ନୂଆଦିଲ୍ଲୀ,୦୮/୦୭; ମାତ୍ର ୧୩ ମିନିଟ୍ । ଡିଫେଣ୍ଡିଂ ବିଶ୍ୱ ଚାମ୍ପିଅନ ଆର୍ଜେଣ୍ଟିନାର ବିଜୟ ପାଇଁ ବାସ ଏତିକି ସମୟ ଯଥେଷ୍ଟ ସାବ୍ୟସ୍ତ ହୋଇଥିଲା । ୭୮ତମ ମିନିଟ୍ ପର୍ଯ୍ୟନ୍ତ ୦-୨ ଗୋଲରେ ପଛୁଆ ରହିଥିବା ଆର୍ଜେଣ୍ଟିନା ୭୯ରୁ ୯୦+୨ ତମ ମିନିଟ୍ ମଧ୍ୟରେ ୩ଟି ଗୋଲ ଦେଇ ନାଟକୀୟ ବିଜୟ ହାସଲ କରିଥିଲା । ଇଜିପ୍ଟର ସବୁ ଆଶା ପାଣି ଫୋଟକା ପରି ମିଳାଇ ଯାଇଥିଲା । ଆଟଲାଣ୍ଟା ଷ୍ଟାଡ଼ିୟମ୍‌ରେ ଅନୁଷ୍ଠିତ ରାଉଣ୍ଡ-୧୬ର ଏହି ମ୍ୟାଚରେ ଆର୍ଜେଣ୍ଟିନା ୩-୨ ଗୋଲ୍‌ରେ ଇଜିପ୍ଟକୁ ହରାଇ କ୍ୱାର୍ଟର ଫାଇନାଲ୍‌ରେ ସ୍ଥାନ ପକ୍କା କରିଛି । ଲିଓନେଲ ମେସି ଗୋଟିଏ ପେନାଲ୍ଟି ହାତଛଡ଼ା କରିଥିଲେ ହେଁ ଅନ୍ୟ ଏକ ଗୋଲ୍ ଦେଇ ଗୋଲଡେନ ବୁଟ୍ ପୁରସ୍କାର ଦୌଡ଼ରେ ପୁଣି ଥରେ ଅଗ୍ରଣୀ ହାସଲ କରିଛନ୍ତି । ସେ ଇତି ମଧ୍ୟରେ ୫ଟି ମ୍ୟାଚ ଖେଳି ୮ଟି ଗୋଲ ସ୍କୋର କରିସାରିଛନ୍ତି । ସେପଟେ କଲମ୍ବିଆକୁ ୪-୩ (ପେନାଲ୍ଟି)ରେ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ସ୍ୱିଜରଲାଣ୍ଡ । କ୍ୱାର୍ଟରରେ ଆର୍ଜେଣ୍ଟିନା ବନାମ ସ୍ୱିଜରଲାଣ୍ଡ ଏବଂ ବେଲଜିୟମ-ସ୍ପେନ୍ ମୁକାବିଲା ହେବ ।

ମ୍ୟାଚ୍ ଆରମ୍ଭରୁ ଇଜିପ୍ଟର ଚତୁର ରଣନୀତିକୁ ପରଖିବା ପୂର୍ବରୁ ଆର୍ଜେଣ୍ଟିନା ଏକ ଗୋଲ୍ ବରଣ କରିଥିଲା । ୧୫ତମ ମିନିଟ୍‌ ମରାୱନ ଆଟିଟାଙ୍କ ଏକ ପାସ୍‌କୁ ହେଡ୍ କରି ଗୋଲ୍‌ରେ ପରିଣତ କରିଥିଲେ ୟାସେର ଇବ୍ରାହିମ । ଆର୍ଜେଣ୍ଟିନା ଘନ ଘନ ଆକ୍ରମଣ କରିଥିଲା । ୨୧ତମ ମିନିଟ୍‌କୁ ଆର୍ଜେଣ୍ଟିନାକୁ ଏକ ପେନାଲ୍ଟି ମିଳିଥିଲା । ମାତ୍ର ଲିଓନେଲ ମେସି ଏହାକୁ ଗୋଲରେ ପରିଣତ କରିପାରି ନଥିଲେ । ସେ ଇଜିପ୍ଟର ବକ୍ସ ଭିତରକୁ ସାଥୀ ଖେଳାଳି ନିକୋଲାସ ଟାଗ୍ଲିଆଫିକୋଙ୍କ ନିକଟକୁ ଏକ ପାସ୍ ପଠାଇଥିଲେ ।

