୋର ୧୫୮ରେ ପହଞ୍ଚିଥିଲା । ୧୭ତମ ଓଭରରେ ସଲ୍ଟଙ୍କୁ ଆଉଟ୍ କରିଥିଲେ ଅକ୍ଷର ପଟେଲ । ସେ ୪୪ଟି ବଲ୍ରେ ୭ ଚୌକା ଓ ୩ ଛକା ବଳରେ ୭୦ ରନ କରିଥିଲେ । ଅନ୍ତିମ ଭାଗରେ କୁରାନ ୨୪ଟି ବଲ୍ରେ ୪୧ ରନ ସଂଗ୍ରହ କରି ଦଳୀୟ ସ୍କୋରକୁ ୨୦୧ରେ ପହଞ୍ଚାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ୱିଲ ଜ୍ୟାକ୍ସ ୧୪ (୨ଛକା) ରନ କରିଥିଲେ । ଭାରତ ପକ୍ଷରୁ ପ୍ରିନ୍ସ ଓ ହର୍ଷିତ ରାଣା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।
ଏହା ବି ପଢନ୍ତୁ...Argentina vs Egypt: ୧୩ ମିନିଟ୍ରେ ବଦଳିଲା ଭାଗ୍ୟ...ପରାଜୟ ମୁହଁରୁ ଫେରିଲା ଆର୍ଜେଣ୍ଟିନା, ଇଜିପ୍ଟକୁ ହାରାଇ କ୍ୱାର୍ଟରରେ
ଜବାବରେ ଭାରତ ଘରୋଇ ବୋଲରଙ୍କ ମୁକାବିଲା କରିପାରି ନଥିଲା । ୧୦ ରନ କରି ଅଭିଷେକ ଶର୍ମା ଆଉଟ୍ ହେବା ପରେ ଆରମ୍ଭ ହୋଇଥିଲା ବିପର୍ଯ୍ୟୟ । କୌଣସି ଖେଳାଳି କ୍ରିଜରେ ଜମି ପାରି ନଥିଲେ । ଜଣକ ପରେ ଜଣେ ଉପସ୍ଥାନ ପକାଇ ପାଭିଲିୟନ ଫେରିଥିଲେ । ତାସ ଘର ପରି ଭାରତର ବ୍ୟାଟିଂ ବିଭାଗ ଭୁଷୁଡ଼ି ପଡ଼ିଥିଲା । ୮.୨ ଓଭର ବାକି ଥାଇ ଭାରତ ଅଲ୍ ଆଉଟ୍ ହୋଇ ଯାଇଥିଲା । ବୈଭବ ସୂର୍ଯ୍ୟବଂଶୀ ୧୩, ଇଶାନ କିଷନ ୧୩ ଓ ଅକ୍ଷର ପଟେଲ ୧୦ ରନ କରିଥିଲେ । ଅନ୍ୟ କେହି ୨ ଅଙ୍କ ଛୁଇଁ ପାରିନଥିଲେ । ଇଂଲଣ୍ଡ ପକ୍ଷରୁ ଜୋସ ଟଙ୍ଗ ୪ଟି ଓ ଜୋଫ୍ରା ଆର୍ଚର ୩ଟି ୱିକେଟ୍ ଅକ୍ତିଆର କରିଥିଲେ ।