ଏହି ସମୟରେ ଟାଗ୍ଲିଆଫିକୋଙ୍କ ବକ୍ସ ଭିତରେ ଫାଉଲ ମାରିଥିଲେ ଇଜିପ୍ଟ ଖେଳାଳି ହାସେମ ହୋସାନ । ଆର୍ଜେଣ୍ଟିନା ପେନାଲ୍ଟି ହାତେଇବାରେ ସଫଳ ହୋଇଥିଲା । ବିଶ୍ୱକପ୍ରେ ମେସି ଏପର୍ଯ୍ୟନ୍ତ ମୋଟ୍ ୮ଟି ପେନାଲ୍ଟି ମାରିଛନ୍ତି । ଏଥିରୁ ସେ ୪ଟି ଗୋଲ୍ କରିଥିବା ବେଳେ ଅନ୍ୟ ୪ଟି ହାତଛଡ଼ା କରିଛନ୍ତି । ବିଶ୍ୱର ପ୍ରଥମ ଖେଳାଳି ଭାବେ ମେସି ଗୋଟିଏ ବିଶ୍ୱକପ୍‌ରେ ୨ଟି ପେନାଲ୍ଟି ହାତଛଡ଼ା କରିଛନ୍ତି । ଗତ କାବୋ ଭେର୍ଦେ ବିପକ୍ଷ ମ୍ୟାଚରେ ମଧ୍ୟ ତାଙ୍କର ଏକ ପେନାଲ୍ଟିକୁ ଗୋଲ୍ କିପର ଭୋଜିନା ଅଟକାଇ ଦେଇଥିଲେ । ଦ୍ୱିତୀୟାର୍ଦ୍ଧରେ ଆର୍ଜେଣ୍ଟିନାର ଆକ୍ରମଣ ଜାରି ରହିଥିଲେ ହେଁ ଇଜିପ୍ଟ ସୁଯୋଗ ଦେଖି ପ୍ରତି ଆକ୍ରମଣ କରିବାରେ ସଫଳ ହୋଇଥିଲା । ୫୯ତମ ମିନିଟ୍‌ରେ ଇଜିପ୍ଟ ଦ୍ୱିତୀୟ ଗୋଲ୍ ଦେଇଥିଲା । ମାତ୍ର ଆର୍ଜେଣ୍ଟିନା ଫାଉଲ ଅପିଲ କରିଥିଲା । ଭାର ରିଭ୍ୟୁ ପରେ ଫାଉଲ ସ୍ପଷ୍ଟ ହୋଇଥିଲା ଓ ଇଜିପ୍ଟର ଗୋଲ୍ ନାକଚ କରାଯାଇଥିଲା । ଇଜିପ୍ଟ ଅଟକି ନଥିଲା । ଏକ ଦର୍ଶନୀୟ ପ୍ରତି ଆକ୍ରମଣ ବଳରେ ଇଜିପ୍ଟ ଦ୍ୱିତୀୟ ଗୋଲ୍ କରିଥିଲା ।

ଏହା ବି ପଢନ୍ତୁ...ସିଏମ୍ ବିଜୟ ଚେନ୍ନାଇ ‘ଥାଲା’ଙ୍କୁ କଲେ ସ୍ପେଶାଲ ବାର୍ଥଡେ ଓ୍ବିଶ୍, ଜାଣନ୍ତୁ କ’ଣ କହିଲେ…  

୬୭ତମ ମିନିଟ୍‌ରେ ହାସେମ ହାସାନଙ୍କ ପାସ୍‌କୁ ମୋସ୍ତାଫା ଜିକୋ ଗୋଲରେ ପରିଣତ କରିଥିଲେ । ପରବର୍ତ୍ତୀ ୧୧ ମିନିଟ୍ ପର୍ଯ୍ୟନ୍ତ କୌଣସି ଗୋଲ ହୋଇ ନଥିଲା । ୭୯ତମ ମିନିଟ୍‌ରେ ଆର୍ଜେଣ୍ଟିନା ମ୍ୟାଚକୁ ଫେରିଥିଲା । ମେସିଙ୍କ ଏକ କ୍ରସ୍‌କୁ କ୍ରିଷ୍ଟିଆନ ରୋମେରୋ ଗୋଲ୍ରେ ପରିଣତ କରିଥିଲେ । ୪ମିନିଟ୍ ମଧ୍ୟରେ ଆର୍ଜେଣ୍ଟିନା ଦ୍ୱିତୀୟ ଗୋଲ୍ ଦେଇ ସ୍ଥିତି ବରାବର କରିଥିଲା । ୮୩ତମ ମିନିଟ୍‌ରେ ମେସି ଗୋଲ୍ କରିଥିଲେ । ଗୋଞ୍ଜାଲୋ ମଣ୍ଟିଲ ତାଙ୍କୁ ଗୋଲ୍ରେ ସହାୟତା କରିଥିଲେ । ଚଳିତ ବିଶ୍ୱକପ୍‌ରେ ଏହା ମେସିଙ୍କର ଅଷ୍ଟମ ଗୋଲ ରହିଥିଲା । ମ୍ୟାଚକୁ ଫେରିବା ପରେ ଆର୍ଜେଣ୍ଟିନା ଚତୁରତାର ସହ ଇଜିପ୍ଟ ଡିଫେନ୍ସ ଲାଇନ ଭାଙ୍ଗିଥିଲା । ୯୦୍ମ୨ତମ ମିନିଟ୍ରେ ଲୌଟରୋ ମାର୍ଟିନେଜଙ୍କ ଏକ ପାସ୍କୁ ଏଞ୍ଜୋ ଫର୍ଣ୍ଣାଣ୍ଡିଜ ଗୋଲ୍ରେ ପରିଣତ କରିଥିଲେ । ଆର୍ଜେଣ୍ଟିନା ଅବିଶ୍ୱସନୀୟ ପ୍ରତ୍ୟାବର୍ତ୍ତନ ସହ ବିଜୟ ହାସଲ କରିଥିଲା ।